Latest Odisha News

ନିର୍ବାଚନ ୨୦୧୯: ବଦ୍ରୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ନିରଞ୍ଜନ, ୨ଟି ଆସନରୁ ଲଢିପାରନ୍ତି

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଘସିପୁରା ବିଧାନସଭା ଆସନରୁ ବିଧାୟକ ତଥା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ତାଙ୍କ ସହ ନିର୍ବାଚନ ଲଢିବାକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶା କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ ତାଙ୍କର ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ବଦ୍ରୀଙ୍କ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ।

ମନ୍ତ୍ରୀ ବଦ୍ରିନାରାୟଣଙ୍କ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରିବା ସହିତ ନିରଞ୍ଜନ ମଧ୍ୟ ଏକ ୨ୟ ଆସନରୁ ନିର୍ବାଚନରେ ଅବତୀର୍ଣ୍ଣ ହେବାକୁ ଯୋଜନା ପ୍ରସ୍ତୁତ କରିସାରିଛନ୍ତି ।

ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରତିକାନ୍ତ ପ୍ରଧାନ ଶନିବାର ସକାଳେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି, ଓଡ଼ିଶା କଂଗ୍ରେସ ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଘସିପୁରା ଆସନରୁ ଚିରାଚରିତ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ମନ୍ତ୍ରୀ ତଥା ବିଧାୟକ ବଦ୍ରୀ ନାରାୟଣ ପାତ୍ରଙ୍କ ସହିତ ଦଳ ପକ୍ଷରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ ।

ଏପରିକି ନିରଞ୍ଜନ ଉଭୟ ଘସିପୁରା ଏବଂ ଭଦ୍ରକର ଭଣ୍ଡାରୀପୋଖରୀ ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିପାରନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ପରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ନିରଞ୍ଜନ କହିଛନ୍ତି, ଯଦି ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅନୁମତି ପ୍ରଦାନ କରନ୍ତି ତେବେ ସେ ଉଭୟ ଘସିପୁରା ଏବଂ ଭଦ୍ରକର ଭଣ୍ଡାରୀପୋଖରୀ ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବା ନିଶ୍ଚିତ ।

ସେ ଏସମ୍ପର୍କରେ ଏଆଇସିସିକୁ ଅନୁରୋଧ ମଧ୍ୟ କରିସାରିଛନ୍ତି ବୋଲି କହିଛନ୍ତି ନିରଞ୍ଜନ । “ଲୋକଙ୍କୁ ମାରିବା ବା ନିର୍ବାଚନ ମଣ୍ଡଳୀରେ ଆତଙ୍କରାଜ କରିବା ପରି କାଇଦା-କୌଶଳ ମୋ ପାଖରେ ନାହିଁ, କିନ୍ତୁ ଘସିପୁରା ବିଧାୟକଙ୍କୁ ଏହିସବୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଲକ୍ଷ୍ୟ କରାଯାଇଛି । କିନ୍ତୁ ତାଙ୍କ ବିରୋଧରେ ନିର୍ବାଚନ ଲଢିବା ମୋ ପାଖରେ ସତସାହସ ରହିଛି । ” ବଦ୍ରୀ ଗୁରୁବାର ଦିନ ନିରଞ୍ଜନଙ୍କ ବିରୋଧରେ ଘସିପୁରା ଆସନରେ ନିର୍ବାଚନ ଲଢିବାକୁ କଡ଼ା ଆହ୍ୱାନ ଦେଇଥିଲେ । ବଦ୍ରୀ ନିରଞ୍ଜନଙ୍କୁ କଟାକ୍ଷ କରି କହିଥିଲେ, “ନିରଞ୍ଜନ ପଟ୍ଟନାୟକ କିଏ ବୋଲି ପଚାରିଲେ, କେନ୍ଦୁଝର ଜିଲ୍ଲାବାସୀ କହିପାରିବେ ନାହିଁ । ସେ କହିପାରିବେକି, ସେ ଏହି ଜିଲ୍ଲା ଲାଗି କ’ଣ କାମ କରିଛନ୍ତି ।” ବୋଲି ବିଧାୟକ ବଦ୍ରୀ ନାରାୟଣ ପାତ୍ର କହିଥିଲେ ।

ତେବେ ନିରଞ୍ଜନଙ୍କୁ ଜବାବ ଦେବାକୁ ଯାଇ ତାଙ୍କର ପୁରୁଣା ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବଦ୍ରୀ ନାରାୟଣ ପାତ୍ର କହିଛନ୍ତି, ଏହି ନିର୍ବାଚନ ମଣ୍ଡଳୀର ଜନସାଧାରଣ ବିଗତ ୧୦ ବର୍ଷ ଧରି ତାଙ୍କୁ ଦେଖିନାହାନ୍ତି । କଂଗ୍ରେସ ଏଠାରେ ପ୍ରଭାବଶୂନ୍ୟ ।

Leave A Reply

Your email address will not be published.