କ’ଣ ଏହି ନିର୍ବାଚନୀ ଇଙ୍କ୍? କାହିଁକି ଲିଭାଇଲେ ଲିଭେନାହିଁ, ଚଳିତବର୍ଷ କେତେ ପରିମାଣରେ ସମଗ୍ର ଦେଶକୁ ପଠାଯାଇଛି ପଢନ୍ତୁ…
ନୂଆଦିଲ୍ଲୀ: ଏପ୍ରିଲ ୧୯ ରେ ଭାରତର ୧୦୨ ଲୋକସଭା ଆସନ ପାଇଁ ଭୋଟ ପଡିବ । ଏହି ନିର୍ବାଚନ ପାଇଁ ସମଗ୍ର ଦେଶ ପ୍ରସ୍ତୁତ । ଏଥର କାହାର ହାତକୁ କ୍ଷମତା ଆସିବ ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଭୋଟ୍ ସମୟରେ ଯେପରି କୌଣସି ବିଶୃଙ୍ଖଳା ପରିସ୍ଥିତି ନସୃଷ୍ଟି ହୁଏ ସେନେଇ ଅନେକ ବ୍ୟବସ୍ଥା କରାଯାଉଛି । ତେବେ ଭୋଟ୍ ଦେବା ସମୟରେ ଆଙ୍ଗୁଠିରେ ଲଗାଯାଉଥିବା ଇଙ୍କ୍ ବା କାଳି ବୋତଲ ମଧ୍ୟ ଯୋଗାଇ ଦିଆଯାଇଛି ।
ନିର୍ବାଚନୀ ଇଙ୍କ୍ ଉତ୍ପାଦନ କରୁଥିବା ଏକମାତ୍ର କମ୍ପାନୀ ମୈସୁର ପେଣ୍ଟସ୍ ଆଣ୍ଡ ବର୍ନିଶ୍ ଲିମିଟେଡ୍ (ଏମପିଭିଏଲ) କହିଛି ଯେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ୨୬.୫୫ ଲକ୍ଷ ଇଙ୍କ ବୋତଲ ବିତରଣ କରାଯାଇଛି । ସେଗୁଡିକର ମୂଲ୍ୟ ୫୫ କୋଟି ଟଙ୍କା ହେବ ।
କମ୍ପାନୀ କହିଛି ଯେ, ୨୦୧୯ ନିର୍ବାଚନରେ ପ୍ରାୟ ୩୩ କୋଟି ଟଙ୍କା ମୂଲ୍ୟର ୨୬ ଲକ୍ଷ ଇଙ୍କ୍ ବୋତଲ ବ୍ୟବହାର କରାଯାଇଥିଲା । ତେବେ ଗତଥର ଅପେକ୍ଷା ଚଳିତଥର ୨.୨ ଅଧିକ ବୋତଲ ଯୋଗାଇ ଦିଆଯାଇଛି । କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ଇରଫାନ୍ ସମ୍ବାଦ ଏଜେନ୍ସିକୁ କହିଛନ୍ତି ଯେ, ଉତ୍ତରପ୍ରଦେଶକୁ ସର୍ବାଧିକ ୩.୫୮ ଲକ୍ଷ ଇଙ୍କ୍ ବୋତଲ ପଠାଯାଇଛି । ସେହିପରି ଅତି କମରେ ମାତ୍ର ୧୧୦ ଟି ଇଙ୍କ୍ ବୋତଲ ଲାକ୍ଷାଦ୍ୱୀପକୁ ପଠାଯାଇଛି ।
ଉତ୍ତରପ୍ରଦେଶ ପରେ ମହାରାଷ୍ଟ୍ରକୁ ସର୍ବାଧିକ ୨.୬୮ ଲକ୍ଷ ଇଙ୍କ୍ ବୋତଲ ପଠାଯାଇଛି । ଏହା ପରେ ପଶ୍ଚିମବଙ୍ଗକୁ ୨ ଲକ୍ଷ, ବିହାରକୁ ୧.୯୩ ଲକ୍ଷ, ତାମିଲନାଡୁକୁ ୧.୭୫ ଲକ୍ଷ, ମଧ୍ୟପ୍ରଦେଶକୁ ୧.୫୨ ଲକ୍ଷ, ତେଲେଙ୍ଗାନାକୁ ୧.୫୦ ଲକ୍ଷ, କର୍ଣ୍ଣାଟକକୁ ୧.୩୦ ଲକ୍ଷ, ରାଜସ୍ଥାନକୁ ୧.୩୦ ଲକ୍ଷ ଏବଂ ଆନ୍ଧ୍ରପ୍ରଦେଶକୁ ୧.୧୬ ଲକ୍ଷ ପଠାଯାଥିବାବେଳେ, ଗୁଜୁରାଟକୁ ୧.୧୩ ଲକ୍ଷ ଇଙ୍କ୍ ବୋତଲ ପଠାଯାଇଛି ।
