Latest Odisha News

BREAKING NEWS

କାହିଁକି ଇଣ୍ଡିଆ ମେଣ୍ଟଠାରୁ ଦୂରେଇ ଗଲା ଆପ୍ ?

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟରୁ ଦୂରେଇ ଯାଇଛି ଆମ ଆଦମୀ ପାର୍ଟି । ଲୋକସଭା ନିର୍ବାଚନ ପରଠୁ ହିଁ ଆପ୍ ଇଣ୍ଡିଆ ମେଣ୍ଟର ସାଥ୍ ଏକପ୍ରକାର ଛାଡି ଦେଇଥିଲା । ହରିୟାଣା ଓ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ହାତ ଛାଡି ଏକା ନିର୍ବାଚନ ଲଢିଥିଲା ଆପ୍ । ତେବେ ଦିଲ୍ଲୀ ପରାଜୟ ପରେ ଆପ୍ ମୁଖ୍ୟ ନିଜ ରଣନୀତି ବଦଳାଇବା ନେଇ ଆଶା କରାଯାଉଥିଲା । ତେବେ ଦଳ ଇଣ୍ଡିଆଠାରୁ ଦୂରେଇବା ଆପର ରଣନୀତି ଓ ବିରୋଧୀ ରାଜନୀତିରେ ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି । ମେଣ୍ଟଠାରୁ ଦୂରେଇ ନିଜର ସ୍ବାଧୀନ ଏଜେଣ୍ଡା ଅନୁସରଣ କରିବ ଆପ୍ । ତେବେ ଆପର ଏକଜିଟ୍ ପରେ ଇଣ୍ଡିଆ ମେଣ୍ଟର ଏକତାକୁ ଝଟକା ହୋଇପାରେ । ତେବେ ପ୍ରଶ୍ନ ଉଠୁଛି, କାହିଁକି ଅଲଗା ବାଟ ବାଛିଲା ଆପ୍?

ଆପର ନୂଆ ରଣନୀତି

କଂଗ୍ରେସ ସରକାରର ଦୁର୍ନୀତି ବିରୋଧରେ ସ୍ବର ଉଠାଇଥିବା ଆନ୍ନା ଆନ୍ଦୋଳନରୁ ୨୦୧୧ମସିହାରେ ସୃଷ୍ଟି ହୋଇଥିଲା ଆମ ଆଦମୀ ପାର୍ଟି । ଦଳକୁ ବିଜେପି ଓ କଂଗ୍ରେସର ବିକଳ୍ପ ଭାବେ ମନେ କରାଯାଉଥିଲା । ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବରେ ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବକୁ ଫୋକସ୍ କରିଥିଲା ଆପ । ତେବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟରେ ସାମିଲ ହେବା ଦଳର ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ନୀତିକୁ ଦୁର୍ବଳ କରିଥିଲା । ଫଳରେ କ୍ଷତି ସହିଥିଲା ଦଳ । ଲୋକସଭା ହେଉ କି ଦିଲ୍ଲୀ ବିଧାନସଭା ନିର୍ବାଚନ, ଆପକୁ ଝଟକା ପରେ ଝଟକା ଲାଗିଥିଲା । ଏଭଳି ସଂକଟର ସାମନା କରିବା ପରେ ଦଳ ଏବେ ଏକଲା ଚଲୋ ନୀତିରେ ଆଗକୁ ବଢିବାକୁ ଚାହୁଁଛି । ପୁଣି ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିବା ସହ ଭୋଟରଙ୍କ ବିଶ୍ବାସ ଜିତିବାକୁ ଉଦ୍ୟମ କରିବ ଦଳ ।

