Latest Odisha News

“ସ୍କୁଲରେ ପଢୁଥିବା ବେଳେ ୮ ଜଣଙ୍କ ଦ୍ୱାରା ମୁଁ ଗଣଦୁଷ୍କର୍ମର ଶୀକାର ହୋଇଥିଲି”

ମୁମ୍ବାଇ: ସୁନୀତା କୃଷ୍ଣନ । ବୟସ ୪୬ ବର୍ଷ । ବେଙ୍ଗାଲୁରୁରେ ଜନ୍ମିତା ସୁନୀତା ତାଙ୍କର ଲୋକଟାଙ୍କୁରା କାହାଣୀ ବଖାଣିଛନ୍ତି ସୋନିଟିଭି ଦ୍ୱାରା ପ୍ରସ୍ତୁତ କେବିସି କାର୍ଯ୍ୟକ୍ରମରେ । ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନଙ୍କ ସାମ୍ନାରେ ସମସ୍ତ କଥା କହିଥିଲେ ସୁନୀତା । ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିବା ବେଳେ କିପରି ସେ ୮ ଜଣ ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମର ଶୀକାର ହୋଇଥିଲେ ହୃଦୟ ବିଦାରକ କାହାଣୀ ଶୁଣିବା ପରେ ଅମିତାଭ ନିଜର କୋହ ସମ୍ଭାଳି ପାରି ନଥିଲେ ।

ସୁନୀତା ଏବେ ଜଣାଶୁଣା ସମାଜସେବୀ । ‘ପ୍ରଜ୍ଜ୍ୱଲା’ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଚଳାଉଛନ୍ତି ସେ ।

ମାତ୍ର ତିନି ବର୍ଷ ବୟସରୁ ୧୬ ବର୍ଷ ବୟସ୍କା ଛୋଟ ଛୋଟ ଝିଅଙ୍କୁ କିପରି ବେଶ୍ୟାଳୟକୁ ଯିବାକୁ ବାଧ୍ୟ କରାଯାଉଛି ଏବଂ ଯୌନ ନିର୍ଯ୍ୟାତନାର ଶୀକାର ହୋଇ ଶେଷରେ ବେଶ୍ୟାଳୟରେ ଏହି ଛୋଟ ଝିଅମାନେ କିପରି ଜୀବନ ଯାପନ କରୁଛନ୍ତି ତାହାର ସମ୍ପୂର୍ଣ୍ଣ ବିବରଣୀ ଟିଭି ସାମ୍ନାରେ କହିଛନ୍ତି ସୁନୀତା ।

ସୁନୀତା ସ୍କୁଲରେ ପଢୁଥିବା ବେଳେ କିଛି ଅସାମାଜିକ ଯୁବକଙ୍କୁ ଯୌନ ଶୋଷଣ ପରି ଅପରାଧ ନକରିବାକୁ ବାଧା ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ୮ଜଣ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିଥିଲେ । ସେତେବେଳେ ଦୁଷ୍କର୍ମର ଶୀକାର ହୋଇଥିବା ୧୫ ବୟସ୍କା ବାଳିକା ସୁନୀତା ଦୀର୍ଘ ୧ ବର୍ଷ ଯାଏଁ ଚିକିତ୍ସିତ ହୋଇଥିଲେ । ଦୁଷ୍କର୍ମକାରୀମାନେ ଦୁଷ୍କର୍ମ କରିବା ପରେ ତାଙ୍କୁ ପିଟିପିଟି ମାରିଦେବାକୁ ଉଦ୍ୟମ କରିଥିଲେ । ସୌଭାଗ୍ୟକୁ ସୁନୀତା ଜୀବନ ବଞ୍ଚିଯାଇଥିଲା, ମାତ୍ର ବର୍ଷକ ଯାଏଁ ସେ କିଛି ଶୁଣି ପାରିନଥିଲେ । ତାଙ୍କର କାନମୁଣ୍ଡାରେ ଶକ୍ତ ଆଘାତ ଲାଗିଥିଲା ।

ବାଙ୍ଗାଲୋରସ୍ଥିତ ସେଣ୍ଟ୍ ଯୋଶେଫ କଲେଜ ଏବଂ ମାଙ୍ଗାଲୋର ୟୁନିଭର୍ସିଟିରୁ ସମାଜସେବା ଅଧ୍ୟୟନ କରି ପାଶ୍ ହୋଇଥିଲେ ସୁନୀତା । ତା’ପରେ ‘ପ୍ରଜ୍ଜ୍ୱଲା’ ନାମକ ଏକ ସାମାଜିକ ସଂସ୍ଥା ସ୍ଥାପନ କରି ଦୁଷ୍କର୍ମର ଶୀକାର ହେଉଥିବା ହଜାର ହଜାର କୁନି କୁନି ଝିଅମାନଙ୍କୁ ବେଶ୍ୟାଳୟକୁ ଯିବାରେ ଉଦ୍ଧାର କରିଛନ୍ତି ସୁନୀତା । ସୁନୀତା ଏପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ଝିଅ ଓ ମହିଳାଙ୍କୁ ଯୌନ ଶୋଷଣରୁ ମୁକ୍ତି ଦେଇ ପାରି ଆଜି ଆଦର୍ଶ ପାଲଟି ଯାଇଛନ୍ତି ।

ସମାଜର ଅବହେଳିତ ଯୌନ ଉତ୍ପୀଡ଼ନର ଶୀକାର ହଜାର ହଜାର ଝିଅଙ୍କୁ ଉଦ୍ଧାର କରିବା ପରି ପ୍ରଶଂସନୀୟ କାର୍ଯ୍ୟ କରିଥିବା ଯୋଗୁଁ ଭାରତ ସରକାର ୨୦୧୬ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।

Leave A Reply

Your email address will not be published.