Latest Odisha News

BREAKING NEWS

‘ମାନହାନି ମାମଲା’, ରାହୁଲଙ୍କ ପରେ ତେଜସ୍ୱୀଙ୍କ ପାଳି

ଭୁବନେଶ୍ୱର: ମାନହାନି ମାମଲା ପ୍ରସଙ୍ଗକୁ ନେଇ ରାହୁଲ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ବେଳେ ଏବେ ଆରଜେଡି ନେତା ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱି ଯାଦବଙ୍କ ବିରୋଧରେ ମାନହାନି ମକଦ୍ଦମା ହୋଇଛି। ବିରୋଧୀ ପକ୍ଷର ଅନ୍ୟ ଏକ ପ୍ରମୁଖ ଚେହେରା ତେଜସ୍ୱୀ ଯାଦବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

କେବଳ ଗୁଜରାଟୀମାନେ ହିଁ ଠକ ହୋଇପାରିବେ ବୋଲି ବୟାନକୁ ନେଇ ତେଜସ୍ୱୀଙ୍କ ବିରୋଧରେ ମାମଲା ହୋଇଛି। ଅହମଦାବାଦ କୋର୍ଟରେ ମାମଲା ତାଙ୍କ ବିରୋଧରେ ମାନହାନି ମାମଲା କରାଯାଇଛି।

ବର୍ତ୍ତମାନ ଦେଶର ଅବସ୍ଥା ଏପରି ହୋଇଗଲାଣି ଯେ କେବଳ ଜଣେ ଗୁଜରାଟୀ ଠକାମୀ କରିପାରିବେ ଓ ତାଙ୍କ ଦୁର୍ନୀତିକୁ କ୍ଷମା ମଧ୍ୟ କରି ଦିଆଯିବ ବୋଲି ତେଜସ୍ୱୀ କହିଥିଲେ। ପଳାତକ ଘୋଷିତ ଭାରତୀୟ ବ୍ୟବସାୟୀ ମେହୁଲ ଚୋକସି ନାଁରେ ଇଣ୍ଟରପୋଲ ରେଡକର୍ଣର ନୋଟିସ ପ୍ରତ୍ୟାହାର କରିବା ପରେ ତେଜସ୍ୱୀ ଯାଦବ ଏପରି କଥା କହିଥିଲେ।

ତାଙ୍କର ଏହି ବୟାନକୁ ଆଧାର କରି ଅହମଦାବାଦର ଜଣେ ବ୍ୟବସାୟୀ ମେଟ୍ରୋପଲିଟାନ କୋର୍ଟରେ ତେଜସ୍ୱୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ତେଜସ୍ୱୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ମେ ଏକ ତାରିଖରେ କୋର୍ଟ ଏହାର ଶୁଣାଣି କରିବେ ବୋଲି ଜଣାପଡିଛି।

ଗୋଟିଏ ପଟେ ରାହୁଲ ଗାନ୍ଧୀଙ୍କୁ ନେଇ ଚର୍ଚ୍ଚା ଥମୁ ନ ଥିବା ବେଳେ ଅନ୍ୟପଟେ ତେଜସ୍ୱୀଙ୍କ ବିରୋଧରେ ମାମଲା ବିରୋଧୀ ରାଜନୀତିକୁ ବେଶ ରୋଚକ କରିଛି। ବିଜେପି ବିରୋଧରେ ବିରୋଧୀ ଏକ ହେଉଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବିଭିନ୍ନ ରାଜ୍ୟ ବୁଲି ବିରୋଧୀଙ୍କୁ ଏକାଠି କରିବାରେ ଲାଗିଛନ୍ତି।

ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଓ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟି ସାରିଛନ୍ତି। ଏହି ପ୍ରକ୍ରିୟାକୁ ଆହୁରି ବ୍ୟାପକ କରୁଛନ୍ତି ଦୁଇ ନେତା।

କିନ୍ତୁ ସେପଟେ ଠିକ ରାହୁଲଙ୍କ ମାମଲା ଭଳି ତେଜସ୍ୱୀଙ୍କ ବିରୋଧରେ ମାମଲା ରୁଜୁ ହେବା ଓ ଦୁର୍ନୀତି ପ୍ରସଙ୍ଗକୁ ନେଇ ସିବିଆଇ ଚଢ଼ାଉ ଚର୍ଚ୍ଚାର ମୁଖ୍ୟ କାରଣ ହୋଇଛି। ଏହି ମାମଲା କେଉଁ ମୋଡ଼ ନେବ ଓ ତେଜସ୍ୱୀଙ୍କ ବିରୋଧରେ କଣ ନିଷ୍ପତ୍ତି ଆସିବ ତାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଏପରିକି ବିରୋଧୀ ଏକତା ଦିଗରେ ଏହା କେତେ ପ୍ରଭାବ ପକାଇବ ତାକୁ ନେଇ ଆଲୋଚନା ଜୋର ଧରିଛି।

Leave A Reply

Your email address will not be published.