Latest Odisha News

BREAKING NEWS

ପରଲୋକରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

ଭୁବନେଶ୍ୱର : ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଏକାଧାରରେ ସେ ଜଣେ ଗାୟକ, ଗୀତିକାର ଓ ସ୍ତମ୍ଭକାର ଥିଲେ। ଏକଦା ଏକ ଖବର କାଗଜରେ ପ୍ରକାଶିତ ତାଙ୍କର “ସାଉଁଟା କାହାଣୀ” ବିପୁଳ ପାଠକୀୟ ଶ୍ରଦ୍ଧା ସାଉଁଟିଥିଲା ।

୧୯୬୦ ମସିହାରେ ସ୍ୱର୍ଗତଃ କର ନିଜର ପେଷାଦାର ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ ଏବଂ ଖୁବ ଶୀଘ୍ର ନିଜକୁ ଆକାଶବାଣୀ (ଗ୍ରେଡ-ଏ) ଓ ଟେଲିଭିଜନର ଜଣେ ପ୍ରତିଷ୍ଠିତ ସଙ୍ଗୀତକାର, ଗାୟକ ଓ ଗୀତିକାର ଭାବରେ ପ୍ରତିଷ୍ଠିତ କରିପାରିଥିଲେ । ସେ ୭୦ରୁ ଅଧିକ ଓଡ଼ିଆ ସିନେମା ଓ ୪ଟି ବଙ୍ଗଳା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ତଥା ପାରମ୍ପରିକ ଓଡ଼ିଶୀ ଲୋକଗୀତର ବହୁଳ ବ୍ୟବହାର ଦେଖିବାକୁ ମିଳିଥିଲା । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସ୍ୱର୍ଗତଃ କର ୮ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । କଳା କ୍ଷେତ୍ରକୁ ଅତୁଳନୀୟ ଅବଦାନ ଲାଗି ୨୦୧୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା। ଜୀବନ ବ୍ୟାପୀ ସଙ୍ଗୀତ ସାଧନା ପାଇଁ ସେ ଏକାଧିକ ପୁରସ୍କାର ସହ ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ତାଙ୍କ ମୃତ୍ୟୁରେ ସାରା ରାଜ୍ୟରେ ଗଭୀର ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.