Latest Odisha News

ବାତ୍ୟା ‘ଜୱାଦ’ ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି, ସମୀକ୍ଷା କଲେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ବର : ବାତ୍ୟା ଜଓ୍ବାଦକୁ ନେଇ ଜୋରଦାର ପ୍ରସ୍ତୁତି । ମିଶନ ଜିରୋ କାଜୁଆଲିଟି ଲକ୍ଷ୍ୟରେ ପ୍ରଶାସନ । ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଥିବା ବେଳେ, ବାତ୍ୟା ଆଶ୍ରୟସ୍ଥଳୀରେ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥିତିରେ ବାତ୍ୟା ‘ଜୱାଦ’ ପାଇଁ ପ୍ରସ୍ତୁତି କରିଛି ଶକ୍ତି ବିଭାଗ । ଯାହାର ସମୀକ୍ଷା କରିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଶକ୍ତି ବିଭାଗର ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ।

୧ ହଜାର କିଲୋମିଟର ଧରି ୩୩ କେଭି ଓ ୧୧ କେଭି ବିଦ୍ୟୁତ ଲାଇନ ଉପରେ ବିଦ୍ୟୁତ୍ ବିଭାଗର ନଜର ରହିଛି । ଶକ୍ତି ବିଭାଗ ପକ୍ଷରୁ ଗ୍ରୀଡ଼ ମାନେଜମେଣ୍ଟକୁ ଗୁରୁତ୍ବ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ପାଇଁ କଣ୍ଟ୍ରୋଲ ରୁମରେ ୨୪ ଘଣ୍ଟା କର୍ମଚାରୀ ସଜାଗ ଅଛନ୍ତି । କୌଣସି ସ୍ଥାନରେ ବିଦ୍ୟୁତ ସେବାରେ ବ୍ୟାଘାତ ଘଟିଲେ ୨୪ ଘଣ୍ଟା ମଧ୍ୟରେ ମରାମତି ହେବ ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ । ପୂର୍ବରୁ ହୋଇଥିବା ବାତ୍ୟା ଭଳି ‘ଜୱାଦ’ର ମୁକାବିଲା ପାଇଁ ମଧ୍ୟ ଶକ୍ତି ବିଭାଗ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଙ୍କର ମିଶ୍ର ।

Comments are closed.