ଗୋଟିଏ ବୋତଲ ଇଙ୍କ୍ ୧୦ ଏମଏଲ ର ହୋଇଥାଏ । ଗୋଟିଏ ବୋତଲ ଇଙ୍କ୍ ପ୍ରାୟ ୭୦୦ ଲୋକଙ୍କ ଆଙ୍ଗୁଠିରେ ଲଗାଯାଇପାରିବ । ଏକ ମତଦାନ ବୁଥରେ ପାଖାପାଖି ୧୫ ଶହ ଭୋଟର ଥାନ୍ତି । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଏଥର ସାରା ଦେଶରେ ୧୨ ଲକ୍ଷରୁ ଅଧିକ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି ।
ନିର୍ବାଚନରେ ବ୍ୟବହୃତ ଏହି ଇଙ୍କ୍ କେବଳ ଭାରତରେ ନୁହେଁ ବିଶ୍ବର ଅନେକ ଦେଶରେ ମଧ୍ୟ ବ୍ୟବହୃତ ହୁଏ । କମ୍ପାନୀର ଏମଡି ଇରଫାନ କହିଛନ୍ତି ଯେ, ଲିଭୁନଥିବା ଏହି ଇଙ୍କ୍ କାନାଡା, ଘାନା, ନାଇଜେରିଆ, ମଙ୍ଗୋଲିଆ, ମାଲେସିଆ, ନେପାଳ, ଦକ୍ଷିଣ ଆଫ୍ରିକା ଏବଂ ମାଳଦ୍ୱୀପ ସମେତ ୨୫ ରୁ ଅଧିକ ଦେଶକୁ ରପ୍ତାନି ହେଉଛି ।
ତେବେ ଏହି ଦେଶ ମାନଙ୍କରେ ଇଙ୍କ୍ ଲଗାଇବାର ପଦ୍ଧତି ଭିନ୍ନ ଅଟେ । ଉଦାହରଣ ସ୍ୱରୂପ, କମ୍ବୋଡିଆ ଏବଂ ମାଳଦ୍ୱୀପରେ ଭୋଟରଙ୍କୁ ତାଙ୍କ ଆଙ୍ଗୁଠିକୁ ଇଙ୍କ୍ ରେ ବୁଡ଼ାଇବାକୁ ପଡିଥାଏ । ବୁର୍କିନା ଫାସୋରେ ଏହାକୁ ଏକ ବ୍ରଶ୍ ସହିତ ଲଗାଯାଇଥାଏ । ସେହିପରି ତୁର୍କୀରେ ଇଙ୍କ୍ ଭୋଟରଙ୍କ ପାଇଁ ଏକ ନୋଜଲ ମାଧ୍ୟମରେ ପ୍ରୟୋଗ କରାଯାଏ ।
କେବେଠାରୁ ବ୍ୟବହାର ହେଉଛି ଏହି ଇଙ୍କ୍?
୧୯୫୨ ମସିହାରେ ଭାରତରେ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେତେବେଳେ ଇଙ୍କ୍ ବ୍ୟବହାର କରାଯାଇନଥିଲା । ଏହାପରେ ୧୯୫୭ ନିର୍ବାଚନରେ ମଧ୍ୟ ଏହା ବ୍ୟବହୃତ ହୋଇନଥିଲା । ଏହା ପରେ, ଯେତେବେଳେ ନିର୍ବାଚନ ଆୟୋଗ ଅନ୍ୟ କାହା ସ୍ଥାନରେ ଭୋଟ୍ ଦେବା ଏବଂ ଦୁଇଥର ଭୋଟ୍ ଦେବାର ଅଭିଯୋଗ ଗ୍ରହଣ କଲେ, ଏହାର ସମାଧାନ ଖୋଜିବା ଆରମ୍ଭ ହେଲା । ଏହା ପରେ ନିର୍ବାଚନ ଆୟୋଗ ନ୍ୟାସନାଲ ଫିଜିକାଲ୍ ଲାବୋରେଟୋରୀ ଅଫ୍ ଇଣ୍ଡିଆ (ଏନପିଏଲ୍) କୁ ଏପରି ଇଙ୍କ୍ ତିଆରି କରିବାକୁ କହିଥିଲେ ଯାହା ପାଣି କିମ୍ବା କୌଣସି ରାସାୟନିକ ପଦାର୍ଥ ଦ୍ୱାରା ମଧ୍ୟ ଲିଭାଯାଇପାରିବ ନାହିଁ ।
