Latest Odisha News

BREAKING NEWS

ହଷ୍ଟେଲ ରୁମରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାୟଗଡ଼ା: ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରବିବାର ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭୁଜବଲ ଏମ୍ଆଇଟିଏସ୍ ଇଞ୍ଜିନିୟରିଂ କଲେଜରୁ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ମିଳିଛି ।

ମୃତକ ବରଗଡ଼ର ୨୧ ବର୍ଷୀୟ ପ୍ରୀତମ ପ୍ରଧାନ । ସେ ଏମ୍ଆଇଟିଏସ୍ ଇଞ୍ଜିନିୟରିଂ କଲେଜରେ କୃଷି ବିଭାଗର ଶେଷବର୍ଷର ଛାତ୍ର ଥିଲେ । ରବିବାର ସକାଳେ ପ୍ରୀତମ ସାଙ୍ଗମାନଙ୍କ ସହ ଜଳଖିଆ ଖାଇ ସାରି ହଷ୍ଟେଲ ରୁମକୁ ଫେରିଥିଲେ ।

କିଛି ସମୟ ପରେ ସହପାଠୀ କ୍ଲାସ୍ କରିବାକୁ ଯାଇଥିବା ବେଳେ ପ୍ରୀତମ ଯାଇ ନଥିଲେ । ସାଙ୍ଗମାନେ କ୍ଲାସ୍ ସାରି ଫେରିବା ପରେ ପ୍ରୀତମକୁ ଡାକିଥିଲେ । ହେଲେ ଭିତରୁ କବାଟ ବନ୍ଦ ରହିଥିଲା । ପ୍ରୀତମ ନ ଶୁଣିବାରୁ କଲେଜ ଅଧୀକ୍ଷକ ପୋଲିସକୁ ଖବର ଦେଇଥିଲେ ।

ଚାନ୍ଦିଲି ପୋଲିସର ଟିମ୍ ହଷ୍ଟେଲରେ ପହଞ୍ଚିବା ସହ କବାଟ ଭାଙ୍ଗି ରୁମ୍ ଭିତରକୁ ପଶିଥିଲା । ପ୍ରୀତମକୁ ରୁମ୍ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ । ରାୟଗଡ଼ା ମେଡିକାଲକୁ ନିଆ ଯାଇଥିବା ବେଳେ ପ୍ରୀତମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ପୋଲିସ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇବା ସହ ପ୍ରୀତମଙ୍କ ପରିବାରକୁ ଖବର ଦେଇଛି । ତେବେ ପ୍ରୀତମ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାର କାରଣ ଜଣାପଡ଼ି ନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛନ୍ତି ଥାନା ଅଧିକାରୀ ହିଆଲ୍ ପ୍ରକାଶ ।

Comments are closed.