Latest Odisha News

BREAKING NEWS

ବୋମା ଖାଇ ଦନ୍ତା ମୃତ

ଭୁବନେଶ୍ୱର: ଭରତପୁର ଜଙ୍ଗଲରେ ବୋମା ବିସ୍ଫୋରଣର ଶିକାର ହୋଇଥିବା ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଏହି ହାତୀ ଖୋର୍ଦ୍ଧା ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି । ଗତକାଲି ଭରତପୁର ଜଙ୍ଗଲରେ ବନ ବିଭାଗ କର୍ମଚାରୀ ଏହି ହାତୀକୁ ଠାବ କରିବା ପରେ OUAT ଓ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା ।

ତେବେ ମଧ୍ୟରାତ୍ରରେ ଦନ୍ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଚିକିତ୍ସାରେ ସାମିଲ ଡାକ୍ତରଙ୍କ କହିବା ଅନୁଯାୟୀ, ପ୍ରାୟ ୧୫ ଦିନ ତଳୁ ହାତୀଟି ବିସ୍ଫୋରଣର ଶିକାର ହୋଇଥିବା ଅନୁମାନ କରାଯାଉଛି । ବାରହା ଶିକାର ପାଇଁ ଶିକାରୀ ଖଞ୍ଜିଥିବା ବୋମା ଖାଇ ଦନ୍ତା ହାତୀଟି ବିସ୍ଫୋରଣର ଶିକାର ହୋଇଥିବା ଅନୁମାନ କରାଯାଉଛି । ବୋମା ବିସ୍ଫୋରଣରେ ହାତୀଟିର ଜିଭ ଛିଡ଼ିଯିବା ସହ ମାଢ଼ି ହାଡ଼ ଫାଟି ନଷ୍ଟ ହୋଇଯାଇଥିଲା । ଏନେଇ ବନ ବିଭାଗକୁ  ଯୋଗାଯୋଗ କରାଯାଇଥିଲା । ଡିଏଫଓଙ୍କ ସୂଚନା ପରେ, ଭରତପୁରରେ ପହଞ୍ଚିଥିଲା ଓୟୁଏଟି ଓ ନନ୍ଦନକାନନର ଡାକ୍ତରୀ ଦଳ । ଆହତ ହାତୀ ଗୁରୁତର ଅବସ୍ଥାରେ ପଡିଥିବା ଦେଖିଥିଲେ ଡାକ୍ତରୀ ଦଳ । ହାତୀର ପାଟି କଳା ପଡିବା ସହ ମାଢି ହାଡ ଭାଙ୍ଗି ଯାଇଥିଲା ବୋଲି କହିଛନ୍ତି ଓୟୁଏଟି ପ୍ରାଣୀ ଶଲ୍ୟ ବିଭାଗ ମୁଖ୍ୟ ପ୍ରଫେସର ଇନ୍ଦ୍ରମଣୀ ନାଥ ।

ହାତୀକୁ ଆଂଟିବାୟୋଟିକ ଦେବା ସହ ସାଲାଇନ ଲଗାଯାଇଥିଲା । ସାଲାଇନ ନେବା ପରେ ହାତୀଟି ଉଠିଥିଲା । କିନ୍ତୁ କିଛି ସମୟ ପରେ ହାତୀଟି ପଡିଗଲା ବୋଲି କହିଛନ୍ତି ଡାକ୍ତରୀ ଦଳ । ବିସ୍ଫୋରକ ସାମଗ୍ରୀ ଖାଇ ଦେବାରୁ ଏଭଳି ହୋଇଥାଇପାରେ ବୋଲି କହିଛନ୍ତି ଡାକ୍ତରୀ ଦଳ । ଏବେ ହାତୀଟିର ପୋଷ୍ଟମର୍ଟମ ଚାଲିଛି । ତେବେ ହାତୀ କେଉଁ ସ୍ଥାନରେ ବୋମା ଖାଇଛି, ଏଥିରେ କିଏ ସଂପୃକ୍ତ ଅଛନ୍ତି, ତାହାର ଅନୁସନ୍ଧାନ କରାଯିବ ବୋଲି କହିଲେ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।

 

Leave A Reply

Your email address will not be published.