Latest Odisha News

ପାଖଉଛି ନିର୍ବାଚନ, ବଢୁଛି ଧର୍ମେନ୍ଦ୍ରଙ୍କ ଦ୍ବନ୍ଦ୍ବ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତକି ପାଖେଇ ଆସୁଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଦ୍ବନ୍ଦ ସେତିକି ବଢ଼ିବାରେ ଲାଗିଛି। ବିହାର ପରେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ବିଜେପିର ଏହି ଶୀର୍ଷ ନେତା ଚଳିତଥର ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ଏବେ ସେ ଯେଉଁ ପ୍ରମୁଖ ଦ୍ୱନ୍ଦ୍ୱର ସମ୍ମୁଖୀନ ହେଉଛନ୍ତି, ତାହା ହେଲା ଜାତୀୟ ରାଜନୀତି ନା ରାଜ୍ୟ ରାଜନୀତିରେ ସକ୍ରିୟ ରହିବେ। ସେ ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ଲଢ଼ିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଆଉ ଏକ ପ୍ରଶ୍ନ ହେଉଛି ତାଙ୍କ ପତ୍ନୀ ମୃଦୁଳା ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇବେ କି ବୋଲି ପ୍ରଶ୍ନ ଉଠିଛି। ବିଭିନ୍ନ ସାମଜିକ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ପତ୍ନୀ ଯୋଡ଼ି ହେବା ଏବଂ ବିଭିନ୍ନ ଜିଲ୍ଲାରେ ଡେରା ପକାଇଥିବା ନେଇ ଦେଖିବା ପରେ ଏହି ଚର୍ଚ୍ଚା ବଢ଼ିଛି।

୨୦୦୦ ମସିହାରେ ଧର୍ମେନ୍ଦ୍ର ପାଲଲହଡ଼ାରୁ ବିଧାନସଭାକୁ ଏବଂ ୨୦୦୪ରେ ଦେବଗଡ଼ରୁ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ସେତେବେଳେ ବିଜେପି ଓ ବିଜେଡି ଗୋଟିଏ ନାର ନାଉରୀ ଥିଲେ। ହେଲେ ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ଧର୍ମେନ୍ଦ୍ର ହାରିଥିଲେ ପରେ ୨୦୧୪ ଓ ୨୦୧୯ରେ ପ୍ରତ୍ୟକ୍ଷ ନିର୍ବାଚନରେ ଭାଗ ନେଇ ନାହାନ୍ତି। ଆଉ ଏବେର ରାଜନୈତିକ ବାସ୍ତବତା ବହୁତ ଭିନ୍ନ ରହିଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ବ୍ୟାନରରେ ସାମାଜିକ କାର୍ଯ୍ୟ କରୁଥିବା ଧର୍ମେନ୍ଦ୍ରଙ୍କ ପତ୍ନୀ ଗତ ସପ୍ତାହରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ବାହାରକୁ ଯାଇ ସମ୍ବଲପୁର ସଂସଦୀୟ କ୍ଷେତ୍ରକୁ ପ୍ରବେଶ କରିଛନ୍ତି। ଏହା ବୋଧହୁଏ ଶାସକ ଦଳ ବିଜେଡିକୁ ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁରରେ ଦଳର ସଙ୍ଗଠନ ସମ୍ପାଦକ ତଥା ଦଳର ଦ୍ବିତୀୟ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ସକ୍ରିୟ ହେବାକୁ ପ୍ରେରିତ କରିଛି। କାରଣ ପ୍ରଣବ ଏବେ କେନ୍ଦୁଝର ସହ ତିନି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି।

ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଥିବା ଧର୍ମେନ୍ଦ୍ର ଓଡ଼ିଶାର ଏକ ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ରାଜ୍ୟ ବିଜେପିର ଅନ୍ଦର ମହଲରେ ଚର୍ଚ୍ଚା ହେଉଛି। ନିଜ ଜନ୍ମମାଟି ବୋଲି ବିଚାର କରି ଢେଙ୍କାନାଳ ତାଙ୍କର ପ୍ରଥମ ପସନ୍ଦ ହୋଇପାରୁଥିବା ବେଳେ ସମ୍ବଲପୁରକୁ ବିକଳ୍ପ ଭାବେ ବାଛୁଥିବା କୁହାଯାଉଛି। ଯଦିଓ ଢେଙ୍କାନାଳ ଓ ଅନୁଗୁଳ ସହିତ ଧର୍ମେନ୍ଦ୍ରଙ୍କର ବ୍ୟକ୍ତିଗତ ସମ୍ପର୍କ ଭଲ ରହିଛି ବା ବିଭିନ୍ନ ସମୟରେ ସକ୍ରିୟ ରହିଥିବା କୁହାଯାଏ। ତଥାପି ଏହି ଅଞ୍ଚଳରେ ବିଜେଡିର ଭୋଟ୍ ବ୍ୟାଙ୍କ ଅଧିକ ରହିଛି।

