Latest Odisha News

BREAKING NEWS

ଲାଳୟେତ ପଞ୍ଚ ବର୍ଷାଣି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ

ପୁରୁଣା ଆଲବମ ଓଲଟଉ ଓଲଟଉ ଚାରି ଭଉଣୀଙ୍କ ପିଲାଦିନର କଳାଧଳା ଗୋଟିଏ ଫଟୋ ଦେଖି ଫେସବୁକରେ ଛାଡି ଦେଇଥିଲି । ତାକୁ ଦେଖି ଜଣେ ବନ୍ଧୁ ଫଟୋର କାଳ ଓ ସ୍ଥାନ ବିଷୟରେ କିଛି ଜାଣିବା ନିମନ୍ତେ ଆଗ୍ରହ ପ୍ରକାଶ କରନ୍ତେ , ଅତୀତ ରୋମନ୍ଥନ କରୁ କରୁ ବାଲ୍ୟଜୀବନର କେତେକ ସ୍ମୃତି ମାନସ ପଟଳରେ ପୁଣି ଥରେ ଉଜ୍ଜୀବିତ ହୋଇ ଉଠିଲେ। ଜୀବନର ସେହି ଦୁର୍ଲ୍ଲଭ ମୁହୂର୍ତ୍ତ ସବୁ ଜୀବନ୍ତ ହେଇ ସତେ ଯେମିତି ଆଗରେ ଉଭା ହେଇଗଲେ। ଚାରି ଚାରିଟା ଝିଅ ,ତଥାପି ବାପା କେବେବି ଅନୁଶୋଚନା କରିନଥିଲେ ବରଂ ସମସ୍ତଙ୍କୁ ଉପଯୁକ୍ତ ଶିକ୍ଷାଦାନ କରି ମଣିଷ କରିବା ଚେଷ୍ଟାରେ କୌଣସି ଊଣା କରିନଥିଲେ, ଫଳତଃ ସମସ୍ତେ ଉଚ୍ଚ ଶିକ୍ଷିତ ହେଇ ସମାଜରେ ପ୍ରତିଷ୍ଠିତ ହୋଇ ପାରିଛୁ । ସେଥିରୁ ମୋର ପ୍ରଥମ ସ୍କୁଲ ଯିବା ସମୟ କଥା ମନେ ପଡିଗଲା। ମନେ ପଡ଼ିଲା କିପରି ବାପା ଅତ୍ୟଧିକ ସ୍ନେହ କରୁଥିବା ସତ୍ତ୍ୱେ ଦରକାର ପଡ଼ିଲେ କଠୋର ପଦକ୍ଷେପ ନେବାକୁ କୁଣ୍ଠାବୋଧ କରୁନଥିଲେ ।

ଶୁଣି ଶୁଣି ଯାହା ଜାଣିଛି, ପିଲାବେଳେ ଅତି ଏକଜିଦିଆ ଥିଲି – ମା ବାପାଙ୍କର ଅତି ଗେହ୍ଲା। ବିବାହର ଉଣେଇଶ ବର୍ଷ ସନ୍ତାନ କଷ୍ଟ ପରେ ମୋର ଜନ୍ମ ଏଣୁ ଅତ୍ୟଧିକ ସ୍ନେହ କରିବା ନିହାତି ସ୍ୱାଭାବିକ । କେବଳ ବାପା ମାଆ କାହିଁକି ଅଜା ଆଈ, ମାମା, ମାମୁଁ ମାଇଁ ସମସ୍ତଙ୍କର ଅତ୍ୟଧିକ ଆଦର ଓ ସ୍ନେହ ରେ ମୋର ବଲ୍ୟଜୀବନ କଟିଛି। ମାଆ କହନ୍ତି ମୋତେ କୁଆଡେ ବର୍ଷେ ପର୍ଯ୍ୟନ୍ତ ସେମାନେ ତଳେ ଚାଲିବାକୁ ଦେଇ ନଥିଲେ, କୋଳରେ ନହେଲେ କାଖରେ ଧରିଥାଆନ୍ତି। ଯେତେ ଦୁଷ୍ଟାମୀ କଲେବି ଗାଳି ଦେଉ ନଥାନ୍ତି। କିଏ କେବେ ଯଦି ମୋତେ ରାଗି ପଦେ ଅଧେ କେହିଦେଲେ, ବାପା କୁଆଡେ କହୁଥିଲେ, ” ଆମର ମୁହଁ ଉଜଲ କରିଛେ, ଆରୁ ତୁମେ ତାହାକେ ଗାଲି ଦେଉଛ।”