ପଞ୍ଜାବରେ କଂଗ୍ରେସ ଚ୍ୟାଲେଞ୍ଜ

୨୦୨୭ରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ଆମ ଆଦମୀ ପାର୍ଟି ପାଇଁ ଏସିଡ୍ ଟେଷ୍ଟ ହେବ । ମୁଖ୍ୟମନ୍ତ୍ରୀ ଭଗବତ ମାନଙ୍କ ନେତୃତ୍ବରେ ରାଜ୍ୟରେ ସରକାର ଥିବା ବେଳେ ସେଠାରେ ପ୍ରବଳ ଶାସନ ବିରୋଧୀ ଲହରର ସାମନା କରୁଛି ଆପ୍ । ଆଉ ସେଥିରୁ ଫାଇଦା ନେବାକୁ ଉଦ୍ୟମ କରୁଛି ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ । ପଞ୍ଜାବରେ ଅନ୍ୟ ରାଜନୈତିକ ଦଳ ରହିଥିଲେ ମଧ୍ୟ ମୁଖ୍ୟ ମୁକାବିଲା କଂଗ୍ରେସ ଓ ଆପ ମଧ୍ୟରେ ହେବ । କେବଳ ଗୋଟିଏ ରାଜ୍ୟ ଭାବେ ଏବେ ପଞ୍ଜାବରେ ଆପ ସରକାରରେ ଥିବା ବେଳେ ଏଠାକାର ଫଳାଫଳ ଜାତୀୟ ରାଜନୀତିରେ ଦଳର ଭବିଷ୍ୟତ ନିର୍ଣ୍ଣୟ କରିବ । ତେଣୁ ପଞ୍ଜାବ ଜିତିବାକୁ ଜାନ୍ ଲଗାଇବ ଆପ୍ । ଏଭଳି ସ୍ଥିତିରେ କଂଗ୍ରେସ ସହ ସଂପର୍କ ନେଇ ସ୍ପଷ୍ଟ ସନ୍ଦେଶ ଦେବାକୁ ଚାହୁଁଛି ଦଳ ।

ଉପନିର୍ବାଚନରେ ବଢିଲା ଆଶା

ଦିଲ୍ଲୀ ବିଧାନସଭାରେ ବଡ଼ ପରାଜୟ ପରେ ପଞ୍ଜାବ ଓ ଗୁଜରାଟରେ ଗତମାସ ହୋଇଥିବା ଉପନିର୍ବାଚନରେ ବିଜୟ ଆମ ଆଦମୀ ପାର୍ଟିର ଉତ୍ସାହ ବଢାଇଛି । ଇଣ୍ଡିଆ ମେଣ୍ଟରୁ ବାହାରି ସ୍ବାଧୀନ ଭାବେ ନିର୍ବାଚନ ଲଢିବା ନେଇ ଆପର ନୀତି ଉପରେ ଏହି ବିଜୟ ମୋହର ଲଗାଇଛି । ଏକାକୀ ନିର୍ବାଚନ ଲଢିବା ଦଳକୁ ନିଜ ସପୋର୍ଟ ବେସ୍ ବଜାୟ ରଖିବା ସହ ବିଜେପି ଓ କଂଗ୍ରେସର ବିଶ୍ବାସଯୋଗ୍ୟ ବିକଳ୍ପ ଭାବେ ଉପସ୍ଥାପିତ କରିଥିବା ଆପ୍ ମନେ କରୁଛି । ୨୦୨୭ରେ ଉଭୟ ପଞ୍ଜାବ ଓ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ, ସେଠାରେ କଂଗ୍ରେସର କୋର୍ ଭୋଟବ୍ୟାଙ୍କକୁ ନିଜ ଖାତାକୁ ନେଇ ଉପନିର୍ବାଚନର ସଫଳତା ଦୋହରାଇବାକୁ ଚାହୁଁଛି ଆପ୍ ।

କଂଗ୍ରେସ ବିରୋଧରେ ଆପ୍ ରଣନୀତି

୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନରେ ଆପ୍ ୫ଟି ସିଟ୍ ଜିତିବା ସହ ରାଜ୍ୟରେ କଂଗ୍ରେସର ପକଡ ଦୁର୍ବଳ କରିବାରେ ସଫଳ ହୋଇଥିଲା । ତେଣୁ ନିଜ ସମର୍ଥନ ବେସ୍ ବଢାଇବାକୁ ହେଲେ କଂଗ୍ରେସ ବିରୋଧରେ ଜୋରଦାର ପ୍ରଚାର ହିଁ ବାଟ ବୋଲି ଦଳର ନେତା ମନେ କରୁଛନ୍ତି । ଇଣ୍ଡିଆ ମେଣ୍ଟରେ ରହି ଏଭଳି କରିବା ବିଶ୍ବାସଯୋଗ୍ୟ ହେବନି, କାରଣ ମେଣ୍ଟରେ ନେତୃତ୍ବ କଂଗ୍ରେସ ନେଉଛି । ଏହାସହ ବିରୋଧୀ ମେଣ୍ଟରେ କଂଗ୍ରେସର ଗୁରୁତ୍ବ ଅଧିକ ରହିଥିବାରୁ ଆପର ଭୂମିକା ସୀମିତ ହୋଇଯିବ । ତେଣୁ କଂଗ୍ରେସ ବିରୋଧରେ ଠିଆ ହୋଇ ଦେଶ ରାଜନୈତିକ ଦୃଶ୍ୟପଟ୍ଟରେ ନିଜ ଅସ୍ତିତ୍ବ ବଜାୟ ରଖିବା ସହ ଦଳ ପାଇଁ ସ୍ବାଧୀନ ବାଟ ବାଛିଛି ଆପ୍ ।

Comments are closed.