ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଶା କରାଯାଉଥିବା ଠାରୁ କମ୍ ଭୋଟ୍ ରେକର୍ଡ କରାଯାଇଛି, ଏହା ପରେ ଭୋଟ୍ ହାର ହ୍ରାସକୁ ନେଇ ନିର୍ବାଚନ ଆୟୋଗ ଚିନ୍ତା ପ୍ରକାଶ କରିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଭୋଟଙ୍କ ସଂଖ୍ୟା ହ୍ରାସ ପାଉଥିବା ଅନୁମାନ କରାଯାଉଛି। ନିର୍ବାଚନ ସମୟରେ ଏହି ପରିସ୍ଥିତି ଦ୍ୱାରା ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ନିର୍ବାଚନ କମିଶନ ସକ୍ରିୟ ପଦକ୍ଷେପ ନେଉଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଉନ୍ନତ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ନେବେ।
ଦେଶର କିଛି ଅଞ୍ଚଳରେ ସାଧାରଣ ତାପମାତ୍ରାଠାରୁ ଅଧିକ ଏବଂ ଲୁ ର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଆଜି ସକାଳଠାରୁ ସମସ୍ତ ହିତାଧିକାରୀଙ୍କ ସହ ଏକ ବୈଠକ କରୁଛନ୍ତି। କିପରି ଅଧିକରୁ ଅଧିକ ଲୋକେ ନିରାପଦରେ ଭୋଟ ଦେବ ସେନେଇ ବୈଠକରେ ଆଲୋଚନା ହେଉଛି। ଏହି ବୈଠକରେ ପାଣିପାଗ ବିଭାଗ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସନ୍ଧୁଙ୍କ ସହ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଦେଶର ସାତଟି ପର୍ଯ୍ୟାୟରେ ଏବେବି ୬ଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ବାକି ଅଛି।
ଏହାପୂର୍ବରୁ ଏପ୍ରିଲ ୧୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରସ୍ତୁତିର ସମୀକ୍ଷା ପାଇଁ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ। ଆଗାମୀ ଗ୍ରୀଷ୍ମ ପ୍ରବାହର ପୂର୍ବମାନ ସମେତ ଏପ୍ରିଲରୁ ଜୁନ୍ ମଧ୍ୟରେ ତାପମାତ୍ରା ବିଷୟରେ ସୂଚନା ଦିଆଯାଇଥିଲା। ଦେଶର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ହେବାର ସମ୍ଭାବନା ରହିଛି।
Comments are closed.