Latest Odisha News

ବାଜିବ ବିଗୁଲ୍, ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ବାଜିବ ବିଗୁଲ, ଆସିବ ତାରିଖ । ଆସନ୍ତାକାଲି ଘୋଷଣା ହେବ ସାଧାରଣ ନିର୍ବାଚନ ତାରିଖ । ଲୋକସଭା ଓ କିଛି ରାଜ୍ୟର ବିଧାନସଭା ତାରିଖ ଘୋଷଣା କରିବେ ନିର୍ବାଚନ କମିଶନର । ଆସନ୍ତାକାଲି ଅପରାହ୍ନ ୩ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିବେ ନିର୍ବାଚନ କମିସନର । ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗ ।

ନିର୍ବାଚନ ଆୟୋଗ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଆସନ୍ତା ମାର୍ଚ୍ଚ ୧୬ ତାରିଖ ଦିନ ଅପରାହ୍ନ ୩ ଟା ସମୟରେ ଲୋକସଭା ନିର୍ବାଚନ ୨୦୨୪ ଏବଂ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ଘୋଷଣା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହେବ। ନିର୍ବାଚନ ଆୟୋଗର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ସିଧା ପ୍ରସାରଣ ହେବ। ତେବେ ସାଧାରଣ ନିର୍ବାଚନ ପାଇଁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ନିର୍ବାଚନ ଆୟୋଗ ଦ୍ଵାରା ଏହାର ସମୀକ୍ଷା ମଧ୍ୟ ସରିଛି ।

ଇସିର କାର୍ଯ୍ୟସୂଚୀ ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନ ଏବଂ କିଛି ରାଜ୍ୟର ବିଧାନସଭା ନିର୍ବାଚନ କେବେ, କେତୋଟି ପର୍ଯ୍ୟାୟରେ ଏବଂ ସେଥିପାଇଁ କେଉଁ ବ୍ୟବସ୍ଥା ଗ୍ରହଣ କରାଯିବ ସେ ନେଇ ସବିଶେଷ ତଥ୍ୟା ଦିଆଯିବ । ନିର୍ବାଚନ ତାରିଖ ଘୋଷଣା ପରେ ତୁରନ୍ତ ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହେବ । ଉତ୍ତରପ୍ରଦେଶ ଏବଂ ବିହାରରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ। ଏହା ବ୍ୟତୀତ ରାଜସ୍ଥାନରେ ୨-୩ଟି ପର୍ଯ୍ୟାୟ, ମଧ୍ୟପ୍ରଦେଶରେ ୩-୪ଟି ପର୍ଯ୍ୟାୟ, ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣାରେ ଗୋଟିଏ ଲେଖାଏଁ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଆସାମ ଏବଂ ମଣିପୁର ବ୍ୟତୀତ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବା ନେଇ ଅନୁମାନ କରାଯାଉଛି । ଏଥି ସହିତ, ଯେଉଁ ରାଜ୍ୟମାନଙ୍କରେ ତାପମାତ୍ରା ଅଧିକ ରହୁଛି ସେହି ରାଜ୍ୟରେ ପ୍ରଥମେ ନିର୍ବାଚନ ହୋଇପାରେ। ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ତେଲେଙ୍ଗାନା ସମେତ ରାଜ୍ୟରେ ପ୍ରଥମେ ମତଦାନ ହୋଇପାରେ ବୋଲି ସୂଚନା ମିଳିଛି ।

ବର୍ତ୍ତମାନର ଲୋକସଭାର କାର୍ଯ୍ୟକାଳ ୧୬ ଜୁନ୍ ୨୦୨୪ରେ ଶେଷ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ନୂତନ ଲୋକସଭା ଗଠନ କରିବାକୁ ପଡିବ। ୨୦୧୯ ମସିହାରେ ମାର୍ଚ୍ଚ ୧୦ ରେ ସାଧାରଣ ନିର୍ବାଚନର ତାରିଖ ଘୋଷଣା କରାଯାଇଥିଲା ଏବଂ ତା’ପରେ ସାତୋଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୧ ଏପ୍ରିଲରୁ ମତଦାନ ଆରମ୍ଭ ହୋଇଥିବାବେଳେ ଫଳାଫଳ ୨୩ ମଇରେ ଆସିଥିଲା ​​।

 

Comments are closed.