ମୋର ଜନ୍ମର ଠିକ ଅଢେଇ ବର୍ଷ ପରେ ମୋର ଗୋଟିଏ ଭଉଣୀ ହେଲା। ପିଠିରେ ଗୋଟିଏ ଭଉଣୀ ଆଣିଛି ବୋଲି , ବାପାମାଙ୍କ ର ଆହୁରି ପ୍ରିୟ ହେଇଉଠିଲି। ମୁଁ କିନ୍ତୁ ଭଉଣୀ ଜନ୍ମ ପରେ ଆହୁରି ଏକଜିଦିଆ ହେଇ ଯାଇଥିଲି। ମାଆଙ୍କଠୁ ଶୁଣିଛି , ଦିନେ କୁଆଡେ ବାପା ଅଫିସରୁ ଆସିଲା ବେଳକୁ ମୁଁ ଜିଦି କରି କାନ୍ଦୁଥାଏ। ବାପା ପଚାରିଲରୁ କହିଲି, “ତୁମକୁ ପିଟିବି” । ବାପା ହସିହସି କହିଲେ ,”ହଉ ପିଟ।” ବାପା ମୋତେ କାନ୍ଧରେ ପକେଇ ଥାଆନ୍ତି ଓ ମୁଁ ଗୋଟେ ଅତି ଛୋଟ ବାଡି ଧରି, ତାଙ୍କ ପିଠିରେ ପିଟୁଥାଏ ଚେଇଁଥିବା ପର୍ଯ୍ୟନ୍ତ। ବାପା ଧୈର୍ଯ୍ୟର ସହିତ ସେମିତି ଧରି ଥାଆନ୍ତି।

ଭଉଣୀର ଜନ୍ମ ପରେପରେ ବାପାଙ୍କ ବାଲେଶ୍ବର ବଦଳି ହେଲା। ବାଲେଶ୍ବରରେ ଆଜିମାବାଦରେ ଗୋଟିଏ ଭଡା ଘରେ ଆମେ ରହିଲୁ। ଘର ନିକଟରେ ଏକ ଆମ୍ବ ଗଛ, ତା ପଛକୁ ଗୋଟେ ଘର, ଘରପଛକୁ ଗୋଟିଏ ବିରାଟ ବଗିଚା, ସେଇ ପାଖରେ ଗୋଟିଏ ଛୋଟ ପୋଖରୀ। ପାଖ ପଡିଶାରେ ଖୁକି ଦିଦି , ପାର୍ବତୀ, ନାୟା ଲଷ୍ମୀ ପରି ଅନେକ ସମବୟସୀ ଝିଅପିଲା ଧାଁ ଦଉଡ଼, ଖେଳକୁଦରେ ଦିନ ଆନନ୍ଦରେ କଟି ଯାଉଥାଏ। ସାଙ୍ଗମାନଙ୍କ ସାଙ୍ଗରେ ମିଶି ତେନ୍ତୁଳି, ଖଟା ଆମ୍ବ, ଆମ୍ବଡା ତ କେବେ ଆମ୍ବଆଚାର ଖିଆହୁଏ, ଆଉ ବେଳେ ବେଳେ ନୟାଲଷ୍ମୀ ଘର ପିଜୁଳି ଗଛରୁ ପିଜୁଳିବି ଖିଆହୁଏ। ଦିଦିମାନେ କଣ୍ଢେଇ ବାହାଘର, ପୁଚି ଖେଳ, ବହୁଚୋରି, ନଈ ପାହାଡ଼ ଆଦି ଖେଳିଲା ବେଳେ ତାଙ୍କ ପଛେ ପଛେ ବୁଲି ଆରାମରେ ଦିନ କଟି ଯାଉଥାଏ।

