Latest Odisha News

BREAKING NEWS

ଦୁର୍ଘଟଣା ପରେ ପୋଲ ନିର୍ମାଣ ଦାବି: ହାତ ଟେକି ଦେଲେ ଶକ୍ତି ମନ୍ତ୍ରୀ; କହିଲେ ମନ୍ତ୍ରୀଙ୍କ ପାଖ ଲୋକଙ୍କୁ କୁହ

କେନ୍ଦ୍ରାପଡା: ଏକମାଣିଆରୁ ରାଜନଗର ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଗୁରୁବାର ସକାଳେ ଏକ ଡଙ୍ଗା ବୁଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ପାଖାପାଖି ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ଏହି ଡଙ୍ଗା। ତେବେ ଏହି ଦୁର୍ଘଟଣାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି, ଯେଉଁମାନେକି ସ୍ଥାନୀୟ ନେତା ତଥା ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ଦାୟୀ କରିଛନ୍ତି।

ବ୍ରାହ୍ମଣୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ୨୦୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ତେବେ ଏହି ପୋଲଟି ଏଯାଏଁ ସମ୍ପୂର୍ଣ୍ଣ ହୋଇପାରିନଥିବା ବେଳେ ଏହି ବିଳମ୍ବରେ ଅନେକ ଜୀବନ ମଧ୍ୟ ଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।

ଏହି ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ପ୍ରତିବାଦ କରିବା ସହ ଯୁବକଙ୍କ ମୃତଦେହକୁ ରାସ୍ତାରେ ରଖି ରାସ୍ତାରୋକ କରିଥିଲେ। ବ୍ରାହ୍ମଣୀ ନଦୀ ଉପରେ ତୁରନ୍ତ ଏକ ପୋଲ ନିର୍ମାଣ କରାଯାଉ ବୋଲି ସେମାନେ ଦାବି କରିଥିଲେ, କାରଣ ଦୀର୍ଘ ବର୍ଷ ଧରି ପୋଲ ପାଇଁ ଦାବି ହୋଇ ଆସୁଛି। ଏହା ପୂର୍ବରୁ ସମାନ କାରଣ ପାଇଁ ଅନେକ ଜୀବନ ଯାଇଛି।

ଶକ୍ତିମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ କେଶରୀ ଦେବ ଘଟଣାସ୍ଥଳକୁ ଯାଇ ସମବେଦନା ଜଣାଇଥିଲେ। ସେ କହିଛନ୍ତି ଯେ, ସେ ଲୋକଙ୍କ ଦୁଃଖ ବୁଝିଥିଲେ ମଧ୍ୟ ସେମାନେ ଶବକୁ ଅଧିକ ସମୟ ଖୋଲାରେ ରଖିପାରିବେ ନାହିଁ, କାରଣ ଏହା ପଚିବା ଆରମ୍ଭ କରିବ। ଆଇନ ଅନୁଯାୟୀ ପ୍ରକ୍ରିୟା ଶେଷ ହେବା ମାତ୍ରେ ପରିବାରକୁ କ୍ଷତିପୂରଣ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ପ୍ରସ୍ତାବିତ ସେତୁକୁ ଯଥାଶୀଘ୍ର ଶେଷ କରିବା ପାଇଁ ସେ ଉଦ୍ୟମ କରୁଥିଲେ ମଧ୍ୟ ଟେଣ୍ଡରରେ କିଛି ସମସ୍ୟା ଥିବାରୁ ଏଯାଏଁ କାମ ଆରମ୍ଭ ହୋଇ ପାରିନାହିଁ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ଆସିବେ ତାଙ୍କୁ ଦାବି ଜଣାଇବାକୁ କହି ନିଜ ମୁଣ୍ଡ ଉପରୁ ଦୋଷ ଖସାଇ ଦେଇଛନ୍ତି ଏହି ନେତା ଜଣଙ୍କ।

ଆମ ପିଲାମାନେ ପରୀକ୍ଷା ଦେବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି। ଆଜି ଜଣେ ଛୋଟ ପିଲାର ଜୀବନ ଯାଇଛି। ବ୍ରାହ୍ମଣୀ ନଦୀ ଉପରେ ତୁରନ୍ତ ଏକ ପୋଲ ନିର୍ମାଣ ହେଉ, ନଚେତ୍ ପ୍ରଶାସନକୁ ଶବ ନେବାକୁ ଦିଆଯିବ ନାହିଁ ବୋଲି ସ୍ଥାନୀୟ ମହିଳା ରଞ୍ଜିତା ବେହେରା କହିଛନ୍ତି।

ରାଜନଗରର ପୂର୍ବତନ ବିଧାୟକ ଅଲେଖ ଜେନା ସରକାରଙ୍କ ଚରମ ଉଦାସୀନତା ଓ ଅବହେଳାକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଘଟଣା ଘଟିଥିବା ସ୍ଥାନଟି ଦୁଇଟି ପଞ୍ଚାୟତର ସଙ୍ଗମସ୍ଥଳ ଥିଲା ଏବଂ ଏକମାଣିଆ ଲୋକମାନେ ସେମାନଙ୍କର ଦୈନନ୍ଦିନ କାମ ପାଇଁ କେବଳ କେରଡାଗଡ ଉପରେ ନିର୍ଭର କରୁଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ତାଙ୍କ କାର୍ଯ୍ୟକାଳରେ ଏକମାଣିଆ-କେରାଡଗଡ ସେତୁର ଟେଣ୍ଡର ଫାଇନାଲ କରିଥିଲେ, ଯଦି ସେତୁର ନିର୍ମାଣ କାମ ଶେଷ ହୋଇଥାନ୍ତା ତେବେ ପୁଅର ଜୀବନ ଯାଇନଥାନ୍ତା।

ଏହି ଘଟଣାକୁ ସମାଜର ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

 

Leave A Reply

Your email address will not be published.