ନୂଆଦିଲ୍ଲୀ: ବଢିଚାଲିଛି ଟ୍ରମ୍ପ ମସ୍କଙ୍କ ତିକ୍ତତା । ଏବେ କଥା ଆମେରିକାରେ ନୂଆ ଦଳ ଗଢିବା ଯାଏଁ କଥା ପହଞ୍ଚିଲାଣି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ କୋଟିପତି ବ୍ୟବସାୟୀ ତଥା ଟେସଲା ମାଲିକ ଏଲୋନ ମସ୍କଙ୍କ ମଧ୍ୟରେ ଲଢ଼େଇ ଏବେ ଏକ ନୂତନ ରାଜନୈତିକ ଦଳ ଗଠନ ପର୍ଯ୍ୟନ୍ତ ପହଞ୍ଚିଛି । ଏଲୋନ ମସ୍କ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ଆମେରିକାରେ ଏକ ନୂତନ ରାଜନୈତିକ ଦଳ ଗଠନ କରିବା ବିଷୟରେ ଏକ ପୋଲ୍ ଜାରି କରିଛନ୍ତି ।
ଯେଉଁଥିରେ ମସ୍କ ଲେଖିଚନ୍ତି, ଆମେରିକାରେ ଏକ ନୂତନ ରାଜନୈତିକ ଦଳ ଗଠନ କରିବାର ସମୟ ଆସିଛି କି? ଯାହା ପ୍ରକୃତରେ ମଧ୍ୟବିତ୍ତ ବର୍ଗର ୮୦ ପ୍ରତିଶତ ପ୍ରତିନିଧିତ୍ୱ କରେ? । ଏଲୋନ ମସ୍କଙ୍କ ଏହି ପୋଷ୍ଟରେ ୪୮ ଲକ୍ଷରୁ ଅଧିକ ଲୋକ ଅନଲାଇନରେ ଭୋଟ ଦେଇଛନ୍ତି । ଏଥିମଧ୍ୟରୁ ୮୦.୦୮ ପ୍ରତିଶତ ଲୋକ ମସ୍କଙ୍କ ଏକ ନୂତନ ଦଳ ଗଠନ କରିବା ବିଷୟରେ ଟ୍ୱିଟ୍ ସହିତ ସହମତ । ସେହି ସମୟରେ, ୧୯.୨ ପ୍ରତିଶତ ଲୋକ ମସ୍କଙ୍କ ବକ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତେବେ ମସ୍କଙ୍କୁ ତାଙ୍କ ପ୍ରଶ୍ନରେ ଯେପରି ସମର୍ଥନ ମିଳିଛି, ତାହା ଟେସଲା ସିଇଓ ଏଲୋନ ମସ୍କଙ୍କ ମନୋବଳକୁ ଆହୁରି ବୃଦ୍ଧି କରିବ ।
Is it time to create a new political party in America that actually represents the 80% in the middle?
— Elon Musk (@elonmusk) June 5, 2025
ସେପଟେ ମସ୍କଙ୍କ ପୋଷ୍ଟ ଆମେରିକାରେ ଏକ ନୂତନ ରାଜନୈତିକ ଝଡ଼ ସୃଷ୍ଟି କରିଛି । ଏଲନ୍ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏଲୋନଙ୍କ ପୋଷ୍ଟ ଉପରେ ଏକ ଅନଲାଇନ୍ ମତାମତ ପୋଲ ଆରମ୍ଭ ହୋଇଛି। ଏହା ଆମେରିକାରେ ଏକ ନୂତନ ଏବଂ ବଡ଼ ରାଜନୈତିକ ଝଡ଼ ସୃଷ୍ଟି କରୁଥିବା ପରି ମନେ ହେଉଛି । ଏକ୍ସରେ ମସ୍କଙ୍କ ୨୦ କୋଟିରୁ ଅଧିକ ଅନୁଗାମୀ ଅଛନ୍ତି । ପୂର୍ବରୁ ମଧ୍ୟ ମସ୍କ, ଜଣେ ପ୍ରମୁଖ ରକ୍ଷଣଶୀଳ ଚିନ୍ତାନାୟକଙ୍କ ଉତ୍ତରରେ କହିଥିଲେ, ଡୋନାଲ୍ଡ ଟ୍ରମ୍ପ ଆଉ ମାତ୍ର ୩.୫ ବର୍ଷ ପାଇଁ ରାଷ୍ଟ୍ରପତି ପଦରେ ରହିବେ, କିନ୍ତୁ ମୁଁ ଏଠାରେ ୪୦ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ରହିବି, ଚିନ୍ତା କରିବାରେ କିଛି ଶକ୍ତି ଲଗାନ୍ତୁ ।
