ପ୍ରିୟମ୍ବଦା ସାମଲ
ଅସ୍ତଗାମୀ ଯେବେ ହୁଏ ଅଂଶୁମାଳୀ
ସ୍ୱର୍ଣ୍ଣିମ ରେଣୁ ବିଞ୍ଚିଣ
ଅମ୍ବରେ ହସଇ ତାରା ଫୁଲ କେତେ
ଚନ୍ଦ୍ରମା ବୁଣେ କିରଣ।
କଳମେଘୀ ପାଟ ପିନ୍ଧି ନିଶାଦେବୀ
ଆସନ୍ତି ଗାଆଁକୁ ମୋର
ପ୍ରତି ବୃନ୍ଦାବତୀ ମୂଳରେ ଜଳଇ
ଘୃତ ଦୀପ ସଳିତାର।
ମୃଦଙ୍ଗ ଘଣ୍ଟା ଘଣ୍ଟି ଶବ୍ଦ ତରଙ୍ଗ
ଭଜନ କୀର୍ତ୍ତନ ସ୍ୱର
ପବିତ୍ର ସଞ୍ଜରେ ହସି ଉଠେ ଗାଆଁ
ନୈବେଦ୍ୟ ବାସ୍ନା ଧୂପର।
ଗୃହେ ଗୃହେ ଶୁଭେ ମଙ୍ଗଳ ଆଳତି
ଶିଶୁ ବସଇ ପଠନେ
ଗାଈ ଗୋରୁଙ୍କର ହମ୍ବା ରଡ଼ି ଶୁଭେ
ଗୃହାଭିମୁଖୀ ବିଶ୍ରାମେ।
ବିହଙ୍ଗ ଫେରନ୍ତି ସହାସ୍ୟେ ନୀଡ଼କୁ
କରି ମଧୁର କୂଜନ
ବୃଦ୍ଧ ବୃଦ୍ଧା ବସି ବାର୍ତ୍ତାଳାପେ ରତ
ଗୃହିଣୀ ଖାଦ୍ୟ ପାଚନ।
ପର୍ବ ପର୍ବାଣୀରେ ଗାଆଁର ସଞ୍ଜରେ
ପିଲାଙ୍କର ନାନା ଖେଳ
ଆନନ୍ଦ ଉଲ୍ଲାସ ଲହରୀ ଖେଳଇ
ମନ ହୋଇଯାଏ ଭୋଳ।
ଭୁବନେଶ୍ୱର