Latest Odisha News

BREAKING NEWS

କେନ୍ଦ୍ରାପଡ଼ା: ଯୌତୁକ ଲାଗି ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ ଶାଶୁ ଓ ନଣନ୍ଦ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବାଲିଶୁଆ ଗ୍ରାମରେ ଶାଶୁଘର ଲୋକେ ଜଣେ ମହିଳାଙ୍କୁ ଜୀବନ୍ତ ଜାଳିଦେଇଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ଏହି ଘଟଣାରେ ପୀଡ଼ିତା ଭାରତୀ ସ୍ୱାଇଁ ନାମକ ଜଣେ ମହିଳାଙ୍କ ଶରୀରର ପ୍ରାୟ ୮୦ ଭାଗ ଜଳି ଯାଇଥିବା ସୂଚନା ମିଳିଛି । ତାଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ଡ଼ାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବି ମେଡ଼ିକାଲକୁ ଅଧିକ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଛି ।

ଏବେ ନିଆଁରେ ପୋଡ଼ି ଯାଇଥିବା ମହିଳା ଜଣକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ କଟକ ଏସସିବି ମେଡ଼ିକାଲରେ ଚିକିତ୍ସାଧିନ ରହିଛନ୍ତି ।

ଏଠାରେ ଉଲ୍ଲେଖ୍ୟ, ପୀଡ଼ିତା ମହିଳା ଜଣକ ତାଙ୍କର ମୃତ୍ୟୁକାଳୀନ ବୟାନରେ ତାଙ୍କ ଶାଶୁ ଏବଂ ଅନ୍ୟ ତିନିଜଣ ନଣନ୍ଦଙ୍କ ନାମ କହିଛନ୍ତି ।

ସେ କହିଛନ୍ତି, ସ୍ୱାମୀ ଏବଂ ଶ୍ୱଶୁର ଘରେ ଅନୁପସ୍ଥିତ ଥିବା ସମୟରେ ସେମାନେ ତାଙ୍କ ଦୁଇ ହାତକୁ ବାନ୍ଧି ପାଟିରେ କପଡ଼ା ବିଣ୍ଡା ଦେବାପରେ କିରୋସିନ୍ ଢାଳି ନିଆଁ ଲଗାଇଦେଇଥିଲେ ।

ଏହି ଘଟଣାରେ ମଧ୍ୟ ୨ଟି ଘର ଜଳିଯାଇଥିବାର ସୂଚନା ମିଳିଛି ।

ପୀଡ଼ିତା ମହିଳାଙ୍କ ପରିବାର ଲୋକମାନେ ପୂର୍ବରୁ ତାଙ୍କୁ ଯୌତୁକ ଜନିତ ନିର୍ଯ୍ୟାତନା ଦିଆଯାଉଥିବାର ଅଭିଯୋଗ କରିଛନ୍ତି ।

ପୋଲିସ ଏସମ୍ପର୍କରେ ଜାଣି ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ । ପୀଡ଼ିତାଙ୍କ ବୟାନ ଅନୁସାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

“ଏହି ଘଟଣାରେ ୨ଟି ମାମଲା ରୁଜୁ ହୋଇଛି, ଯୌତୁକ ଜନିତ ନିର୍ଯ୍ୟାତନା ଏବଂ ହତ୍ୟା ଉଦ୍ୟମ । ପୋଲିସ ସହିତ ସାଇଣ୍ଟିଫିକ୍ ଟିମ ମଧ୍ୟ ଏହି ଘଟଣାର ତଦନ୍ତ କରୁଛନ୍ତି,” ବୋଲି କହିଛନ୍ତି ମାର୍ଶାଘାଇ ଥାନାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ।

Leave A Reply

Your email address will not be published.