Latest Odisha News

ଝାରସୁଗୁଡ଼ା: ଫ୍ୟୁଜ୍ ବାନ୍ଧିବାବେଳେ ବିଦ୍ୟୁତାଘାତରେ ଇଲେକ୍ଟ୍ରିସିଆନଙ୍କ ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଟ୍ରାନ୍ସଫର୍ମରରେ ଫ୍ୟୁଜ୍ ବାନ୍ଧିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଇଲେକ୍ଟ୍ରିସିଆନଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ନାମ କାହ୍ନୁ ଚରଣ ସାହୁ (୩୦) ଏବଂ ସେ ବୋଲି ଠିକାରେ କାମ କରୁଥିବାବେଳେ ତାଙ୍କ ଘର ଛତିଶଗଡ଼ ସରିଆ ଅଞ୍ଚଳରେ ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ରେଙ୍ଗାଲି ଗ୍ରାମରେ ଥିବା ଏକ ଟ୍ରାନ୍ସଫର୍ମରରେ ଫ୍ୟୁଜ କଟିଯାଇଥିଲା ଏବଂ ଏନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଫ୍ୟୁଜ୍ ବାନ୍ଧିବା ପାଇଁ କାହ୍ନୁ ଯାଇଥିଲେ । ଟ୍ରାନ୍ସଫର୍ମରରେ ଫ୍ୟୁଜ ଠିକ୍ କରୁଥିବାବେଳେ କୌଣସି କାରଣବଶତଃ ହଠାତ୍ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା ଏବଂ ଅଚାନକ ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଥିଲା ।

ଅନ୍ୟପକ୍ଷରେ ଫ୍ୟୁଜ୍ ବାନ୍ଧିବା ପୂର୍ବରୁ ସେ ଏନେଇ ପଞ୍ଚଗାଁ ସବଷ୍ଟେସନ୍ ଅଫିସରେ ଅବଗତ କରିଥିଲେ । ଦୁର୍ଭାଗ୍ୟବଶତଃ କେହି ବ୍ୟକ୍ତି ଟ୍ରାନ୍ସଫର୍ମରରେ ବିଦ୍ୟୁତ୍ ସଂଯୋଗ କରିଦେଇଥିଲେ ଫଳରେ ଏହି ଅଘଟଣ ଘଟିଥିବା ନେଇ ସୂଚନା ମିଳିଛି ।

ତେବେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଗ୍ରାମରେ ଚାପା ଉତ୍ତେଜନା ସୃଷ୍ଟି ହେବାସହ କ୍ଷତିପୂରଣ ଦାବି କରି ଗ୍ରାମବାସୀ ରାସ୍ତା ଅବରୋଧ କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.