Latest Odisha News

BREAKING NEWS

ଚିତ୍ର ଜଗତର ଏକ ନୂତନ ସମ୍ଭାବନା : ଯୁବଶିଳ୍ପୀ ରାକେଶ ପାତ୍ର

କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା 

ନିକଟରେ ମହମରେ କ୍ଷୁଦ୍ରତମ ବୁଦ୍ଧ ମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଯାଜପୁର ବ୍ଲକ ନାଥ ସାହିର ଯୁବଶିଳ୍ପୀ ରାକେଶ କୁମାର ପାତ୍ର । ନିଜର ଭିନ୍ନ ଚିନ୍ତା ଧାରା ଓ ତାଙ୍କ ଭିତରେ ଥିବା ଜନ୍ମଗତ କଳା ତାଙ୍କୁ ପ୍ରେରିତ କରିଥିଲା ନୂଆ କିଛି କରି ଦେଖାଇବା ପାଇଁ । ନିକଟରେ ସେ ମହମ ନିର୍ମିତ ଏକ କ୍ଷୁଦ୍ରତମ ବୁଦ୍ଧ ମୂର୍ତ୍ତି ତିଆରି କରିଛନ୍ତି । ଯାହାର ଉଚ୍ଚତା ମାତ୍ର ୩ ଦଶମିକ ୫ ସେଣ୍ଟିମିଟର । ଯବକାଚ ସହାଯ୍ୟ ନେଇ ମାତ୍ର ଗୋଟିଏ ଦିନ ମଧ୍ୟରେ ଏହି ମୂର୍ତ୍ତିଟି ଗଢିଥିଲେ ରାକେଶ । ଯାହାକି ତାଙ୍କୁ ଅନେକ ସୁନାମ ଆଣି ଦେଇଛି । ଏହି କ୍ଷୁଦ୍ର ପ୍ରତିମୂର୍ତ୍ତି ପାଇଁ ରାକେଶ ହୋଇ ପାରିଛନ୍ତି ଏକ୍ସକ୍ଲୁସିଭ ଓାର୍ଲ୍ଡ ରେକର୍ଡର ଅଧିକାରୀ । ଖାଲି ବୁଦ୍ଧ ମୂର୍ତ୍ତି ନୁହେଁ , ରାକେଶ ନିମ୍ବ କାଠରେ ଗଢିଛନ୍ତି ଏକ ସେଣ୍ଟିମିଟର ବିଶିଷ୍ଟ ଜଗନ୍ନାଥ ବଳଭଦ୍ର ଓ ଶୁଭଦ୍ରାଙ୍କ ଚତୁର୍ଦ୍ଧାମୂର୍ତ୍ତି । ଖାଲି ସେତିକି ନୁହେଁ, କାଠରେ ତିନି ମିଲି ମିଟରର ଶିବ ଲିଙ୍ଗ , ଚକ ଖଡିରେ ୫ ମିଲିମିଟରର ଶିବ ଲିଙ୍ଗ ,ଦୁଇ ମିଲିମିଟରର ଶିଡି ଆଦି ନିର୍ମାଣ କରିଛନ୍ତି । ଯାହାକି ଦେଖିବା ମାତ୍ରେ ଅନ୍ୟକୁ ଆଶ୍ଚର୍ଯ୍ୟ ଚକିତ କରୁଛି । ତାଙ୍କର ସଫଳତାରେ ପରିବାରଠୁ ଆରମ୍ଭ କରି ପାଖଆଖ ଅଞ୍ଚଳର ଲୋକେ ବେଶ ଖୁସି ।

ରାକେଶ ଏବେ ଭଦ୍ରକ ଆର୍ଟ କଲେଜର ତୃତୀୟ ବର୍ଷର ଛାତ୍ର । ପିଲାଦିନୁ ତାଙ୍କର ଚିତ୍ରକଳା ପ୍ରତି ରହିଛି ଦୁର୍ବଳତା । ବାପା ତାଙ୍କର ଭୋଜିଭାତରେ ରୋଷେଇ କରି ଘର ଚଳାନ୍ତି । ଘରର ଆର୍ଥିକ ଦୁର୍ବଳତା କାରଣରୁ ରାକେଶ ପିଲାଦିନୁ ଖୁଦୁରୁକୁଣୀ, ଗଣେଷ ଓ ସରସ୍ୱତୀ ମୂର୍ତ୍ତି ଗଢିବା ଓ ସାଇନ ବୋର୍ଡ ଲେଖି କିଛି ଅର୍ଥ ରୋଜଗାର କରିଥାନ୍ତି । ବାହାଘର ବ୍ରତ ଘର କିଏ ଡାକିଲେ ଲେଖା ଲେଖି କରନ୍ତି । ତାସହିତ ବାଲୁକା କଳା କରିବା ଲାଗି ରାଜ୍ୟ ବାହାରକୁ ବି ଯାଇଛନ୍ତି । ନିଜ ଉପାର୍ଜନରେ ପରିବାରକୁ ସାହାଯ୍ୟ କରିବା ସହ କିଛି ଅର୍ଥ ସଞ୍ଚୟ କରି ବହୁକଷ୍ଟରେ ନିଜ କଳା ଶିକ୍ଷା ଜାରି ରଖିଛନ୍ତି ରାକେଶ । ଏବେ କ୍ଷୁ୍‌ଦ୍ରରୁ କ୍ଷୁଦ୍ରତମ ମୂର୍ତ୍ତି ତିଆରି କରି ଗିନିଜ ବୁକ ଓାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଯୁବଶିଳ୍ପୀ ଜଣକ । ଆର୍ଥିକ ସମସ୍ୟା ରାକେଶ କଳା ଶିକ୍ଷା କ୍ଷେତ୍ରରେ ପ୍ରତିବନ୍ଧକ ସାଜିଥିବାରୁ ତାଙ୍କୁ ସରକାରଙ୍କ ତରଫରୁ ସହାୟତାର ହାତ ବଢାଇବାକୁ ଅନୁରୋଧ କରିଛନ୍ତି ରାକେଶ ଓ ତାଙ୍କ ବନ୍ଧୁମାନେ ।

ତୁଳସୀ ଦୁଇ ପତ୍ର ରୁ ବାସିଲା ଭଳି ରାକେଶଙ୍କ ଛୋଟ ବେଳୁ କଳା ପ୍ରତି ରୁଚି ତାଙ୍କୁ ଆଣି ଦେଇଛି ଏକ ଭିନ୍ନ ପରିଚୟ । ଦାରିଦ୍ର୍ୟ ଓ ଅସୁବିଧା ତାଙ୍କ ପଥରୋଧ କରି ପାରିନି । ପରିଶ୍ରମ କରିବା ସହ ଧୈର୍ଯ୍ୟ ରଖିଥିବା ଏହି ଯୁବ ପ୍ରତିଭାକୁ କିଛିଟା ସରକାରୀ ପ୍ରୋତ୍ସାହନ ମିଳିଲେ ସେ ବହୁ ଆଗକୁ ଯାଇପାରନ୍ତେ । ଅତ୍ୟନ୍ତ ଶାନ୍ତ ଓ ସରଳ ଏହି ଯୁବ ଶିଳ୍ପୀଙ୍କ ଲକ୍ଷ୍ୟ କଳା କ୍ଷେତ୍ରରେ ଆହୁରି ସୁନାମ ଅର୍ଜନ କରିବା ।

 

Leave A Reply

Your email address will not be published.