କାଠମାଣ୍ଡୁ: ୧୪ ବର୍ଷ ହେଲାଣି, ଗୋଟିଏ ପରିବାର ପଛରେ ପଡିଛି ହାତୀ
ଘର ଛାଡିଲେ…ଗାଁ ବି ଛାଡିଲେ
କିନ୍ତୁ ପିଛା ଛାଡିଲାନି ହାତୀ
ନେପାଳର ଗୋଟିଏ ପରିବାରର କାହାଣୀ ଏବେ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ୧୪ ବର୍ଷ ହେଲାଣି ପରିବାର ପାଇଁ ଯମ ପାଲଟିଛି ଗୋଟିଏ ଜଙ୍ଗଲୀ ହାତୀ । ଗୋଟିଏ ପରିବାରର ୪ ଜଣଙ୍କ ଜୀବନ ନେଇଛି। ଜୀବନ ବଞ୍ଚାଇବାକୁ ଯାଇ ସେମାନେ ଗାଁ ବଦଳାଇଦେଲେ, ହେଲେ ମୃତ୍ୟୁ ସତେ ଯେପରି ସେମାନଙ୍କ ପଛ ଛାଡ଼ିନଥିଲା।
ଚିତୱାନ ନ୍ୟାସନାଲ ପାର୍କ ନିକଟସ୍ଥ ମାଡି ଅଞ୍ଚଳରେ ରହୁଥିବା ଶନିଚରା ବୋଟେଙ୍କ ପରିବାର ସହ ଏହି ଦୁଃଖଦ ଘଟଣାର ଆରମ୍ଭ ଡିସେମ୍ବର ୨୦୧୨ରେ ହୋଇଥିଲା। ସେତେବେଳେ ‘ଧୁର୍ବେ’ ନାମକ ଏକ ବେକାବୁ ଜଙ୍ଗଲୀ ହାତୀ ବୋଟେଙ୍କ ବାପା ଓ ମାଆଙ୍କୁ ଦଳି ହତ୍ୟା କରିଥିଲା। ଏହି ଘଟଣା ପରେ ଭୟଭୀତ ହୋଇ ଶନିଚରା ବୋଟେ ନିଜ ପରିବାରକୁ ନେଇ ରାପ୍ତି ନଦୀ ପାର କରି ପ୍ରାୟ ୯ ମାଇଲ୍ ଦୂରରେ ଥିବା ଜଗତପୁରକୁ ଚାଲିଯାଇଥିଲେ। ନୂଆ ଜାଗାରେ ପରିବାର ପୁଣି ଥରେ ସାଧାରଣ ଜୀବନ ଆରମ୍ଭ କରିଥିଲା। ସମସ୍ତଙ୍କୁ ଲାଗିଥିଲା ଯେ ବିପଦ ଏବେ ଟଳିଯାଇଛି। କିନ୍ତୁ ଜୁଲାଇ ୨୦୨୬ରେ ପୁଣି ସେହି ହାତୀ ଧୁର୍ବେ ଜଗତପୁରରେ ପହଞ୍ଚିଯାଇଥିଲା। ସତ ଯେପରି ହାତୀଟି ବିଗତ ଦିନମାନଙ୍କରେ ତାଙ୍କ ପରିବାରର ଠିକଣା ଖୋଜିବୁଲୁଥିଲା । ଆଉ ସିଧା ଶନିଚରାଙ୍କ ଘରେ ପଶି ତାଙ୍କ ୨୫ ବର୍ଷୀୟ ବୋହୂ ଓ ୪ ବର୍ଷର ନାତିକୁ ଦଳି ମାରିଦେଇଛି । ଯାହା ସମସ୍ତଙ୍କୁ ଚକିତ କରିଥିଲା ବେଳେ କାହିଁକି ହାତୀଟି ଏପରି କରୁଛି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି ।
ତେବେ ଚିତବନ୍ ଜାତୀୟ ଉଦ୍ୟାନ ଅଧିକାରୀମାନେ କହିଛନ୍ତି ଯେ, ‘ଧୁର୍ବେ’ ନେପାଳର ସବୁଠାରୁ ବିପଜ୍ଜନକ ଜଙ୍ଗଲୀ ହାତୀମାନଙ୍କ ମଧ୍ୟରୁ ଗୋଟିଏ। ୨୦୧୦ ମସିହାରୁ ଏହି ହାତୀ ଦ୍ୱାରା ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଧୁର୍ବେର ଏକ ୱିକିପିଡିଆ ପୃଷ୍ଠା ମଧ୍ୟ ଅଛି। ଯେଉଁଥିରେ ହାତୀ ବିଷୟରେ ସବୁକିଛି ତଥ୍ୟ ରହିଛି।
ତେବେ ହାତୀଟି ଶନିଚରାଙ୍କ ପରିବାର ଠାରୁ କେଉଁ ପ୍ରତିଶୋଧ ନେଉଛି, ସେନେଇ ଏପର୍ଯ୍ୟନ୍ତ କିଛି ବି ଜଣାପଡିନାହିଁ । ଏହି ଘଟଣା କେବଳ ଗୋଟିଏ ପରିବାରର ଦୁଃଖଦ କାହାଣୀ ନୁହେଁ, ବରଂ ବଢୁଥିବା ସହର, ଜଙ୍ଗଲ କ୍ଷୟ ଭିତରେ ମଣିଷ ଓ ବନ୍ୟଜନ୍ତୁ ମଧ୍ୟରେ ବଢ଼ୁଥିବା ସଂଘର୍ଷର ଏକ ଭୟଙ୍କର ଚିତ୍ର ବଖାଣୁଛି।