ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୧୫୧ତମ କର୍ତ୍ତୃପକ୍ଷ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବିଡିଏ ଅଧ୍ୟକ୍ଷ ତଥା ଗୃହ ଓ ନଗର ଉନ୍ନୟନ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବିଡିଏର ୧୫୧ତମ ବୈଠକରେ ସୁବୁଦ୍ଧିପୁରଠାରେ ବିଡିଏ ନିର୍ମିତ ଏକାମ୍ର ରେସିଡେନ୍ସି ଆବାସ ପ୍ରକଳ୍ପର ଘୋଷଣର ନିଷ୍ପତି ନିଆଯାଇଛି ।
ବୈଠକରେ ବିଡିଏର ବହୁ ପ୍ରତିକ୍ଷିତ ପ୍ରମୁଖ ଆବାସ ପ୍ରକଳ୍ପ ମଧ୍ୟରୁ ଗୋଟିଏ ଏକାମ୍ର ରେସିଡେନ୍ସି ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛି । ଦ୍ରୁତ ଗତିରେ ବିକାଶଶୀଳ ସୁବୁଦ୍ଧିପୁର ଅଞ୍ଚଳରେ ଅବସ୍ଥିତ, ଏକାମ୍ର ରେସିଡେନ୍ସିକୁ ଆଧୁନିକ, ସୌନ୍ଦର୍ଯ୍ୟପୂର୍ଣ୍ଣ ଭାବରେ ମନୋରମ ବାସସ୍ଥାନ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି। ୭.୩୬ ଏକର ଜାଗାରେ ବିସ୍ତୃତ ଏହି ପ୍ରକଳ୍ପରେ ୩ଟି ଟାୱାର (ବି+ଜି+୧୨ ମହଲା)ରେ ୪୧୬ଟି ଦୁଇ ଶୟନକକ୍ଷ (୨ବିଏଚକେ)ଓ ୨୮୮ଟି (୩ବିଏଚକେ) ତିନି ଶୟନକକ୍ଷ ବିଶିଷ୍ଟ ଫ୍ଲାଟ ରହିଛି ।
ପ୍ରକଳ୍ପରେ କମ୍ୟୁନିଟି ହଲ, ରୁଫଟପ୍ ସୁଇମିଂ ପୁଲ, ଓ୍ୱାକିଂ ଟ୍ରାକ, ବାଣିଜ୍ୟିକ ଅଞ୍ଚଳ, ଶିଶୁ ଖେଳପଡ଼ିଆ, ଫିଟନେସ ସେଣ୍ଟର, ସୌର ପ୍ୟାନେଲ ଜୋନ, ସୁନ୍ଦର ଲ୍ୟାଣ୍ଡସ୍କେପ୍ ଖୋଲା ଜାଗା ବ୍ୟବସ୍ଥା ରହିଛି । ସେହିଭଳି ଏଥିରେ ୧୦୦ ଫୁଟ୍ ଚଉଡ଼ା ଅ୍ୟାପ୍ରୋଚ୍ ରୋଡ୍ ଏବଂ ପର୍ଯ୍ୟାପ୍ତ ବେସମେଣ୍ଟ ପାର୍କିଂ ସୁବିଧା ଯୋଗୁଁ ଏହା ଅଧିକ ସୁବିଧାଜନକ ହୋଇଛି। ଏହା ବିଡିଏର ଉଚ୍ଚମାନର ସହର ଜୀବନଶୈଳୀ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
“ଘର ଆବଣ୍ଟନର ପଦ୍ଧତି ଖୁବ୍ ଶୀଘ୍ର ଚୂଡ଼ାନ୍ତ ହେବ। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟ ରାଜଧାନୀରେ ନିଜସ୍ୱ ଘର ରଖିବା ଲୋକଙ୍କ ମହତ୍ବାକାଂକ୍ଷା ପୂରଣ କରିବ। ପ୍ରକଳ୍ପରେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇସାରିଛି,” ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି।
ଏହା ବ୍ୟତୀତ ବୈଠକରେ ନୀଳାଦ୍ରୀ ବିହାରର ଶନି ମନ୍ଦିରରୁ ଶୈଳଶ୍ରୀ ବିହାରର ଡିଏଭି ସ୍କୁଲ ରୋଡ଼ ଯାଏ ସିଡିପି ରୋଡ଼ (ସମନ୍ୱିତ ଉନ୍ନୟନ ଯୋଜନା) ନିର୍ମାଣ, ଗୁରୁ କେଳୁଚରଣ ପାର୍କ ସ୍କୋୟାରରୁ ପଟିଆ ରେଳ ଷ୍ଟେସନ ଯାଏ ୪୫ ମିଟର ଚଉଡ଼ା ସିଡିପି ରୋଡ଼, ନୂଆଗାଁ-କଟେନି ରୋଡ଼କୁ ଟିପି-୦୮ ଦେଇ ଯାଉଥିବା ରୋଡ଼ ସହିତ ସଂଯୋଗକାରୀ ସିଡିପି ରୋଡ଼ (ସମନ୍ୱିତ ଉନ୍ନୟନ ଯୋଜନା) ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ବୈଠକରେ ଆଲୋଚନା ହୋଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲଚନା ଦାସ, ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରା, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷ ଲକ୍ଷ୍ମୀ ମହାନ୍ତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଭାଗର ପ୍ରମୁଖ ସାଶନ ସଚିବ ଉଷା ପାଢୀ, ରାଜସ୍ବ ଆୟୁକ୍ତ (କେନ୍ଦ୍ରୀୟ ବିଭାଗ, କଟକ) ଗୁହା ପୁନମ ତାପସ କୁମାର, ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା ,ବିଡିଏ ସଚିବ ମାନସ ରଞ୍ଜନ ପାଢୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।
Comments are closed.