Latest Odisha News

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡାଙ୍କ ୮୭ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡାଙ୍କର ମଙ୍ଗଳବାର ଦିନ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ, ସ୍ୱର୍ଗତଃ ବୈଦେହୀ ପଣ୍ଡା ଦୀର୍ଘ ଦିନ ଧରି ସ୍ୱାମୀ ପ୍ରଜ୍ଞାନାନନ୍ଦ ଆଶ୍ରମରେ ରହିଆସୁଥିଲେ ଏବଂ ସେ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡ଼ିତ ରହିଥିଲେ ।

ସୂଚନାନୁଯାୟୀ, ତାଙ୍କର ପାର୍ଥୀବ ଶରୀରକୁ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ହସ୍ତାନ୍ତର କରାଯାଇଛି ।

ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡା ଭଦ୍ରକ ଜିଲ୍ଲାର କଟସାହିରେ ୧୯୩୨ ମସିହାରେ ଜନ୍ମ ଗ୍ରହଣ କରି ପିଲାଟି ବେଳରୁ ହିଁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମେତ ଅନେକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ସଂସ୍ପର୍ଶରେ ଆସିଥିଲେ । ସେ କୁନି ଝିଅଟି ଥିବା ଅବସ୍ଥାରେ ହିଁ ମହାନ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ନିଜକୁ ଝାସ ଦେଇଥିଲେ । ଅବଶ୍ୟ ଅଳ୍ପଦିନ ପରେ ଭାରତ ସ୍ୱାଧୀନତା ହାସଲ କରିଥିଲା । ଏହାପରେ ଏହି କୁନି ଝିଅ ବୈଦେହୀ ବିଭିନ୍ନ ରଚନାତ୍ମକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ ।

ସନ୍ଥ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ଅଳ୍ପ ବୟସରୁ ହିଁ ବୈଦେହୀ ସକ୍ରିୟ ଅଂଶଗ୍ରହଣ କରିଥିଲେ । ୧୯୫୫ ମସିହାରେ ବିନୋବା ଭାବେ ଓଡ଼ିଶା ଆସିଲେ, ଏବଂ ପଦଯାତ୍ରା କଲେ । ବୈଦେହୀ ସେତେବେଳେ ବିନୋବାଙ୍କୁ ବାଟ କଢେଇ ନେବା ପାଇଁ କୁନି ଝିଅ ବୈଦେହୀ ମନୋନୀତ ହୋଇଥିଲେ । ବିନୋବାଜୀ ଶ୍ରଦ୍ଧାରେ ତାକୁ ଡ଼ାକିଲେ ‘କଳିଙ୍ଗ କନ୍ୟା’ । କୁଆଡ଼େ ଯିବାକୁ କେହି ଆମନ୍ତ୍ରଣ କଲେ, ବିନୋବାଜୀ କହୁଥିଲେ, ‘ମେରେ ପାଇଲଟ୍ କୋ ପୁଚ୍ଛୋ !’ । ବିନୋବାଜୀଙ୍କ ସହିତ ଏହି ସେବେ କୁନିଝିଅ କଳିଙ୍ଗ କନ୍ୟା ବୈଦେହୀ ସାରା ଦେଶରେ ତିରିଶ ହଜାର କିଲୋମିଟର ପଦଯାତ୍ରା କରିଥିଲେ ।

ସବୁଠାରୁ ବଡ଼କଥା ହେଲା ବିନେବାଜୀଙ୍କ ପ୍ରେରଣାରେ ସେ ଜୟପ୍ରକାଶ ନାରାୟଣଙ୍କ ନିକଟକୁ ଯାଇ ଚମ୍ବଲ ଉପତ୍ୟକାରେ କୁଖ୍ୟାତ ଡ଼ାକୁମାନଙ୍କର ଆତ୍ମସମର୍ପଣ କାର୍ଯ୍ୟରେ ବେଶ୍ ସକ୍ରିୟ ଅଂଶଗ୍ରହଣ କରିଥିଲେ । ନିଘଞ୍ଚ ଜଙ୍ଗଲରେ ନିଜ ସହଯୋଗୀମାନଙ୍କୁ ନେଇ ଡ଼ାକୁ ସର୍ଦ୍ଦାରମାନଙ୍କୁ ଭେଟିବା ଏବଂ ଜେପିଙ୍କ ବାର୍ତ୍ତା ଶୁଣାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମଲି କରାଇବା କ୍ଷେତ୍ରରେ ବିନୋବାଜୀଙ୍କ ଏହି ଆଦରଣୀୟା କଳିଙ୍ଗ କନ୍ୟା ବେଶ୍ ସାହସିକତା ପ୍ରଦର୍ଶନ କରିଥିଲେ ।

ସେହିପରି ଭାବରେ ବାଂଲାଦେଶ ମୁକ୍ତିଯୁଦ୍ଧ ସମୟରେ ଶହ ଶହ ଅନାଥ ଶିଶୁଙ୍କୁ ନିଜ କୋଳକୁ ନେଇ ସେମାନଙ୍କ ମନରେ ଭରିଦେଇଥିଲେ ଆତ୍ମପ୍ରତ୍ୟୟ । ସେଥିପାଇଁ ବାଂଲାଦେଶ ଗଠନ ହେବା ପଛରେ ବଙ୍ଗବନ୍ଧୁ ଶେଖ୍ ମୁଜିବୁର୍ ରେହମାନ ଆମ କଳିଙ୍ଗ କନ୍ୟାଙ୍କର ଭୂୟସୀ ପ୍ରଶଂସା କରିଥିଲେ ।

ସେ ସ୍ୱାଧୀନତା ଭତ୍ତା ଗ୍ରହଣ କରିବାକୁ ମନା କରିଦେଇଥିବା ସହିତ ଅନେକ ବର୍ଷ ଭୋପାଳରେ ରହୁଥିଲେ । ଜୀବନର ଶେଷ ଭାଗ ନିଜର ପ୍ରିୟ ଜନ୍ମଭୂମିରେ କଟାଇବାର ଇଚ୍ଛା ପୋଷଣ କରି ସେ ଶେଷ ଜୀବନ ଓଡ଼ିଶାରେ କଟାଇଥିଲେ ।

Leave A Reply

Your email address will not be published.