ମୋତେ ଯେବେ ଚାରିବର୍ଷ ହେଲା, ତାପର ସରସ୍ବତୀ ପୂଜା ଦିନ ଖଡ଼ିଛୁଆଁ ହେଲା। ନୂଆ ଲୁଗା, ନୂଆ ସିଲଟ, ଓ ଖଡ଼ି ଦେଖି ମନ ଭାରି ଖୁସି। ସରସ୍ୱତୀଙ୍କ ମୂର୍ତ୍ତି ସାମ୍ନାରେ ବସି ପଣ୍ଡିତେ ମନ୍ତ୍ରପାଠ ସହ ସିଲଟରେ ‘ ଓଁ ‘ ଅକ୍ଷର ଲେଖି ଦେଲେ। ମୋ ହାତଧରି ସିଲଟରେ ମଡେଇ ଦେଲେ। ପାଠପଢ଼ା ଆରମ୍ଭ ହେଲା। ତା ପରଠୁ ଜଣେ ଅଭିଜ୍ଞ ଶିକ୍ଷକ ଆସି ଅ, ଆ ଶିଖେଇବାକୁ ଲାଗିଲେ। ମୋର ତ ସାଙ୍ଗ ସାଥି, ଖେଳେକୁଦରେ ମନ, ସାରଙ୍କୁ ଦେଖିଲେ ଲୁଚେ। କିନ୍ତୁ ଚକିରୀରୁ ଅବସର ଗ୍ରହଣ କରି ସାରିଥିବା ମହମ୍ମଦ ଫକୀରୁଦ୍ଦିନ ଜଣେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅଭିଜ୍ଞ ଶିକ୍ଷକ ଥିଲେ।ସେ ବିଲେଇ ଚିତ୍ରରୁ ଅ, ଆ, ଏମିତି କରି କରି ମୋର ଅକ୍ଷର ପରିଚିତି କରେଇଥିଲେ। ଘରେ କିଛିଦିନ ପଢ଼ିଲା ପରେ ନିକଟରେ ଥିବା ପ୍ରାଇମେରୀ ସ୍କୁଲରେ ନାମ ଲେଖାଗଲା।

ସ୍କୁଲରେ ପ୍ରଥମ ଦିନ । ମାଆ ଆଦର କରି ନୂଆ ଡ୍ରେସ ପିନ୍ଧେଇଦେଲେ, ବସ୍ତାନୀରେ ସିଲଟ ଖଡ଼ି ପୁରେଇଦେଲେ, ମୁଣ୍ଡରେ ଠାକୁରଙ୍କ ଚନ୍ଦନ ଟୋପା ଲଗେଇ ଦେଲେ ଓ ଠାକୁରଘରକୁ ନେଇ ଠାକୁରଙ୍କୁ ମୁଣ୍ଡିଆ ମାରିବାକୁ କହିଲେ। ତାପରେ ବାପା ହାତଧରି ସ୍କୁଲରେ ଛାଡି ଭଲକରି ପଢ଼ିବାର ଉପଦେଶ ଦେଇ ଚାଲିଆସିଲେ । ସ୍କୁଲରେ ପ୍ରଥମେ ସବୁପିଲା ଧାଡି ବାନ୍ଧି ଠିଆ ହେଲେ, ସାର ଓ ଦିଦିଙ୍କ ଉପସ୍ଥିତି ରେ “ଆହେ ଦୟମୟ ବିଶ୍ବବିହାରୀ,” ପ୍ରାର୍ଥନା ବୋଲାହେଲା , ତାପରେ ଶିକ୍ଷକଙ୍କ ଆଦେଶ ମତେ ନିଜ ନିଜ କ୍ଲାସକୁ ଗଲୁ। ସାଙ୍ଗ ପିଲା କ୍ଳାସରେ କେହିନାହିଁ, ସବୁ ପିଲା ହଉଯାଉ। ସମସ୍ତେ ଅଚିହ୍ନା, କାନ୍ଦ ମାଡୁଥାଏ.. ମାନମାରି ବସିଥାଏ, ସାର କଣ କହୁଛନ୍ତି କିଛି ଶୁଣା ଯାଉ ନଥାଏ। ଯେମିତି ଖାଇଛୁଟି ହେଇଛି ଗୋଟେ ଡ଼ିଆଁରେ ଘରେ ହାଜର। ମାଆ କାହିଁକି ପଳେଇ ଆସିଲୁ ବୋଲି ପଚାରିଲେ, ମୁଁ କିଛି ନକହି କାନ୍ଦିଲି। ହଉ , ହଉ କହି ମାଆ ବୁଝେଇଲେ।ତହିଁ ଆରଦିନ ବାପା ବୁଝେଇ ଶୁଝେଇ ସ୍କୁଲରେ ଛାଡି ଆସିଲେ, ପୁଣି ଖାଇଛୁଟିରେ ଘରେ ହଜାର। ତା ଆରଦିନ ଯେତେ କହିଲେବି ଆଉ ସ୍କୁଲ ବାହାରିଲି ନାହିଁ।