ଏହା ପରେ, ଏନପିଏଲ୍ କର୍ଣ୍ଣାଟକର ମୈସୁର ପେଣ୍ଟସ୍ ଆଣ୍ଡ ବର୍ନିଶ୍ ଲିମିଟେଡ୍ କମ୍ପାନୀକୁ ଏହି ଇଙ୍କ୍ ତିଆରି କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏହି କମ୍ପାନୀ ୧୯୩୭ ମସିହାରେ ମୈସୁରର ମହାରାଜା କୃଷ୍ଣରାଜ ୱାଡିୟାର୍ ଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ସ୍ବାଧୀନତା ପରେ ଏହି କମ୍ପାନୀକୁ କର୍ଣ୍ଣାଟକ ସରକାର ଅଧିଗ୍ରହଣ କରିଥିଲେ । ୧୯୬୨ ନିର୍ବାଚନରେ ପ୍ରଥମ ଥର ପାଇଁ ଏହି ଇଙ୍କ୍ ର ବ୍ୟବହାର କରାଯାଇଥିଲା । ଭାରତୀୟ ନିର୍ବାଚନରେ ଏହି ଇଙ୍କ୍ ବ୍ୟବହାର ପାଇଁ ଶ୍ରେୟ ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର ସୁକୁମାର ସେନଙ୍କୁ ଦିଆଯାଇଛି । ୧୯୬୨ ପରଠାରୁ ପ୍ରତ୍ୟେକ ନିର୍ବାଚନରେ ଏହି ଇଙ୍କ୍ ବ୍ୟବହୃତ ହୁଏ ।
କାହିଁକି ଲିଭେ ନାହିଁ ଏହି ଇଙ୍କ୍?
ଏହି ଇଙ୍କ୍ ତିଆରି କରିବା ପାଇଁ ସିଲଭର ନାଇଟ୍ରେଟ୍ କେମିକଲ ବ୍ୟବହାର କରାଯାଏ । ସିଲଭର ନାଇଟ୍ରେଟ୍ ଏହି ଇଙ୍କ୍ କୁ ଫୋଟୋସେନସେଟିଭ ନେଚରରେ ବଦଳାଇଥାଏ । ଯେଉଁଥିପାଇଁ ସୂର୍ଯ୍ୟ କିରଣରେ ଏହା ଗାଢ ହୋଇଯାଏ । କେବଳ ଏତିକି ନୁହେଁ, ପାଣି ସଂସ୍ପର୍ଶରେ ଆସିଲେ ଏହା ଆହୁରି ଗାଢ ହୋଇଯାଏ । ଯେତେବେଳେ ଏହି ଇଙ୍କ୍ ଆଙ୍ଗୁଠିରେ ପ୍ରୟୋଗ କରାଯାଏ ଏହା ବାଦାମୀ ରଙ୍ଗର ହୋଇଥାଏ । କିଛି ସମୟ ମଧ୍ୟରେ ଏହା ଗାଢ ବାଇଗଣୀ ରଙ୍ଗରେ ବଦଳିଯାଏ ଏବଂ ତା’ପରେ ଏହା କଳା ହୋଇଯାଏ ।
ଯେତେବେଳେ ଏହି ଇଙ୍କ୍ ଆମ ଆଙ୍ଗୁଠିରେ ପ୍ରୟୋଗ କରାଯାଏ, ଏଥିରେ ଥିବା ସିଲଭର ନାଇଟ୍ରେଟ୍ ଆମ ଶରୀରରେ ଥିବା ଲୁଣ ସହିତ ମିଶି ସିଲଭର କ୍ଲୋରାଇଡ୍ ସୃଷ୍ଟି କରେ । ସିଲଭର କ୍ଲୋରାଇଡ୍ ଚର୍ମରେ ଲାଗିଯାଇଥାଏ ଏବଂ ପାଣି କିମ୍ବା ଅନ୍ୟ କୌଣସି ରାସାୟନିକ ପଦାର୍ଥ ଦ୍ୱାରା ମଧ୍ୟ ଏହା ଲିଭିନଥାଏ । ଏହି ଇଙ୍କ୍ ର ଚିହ୍ନ ଧୀରେ ଧୀରେ ଅଦୃଶ୍ୟ ହୁଏ ଯେତେବେଳେ ଚର୍ମ କୋଷଗୁଡ଼ିକ ପୁରୁଣା ହୋଇଯାଏ ଏବଂ ଖସିଯିବା ଆରମ୍ଭ କରେ । ଏହା ସମ୍ପୂର୍ଣ୍ଣ ଲିଭିବାକୁ ୧୫ ଦିନର ସମୟ ଲାଗିଥାଏ ।
Comments are closed.