୨୦୧୯ରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ବିଜେଡିର ମହେଶ ସାହୁ ନିର୍ବାଚିତ ହୋଇଥିବା ବେଳେ  ୭ଟି ଯାକ ବିଧାନସଭା ଆସନ ବିଜେଡି ହାତରେ ରହିଛି। ଏହାକୁ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ସହ ତୁଳନା କଲେ ୭ଟି ବିଧାନସଭା ଆସନ ମଧ୍ୟରୁ ତିନୋଟିରେ ବିଜେପି ଜିତିଥିଲା। ଆଉ ସାଂସଦ ଭାବେ ନିତେଶ ଗଙ୍ଗଦେବ ଜିତିଥିଲେ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସମ୍ବଲପୁର ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି।

ଏଭଳି ସ୍ଥିତିରେ ଧର୍ମେନ୍ଦ୍ର ନିଜ ନିର୍ବାଚନ ମଣ୍ଡଳୀ ବାଛିବା ତାଙ୍କ ପାଇଁ ଅଡ଼ୁଆ ସାବ୍ୟସ୍ତ ହୋଇପାରେ। ଢେଙ୍କାନାଳରେ ସେ ଯଦି ଅଣ୍ଟା ଭିଡ଼ନ୍ତି ତେବେ ତାଙ୍କୁ ଆହୁରି କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯଦି ସେ ସମ୍ବଲପୁରକୁ ଯାଆନ୍ତି, ତେବେ ଏହା ବାର୍ତ୍ତା ଦେଇ ପାରେ ଯେ ଢେଙ୍କାନାଳ ଭୋଟର ଉପରେ ତାଙ୍କର ଆତ୍ମବିଶ୍ୱାସ ନାହିଁ। ଏବଂ କେନ୍ଦ୍ରରେ ମନ୍ତ୍ରୀ ହେବା ପରେ  ‘ଢେଙ୍କାନାଳର ପୁଅ’ ଭାବେ ଯେଉଁ ଭାବମୂର୍ତ୍ତି ତିଆରି ହୋଇଛି ସେଥିରେ ଆଘାତ ଲାଗିପାରେ।

ଧର୍ମେନ୍ଦ୍ରଙ୍କ ପାଇଁ ଆହୁରି ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇପାରେ କେନ୍ଦ୍ର ସରକାର ସହ ଜାତୀୟସ୍ତରରେ ବିଜେପି ଦାୟିତ୍ୱ ଓ ଓଡ଼ିଶାରେ ତାଙ୍କର ଆଶା ଆକଂକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବା। ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ତଥା ଦଳର କ୍ରାଇସିସ ମ୍ୟାନେଜର ଭାବେ ଧର୍ମେନ୍ଦ୍ରଙ୍କର ମୋଦୀ ସରକାରରେ ଗୋଟିଏ ସମ୍ମାନ ରହିଛି।

ରାଜ୍ୟରେ କ୍ଷେତ୍ରୀୟ ପ୍ରଭାରୀ ଭାବେ ସୁନୀଲ ବଂଶଲ ନିଯୁକ୍ତ ହେବା ପରେ ଗତ କିଛି ମାସ ମଧ୍ୟରେ ବିଜେପି ସକ୍ରିୟ ହୋଇଛି। ଏହାପରେ ମନମୋହନ ସାମଲ ଅପ୍ରତ୍ୟାଶିତ ଭାବେ ମାର୍ଚ୍ଚ ମାସରେ ରାଜ୍ୟ ଶାଖାର ସଭାପତି ହୋଇଛନ୍ତି। ଦଳ ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ମଧ୍ୟ ଆଶା ରଖିଛି।

ଅନ୍ୟପଟେ ଏହିକ୍ରମରେ ପାଲଲହଡ଼ା କିମ୍ବା ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମୃଦୁଳା ପ୍ରାର୍ଥୀ ହେବା ନେଇ ମଧ୍ଯ ଚର୍ଚ୍ଚା ବଢ଼ିଛି। ଏକ ରାଜନୈତିକ ପରିବାରରୁ ଆସିଥିବା ତଥା ଛାତ୍ର ରାଜନୀତିରେ ଏବିଭିପିର ନେତ୍ରୀ ଭାବେ ଅଭିଜ୍ଞତା ଥିବା ମୃଦୁଳା ରାଜନୀତିର ଗଣିତ ତାଙ୍କୁ କିଛି ଅଛପା ନୁହଁ। ଏଭଳି ପରିସ୍ଥିତିରେ ସ୍ବାମୀଙ୍କୁ ଲୋକସଭା ଆସନରେ ଜିତାଇବାକୁ ଇଚ୍ଛା ରଖି ଆବଶ୍ୟକ ପଡ଼ିଲେ ସେ ମଧ୍ୟ କୈଣସି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି। ହେଲେ ଏହିସବୁ ନିଷ୍ପତ୍ତି ଧର୍ମେନ୍ଦ୍ରଙ୍କ ହାତରେ ରହିଛି। ତେଣୁ ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ‘ଯଦି’ ଓ ‘କିନ୍ତୁ’ର ସମାଧାନ କରିବା ଧର୍ମେନ୍ଦ୍ରଙ୍କ ପାଇଁ ଚ୍ଯାଲେଞ୍ଜ ହୋଇଛି।

Leave A Reply

Your email address will not be published.