ମାଆ ବାପା ପ୍ରଥମେ ବୁଝେଇଲେ, ମୁଁ ଯେତେବେଳେ ଜମା ବୁଝିଲିନି, ଖାଲି ରାହା ଧରି ସ୍କୁଲ ନଯିବା ପାଇଁ କାନ୍ଦିଲି। ଯେଉଁ ବାପା ଦେହରେ ଟିପ ମାରିବା ତା ଦୂରର କଥା, କେବେ ରାଗି କରି ପଦେ କହୁନଥିଲେ, ଗୋଟେ ଛାଟ ଧରି ମୋତେ ପିଟିବାକୁ ଆରମ୍ଭ କଲେ ଓ ଟାଣି ଟାଣି ସ୍କୁଲକୁ ନେଲେ। ଆଜିକାଲି ସିନା ସ୍କୁଲ ଦଣ୍ଡମୁକ୍ତ ଅଞ୍ଚଳ, ଏପରିକି ବାପା ମା ପିଲାଙ୍କୁ ଦଣ୍ଡ ଦେବା ଆଇନ ଦୃଷ୍ଟିରୁ ଅପରାଧ। ବିଦେଶରେ ଥିବା ମୋର ପିଲାମାନେ କହନ୍ତି ସେ ଦେଶମାନଙ୍କରେ ବାପାମାଆ ବି ପିଲାକୁ ଗାଳି ଦେଲେ କି ବାଡେଇଲେ ଯଦି ପ୍ରଶାସନ ପାଖ ପଡୋଶୀ ଅବା କୌଣସି ସୂତ୍ରରୁ ଖବର ପାଇଯାଆନ୍ତି, ଏପରିକି ପିଲା ମାନେ ନିଜେ (ଚାଇଲଡ ହେଲ୍ପ ଲାଇନ) ଏକ ନିର୍ଦ୍ଦିଷ୍ଟ ନମ୍ବରକୁ ଫୋନ କଲେ ,ପୋଲିସ ଆସି ପିଲାକୁ ବାପାମାଙ୍କ ପାଖରୁ ନେଇଯାଇ ପାଳିତ ପିତାମାତାଙ୍କ ଦାୟିତ୍ୱରେ ଦେଇଦିଅନ୍ତି, ବାପା ମାଆଙ୍କୁ ପିଲାକୁ ଅତ୍ୟାଚାର କରିବା ଅଭିଯୋଗରେ ଜେଲ,ଜରିମାନା ବି ହେଇ ପାରେ। କିନ୍ତୁ ଭାରତୀୟ ସାମାଜିକ ବ୍ୟବସ୍ଥାରେ ପିଲାକୁ ଠିକ ବାଟରେ ଆଣିବାପାଇଁ ପିତାମାତା ଶାସ୍ତି ଦେବାକୁ ଆଜିବି ଆଇନତଃ ଅପରାଧ ବୋଲି ଧର ଯାଏ ନାହିଁ। ଆଉ ମୋ ପିଲାବେଳେ ତ ଅମାନିଆ ପିଲାକୁ ଦଣ୍ଡଦେବା ସମସ୍ତେ ଠିକ ବୋଲି ଭାବୁଥିଲେ।

