Latest Odisha News

BREAKING NEWS

ସରିଲା ଶୀତକାଳୀନ ହାତୀ ଗଣନା, ସନ୍ଧ୍ୟାରେ ଆସିବ ରିପୋର୍ଟ

ଭୁବନେଶ୍ବର: ରାଜ୍ୟରେ କେତେ ହାତୀ ଅଛନ୍ତି ଏହାକୁ ନେଇ ଶୀତକାଳୀନ ହାତୀ ଗଣନା ଶେଷ ହୋଇଛି । ରାଜ୍ୟର ୪୮ଟି ବନଖଣ୍ଡରେ ହାତୀ ଗଣନା ଚାଲିଥିଲା । ଚଳିତ ବର୍ଷ ପ୍ରଥମଥର ପାଇଁ ଡ୍ରୋନ ସାହାଯ୍ୟରେ ହାତୀ ଗଣନା କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ହାତୀ ଗଣନାର ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ ।

ସେ କହିଛନ୍ତି ଯେ, ବିଭିନ୍ନ ବନଖଣ୍ଡରୁ ଆସିଥିବା ରିପୋର୍ଟକୁ ତର୍ଜମା କରାଯାଉଛି । ଯେଭଳି କୌଣସି ହାତୀ ଦୁଇ ଥର ଲେଖେଁ ଗଣତି ନହୁଏ ସେଥିପାଇଁ ଫିଲ୍ଡ ଡାଟା ସହ ତାଳମେଳ କରାଯାଉଛି । ଜିପିଏସ୍‌ କୋର୍ଡିନେଟ ମାଧ୍ୟମରେ ହାତୀ ସଂଖ୍ୟା ନିର୍ଣ୍ଣୟ କରାଯାଉଛି ।

ଖରାଦିନେ ହୋଇଥିବା ଗଣନା ବେଳେ ଯେଉଁ ହାତୀଗୁଡ଼ିକ ଅଭୟାରଣ୍ୟ ଭିତରେ ଥିଲେ, ଏବେ ସେଗୁଡ଼ିକ ଜନବସତିମୁହାଁ ହୋଇଛନ୍ତି । ସେସବୁ ତଥ୍ୟ ଏକାଠି କରାଯାଉଛି । ଆଜି ସୁଦ୍ଧା ପ୍ରସ୍ତୁତ ହେବ ସମ୍ପୂର୍ଣ୍ଣ ରିପୋର୍ଟ ।

ତେବେ ହାତୀ ଗଣନା ପାଇଁ ଜିଲ୍ଲାର ୮ଜଣ ରେଞ୍ଜର, ଫରେଷ୍ଟ ଗାର୍ଡ, ଡେପୁଟି ରେଞ୍ଜର ଓ ଫରେଷ୍ଟର, ହାତୀ ସ୍କ୍ୱାଡ କର୍ମଚାରୀ, ଟ୍ରାକର ଆଦିଙ୍କୁ ନେଇ ୪୦୦ରୁ ଊର୍ଦ୍ଧ୍ବ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ଏଥିପାଇଁ ୪ଟି ରାତିଦୃଶ୍ୟ (ନାଇଟ୍‌ ଭିଜନ) ଡ୍ରୋନ ଲଗାଯାଇଥିଲା । ବାଇନାକୁଲାର ସହିତ ଲାଇଟ ଲାଗିଥିବା ସ୍ୱତନ୍ତ୍ର ଗାଡି ମଧ୍ୟ ବ୍ୟବସ୍ଥା ହୋଇଥିଲା । ଜିଲ୍ଲାରେ ୩୦୦ରୁ ଅଧିକ ହାତୀ ରହିଥିବା ବେଳେ କେବଳ ହିନ୍ଦୋଳ ରେଞ୍ଜରେ ୨୦୦ହାତୀ ଥିବା ଜଣାପଡ଼ିଛି ।

ସେ ଆହୁରି କହିଛନ୍ତି, ସଂପୂର୍ଣ୍ଣ ରିପୋର୍ଟ ଆସିବା ପରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ କେତେ ହାତୀ ଅଛନ୍ତି ଓ ଝାଡ଼ଖଣ୍ଡ, ଛତିଶଗଡ ଏବଂ ପଶ୍ଚିମବଙ୍ଗରୁ କେତେ ହାତୀ ରାଜ୍ୟକୁ ଆସିଛନ୍ତି ସେନେଇ ସଠିକ ତଥ୍ୟ ଆସିପାରିବ । ଗତଥର ଗଣନାରେ ୫୧ଟି ବନଖଣ୍ଡରେ ୨ହଜାର ୯୮ଟି ହାତୀ ଥିବା ଜଣାପଡ଼ିଥିଲା ।

Leave A Reply

Your email address will not be published.