ଭୁବନେଶ୍ୱର: ଇଂରାଜୀ ଭାଷା ଲିଙ୍କ୍ ଲାଙ୍ଗୁଏଜ୍ ହୋଇପାରେ, କିନ୍ତୁ ମାତୃଭାଷାର ବିକଳ୍ପ ହୋଇପାରିବ ନାହିଁ । ଆଜିକାଲି ପିଲାମାନେ ଇଂରାଜୀ ଭାଷାକୁ ଯୋଗାଯୋଗର ଏକ ମାଧ୍ୟମ ଭାବେ ବ୍ୟବହାର ନକରି, ଇଂରାଜୀ କହିବାକୁ ଏକ ଫେସନ୍ ଭାବେ ଗ୍ରହଣ କରୁଛନ୍ତି । ଇଂରାଜୀ ମିଡିଅମ୍ରେ ପଢୁଥିବା ଅନେକ ଛାତ୍ରଛାତ୍ରୀ ଓଡିଆ ଭାଷା ପଢିବାରେ ଅକ୍ଷମ। ଏହା ଦୁଃଖର ବିଷୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ତାମିଲ୍ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀ ଅବସରରେ ଆଜି ଭାରତୀୟ ଭାଷା ଉତ୍ସବ ପାଳନ କରାଯାଉଛି । ଚଳିତ ବର୍ଷର ଭାରତୀୟ ଭାଷା ମହୋତ୍ସବର ବିଷୟବସ୍ତୁ ହେଉଛି “ଭାଷା ମାଧ୍ୟମରେ ଏକତା” । ଏହି ଅବସରରେ ଆଜି ଲୋକସେବା ଭବନ କନଭେନସନ୍ ସେଣ୍ଟର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାର ଓଡିଆ ଭାଷାର ବ୍ୟବହାର ଉପରେ ଗୁରୁତ୍ବଦେଇ କାମ ଆରମ୍ଭ କରିଛନ୍ତି । ସରକାରୀ ଫାଇଲ୍କୁ ଓଡିଆ ଭାଷାରେ କରିବା ପାଇଁ ଦୃଢ ନିର୍ଦ୍ଦେଶ ଦିଆଯାଇଛି । ଅନେକ ବିଭାଗରେ ଓଡିଆ ଭାଷାରେ ଫାଇଲ୍ କାମ ଆରମ୍ଭ ମଧ୍ୟ ହେଲାଣି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ତାଙ୍କ ଜୟନ୍ତୀରେ ଆମେ ରାଜ୍ୟସ୍ତରରେ ଭାରତୀୟ ଭାଷା ଉତ୍ସବ ଭାବେ ପାଳନ କରୁଛୁ । ଏହା କେବଳ ଏକ ଉତ୍ସବ ନୁହେଁ, ଆମ ସଂସ୍କୃତି ଏବଂ ଗୌରବର ପ୍ରତୀକ । ଭାଷାଭିତ୍ତିକ ବିବିଧତା ହେଉଛି ଆମର ସର୍ବଶ୍ରେଷ୍ଠ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ, ଏହାକୁ କାୟ ମନୋବାକ୍ୟରେ ଅନୁସରଣ କରି ଆମେ ଆଗକୁ ଯିବାର ସ୍ବପ୍ନ ଦେଖିବା ହିଁ ଆଜିର ଆବଶ୍ୟକତା ।
ସ୍ବର୍ଗତ ଭାରତୀ ଯଦିଓ ତାମିଲ ସାହିତ୍ୟକୁ ନିଜ ପ୍ରତିଭା ବଳରେ ନିଜ ସାରସ୍ଵତ ସାଧନାରେ ଉଦ୍ବୁଦ୍ଧ କରିଛନ୍ତି, ସେ ଅନ୍ୟାନ୍ୟ ଭାରତୀୟ ଭାଷାକୁ ମଧ୍ୟ ଋଦ୍ଧିମନ୍ତ କରିଛନ୍ତି । ସେ ନିଜର ସାହିତ୍ୟ ମାଧ୍ୟମରେ ସମାଜ ସଂସ୍କାର ଉପରେ ଗୁରୁତ୍ୱ ଆରୋପ କରୁଥିଲେ। ସମାନତା, ମହିଳା ସଶକ୍ତିକରଣ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଜରିଆରେ ଏକ ପ୍ରଗତିଶୀଳ ଭାରତ ଗଠନ ପାଇଁ ଉଦ୍ୟମ କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସୁବ୍ରମଣ୍ୟ ଭାରତୀ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକ୍ ଓ ଶ୍ରୀ ଅରୋବିନ୍ଦଙ୍କ ଦ୍ବାରା ଗଭୀର ଭାବରେ ପ୍ରଭାବିତ ହୋଇ ବୈପ୍ଳବିକ ଚିନ୍ତାଧାରାରେ କବିତା ଲେଖୁଥିଲେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନିଜର ବଳିଷ୍ଠ ଲେଖା ମାଧ୍ୟମରେ ସେ ଯୁବ ସମାଜ ମଧ୍ୟରେ ଜାତୀୟତାର ଭାବ ଉଦ୍ରେକ କରି ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରେରଣା ଦେଉଥିଲେ । ତାଙ୍କର ସଙ୍ଗୀତ ‘ଆଚାମିଲାଇ ଆଚାମିଲାଇ’ ଯୁବ ସମାଜକୁ ଭୟମୁକ୍ତ ହୋଇ, ଋଢିବାଦୀ ପରମ୍ପରାକୁ ପଛରେ ପକାଇ ଆଗକୁ ବଢିବା ପାଇଁ ପ୍ରେରିତ କରୁଥିଲେ । ସମାଜରେ ମହିଳାମାନଙ୍କ ଶିକ୍ଷା ଉପରେ ସେ ଗୁରୁତ୍ୱ ଆରୋପ କରୁଥିଲେ । ତାଙ୍କର ଚିନ୍ତାଧାରା ତତ୍କାଳୀନ ସମୟ ଠାରୁ ଯଥେଷ୍ଟ ଆଗରେ ଥିଲା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ଆମର ଯୁବ ସମାଜ ପାଖରେ ସୁବ୍ରମଣ୍ୟ ଭାରତୀଙ୍କ ଜୀବନୀରୁ ଯଥେଷ୍ଟ କିଛି ଶିଖିବାର ସୁଯୋଗ ରହିଛି ବୋଲି ସେ କହିଥିଲେ।