ତେବେ କହିରଖୁଚୁ, ଏଲନ୍ ମସ୍କ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଟ୍ରମ୍ପ ଓଭାଲ୍ ଅଫିସରେ ସାମ୍ବାଦିକମାନଙ୍କୁ କହିଥିଲେ, ମୁଁ ମସ୍କଙ୍କ ପ୍ରତି ନିରାଶ । ଟ୍ରମ୍ପ ଦାବି କରିଥିଲେ ଯେ ମସ୍କ କେବଳ ନିଜ ସ୍ୱାର୍ଥ ବିଷୟରେ ଚିନ୍ତା କରନ୍ତି ଏବଂ ପାଗଳ ହୋଇଯାଇଛନ୍ତି କାରଣ ତାଙ୍କର “ବିଗ୍ ବିୟୁଟିଫୁଲ୍ ବିଲ୍” ଇଲେକ୍ଟ୍ରିକ୍ ଯାନ ଟିକସ କ୍ରେଡିଟ୍ ହ୍ରାସ କରିଛି ଏବଂ ମସ୍କଙ୍କର ଆଉ ଓଭାଲ୍ ଅଫିସକୁ ସିଧାସଳଖ ପ୍ରବେଶ ନାହିଁ । ଟ୍ରମ୍ପଙ୍କ ସମସ୍ତ ଦାବିକୁ ବେଶ୍ କଡା ଜବାବ ଦେିଆସୁଛନ୍ତି ମସ୍କ । ଏହି ନିକଟରେ ଏକ ପୋଷ୍ଟରେ, ସେ ଏକ୍ସରେ ଦାବି କରିଥିଲେ ଯେ ଟ୍ରମ୍ପ ତାଙ୍କ ଯୋଗୁଁ ନିର୍ବାଚନ ଜିତିପାରିଛନ୍ତି। ଯଦି ସେ ସେଠାରେ ନଥାନ୍ତେ, ତେବେ ଟ୍ରମ୍ପଙ୍କ ପାଇଁ ଏହି ବିଜୟ ସମ୍ଭବ ହୋଇନଥାନ୍ତା । ସେ ଲେଖିଥିଲେ, ମୋ ବିନା, ଟ୍ରମ୍ପ ନିର୍ବାଚନ ହାରିଯାଇଥାନ୍ତେ, ଡେମୋକ୍ରାଟମାନେ ଗୃହ ଦଖଲ କରିଥାନ୍ତେ ଏବଂ ସେନେଟରେ ରିପବ୍ଲିକାନ୍ ସଂଖ୍ୟାଗରିଷ୍ଠତା ୫୧-୪୯ ହୋଇଥାନ୍ତା । ଯାହାର ଜବାବରେ ଟ୍ରମ୍ପ ପ୍ରଥମ ଥର ପାଇଁ ମସ୍କଙ୍କ ସହ ମତଭେଦକୁ ସାର୍ବଜନୀନ ଭାବରେ ସ୍ୱୀକାର କରିଥିଲେ ଏବଂ କହିଥିଲେ, ଏଲୋନ୍ ଏବଂ ମୋର ଏକ ଭଲ ସମ୍ପର୍କ ଥିଲା, ଏବେ ମୁଁ ଜାଣିନାହିଁ ଯେ ଏହା ସେହିପରି ରହିବ କି ନାହିଁ । ମୁଁ ଏଲୋନଙ୍କ ପ୍ରତି ବହୁତ ନିରାଶ। ମୁଁ ତାଙ୍କୁ ବହୁତ ସାହାଯ୍ୟ କରିଥିଲି।
ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ଏହି ରାଜନୈତିକ ବିବାଦ କେବଳ ଆମେରିକୀୟ ରାଜନୀତିରେ ନୁହେଁ ବରଂ ସାରା ବିଶ୍ୱରେ ଏକ ନୂଆ ବିତର୍କ ଆରମ୍ଭ କରିଛି। ଲୋକମାନେ ପଚାରୁଛନ୍ତି ଯେ ଏହି ଲଢ଼େଇରେ ଏକ ନୂତନ ରାଜନୈତିକ ଦଳର ଅଭ୍ୟୁଦୟ ସମ୍ଭବ କି ନାହିଁ ଏବଂ ଏହା ବିଦ୍ୟମାନ ଧ୍ରୁବୀକରଣକୁ ଭାଙ୍ଗିପାରିବ କି ନାହିଁ ।
Comments are closed.