ଚାଣକ୍ୟ ନୀତି ଅନୁସାରେ,
ଲାଳୟେତ ପଞ୍ଚ ବର୍ଷାଣି
ଦଶବର୍ଷାଣି ତାଡ଼ୟେତ
ପ୍ରାପ୍ତେତୁ ଷୋଡ଼ଶ ବର୍ଷେ
ପୁତ୍ର ମିତ୍ରବତ ଆଚରତେ।

ଏପଟେ ଥରେ ଅଧେ ଛାଟ ଖାଇ ମୁଁ ରଡି ଛାଡୁ ଥାଏ, “ବାପା ,ମୋତେ ଛାଡି ଦିଅ, ମୋତେ ଛାଡି ଦିଅ। ଇଥର ସ୍କୁଲ ଜିମି,ଆଉ ନାଇଁ ଯାଏଁ ନାଇଁ ବଲେ।” ବାପା ଶୁଣୁ ନଥାନ୍ତି, ବେତ ବାଡ଼ି ବୁଲେଇ ଚାଲି ଥାନ୍ତି। ମୋର ପିଲାଳିଆ ମନରେ ସେଦିନ ବାପାଙ୍କ ଉପରେ ବହୁତ ରାଗ ହେଇଥିଲା, ମନେ ହେଇଥିଲା ବାପା ପୃଥିବୀର ସବୁଠୁ ନିଷ୍ଠୁର ବ୍ୟକ୍ତି, ଆଉ ମୁଁ ତାଙ୍କୁ ତାଙ୍କର ଏଇ ବ୍ୟବହାର ପାଇଁ କେବେ ବି ମାଫ କରିବି ନାହିଁ। ସ୍କୁଲ ଆଉ ଅଳ୍ପ ବାଟ ଥାଏ,ମୁଁ ହାତ ଛଡେଇ ଦଉଡି ଦଉଡି ସ୍କୁଲ ଭିତରେ ପଶିଗଲି। ସେଇ ଯେ ପ୍ରଥମ, ସେଇ ଶେଷ, ତାପରେ ଆଉ କେବେ ବାପାଙ୍କଠୁ ମାଡ଼ ତ ଛାଡ଼,ଗାଳି ଖାଇବାବି ମନେ ନାହିଁ। ମା କହନ୍ତି ବାପାବି ମୋତେ ମାଡ଼ ଦେଇ ଥିବାରୁ ସେଦିନ ବହୁତ ଦୁଃଖିତ ହେଇଥିଲେ। ସେ ଦିନଠୁ ମୁଁ ବି କେବେ ସ୍କୁଲ ଯିବାକୁ ମନା କରିନାହିଁ। କେବଳ ଅତ୍ୟଧିକ ଦେହ ଖରାପକୁ ଛାଡି ଦେଲେ ପଢା ସମୟରେ , ଏପରିକି ଚାକିରୀ ଜୀବନରେ ଛୁଟି ନେଇନାହିଁ। ସେ ଛାଟ ମୋ ପାଇଁ ମହୌଷଧିର କାମ କରିଛି। ସେଦିନର ସେ ଛାଟ ଖାଇ ନଥିଲେ ଆଜି ମୁଁ ବୋଧହୁଏ ଆଜି ଯେଉଁଠି ଅଛି ସେ ଜାଗାରେ ପହଞ୍ଚିପାରି ନଥାନ୍ତି। ସେଇଥିପାଇଁ ବୋଧ ହୁଏ ଇଂରାଜୀରେ ବି ପୁରୁଣା ପ୍ରବାଦ ଟିଏ ଅଛି , “ସ୍ପେୟାର ଦ ରଡ଼ ଆଣ୍ଡ ସ୍ପଏଲ ଦ ଚାଇଲଡ ।”

Leave A Reply

Your email address will not be published.