Latest Odisha News

BREAKING NEWS

GRKS ୱେବସାଇଟରେ ଚାକିରି ନାଁରେ ଠକେଇ ମାମଲା, ବିହାରରୁ ବନ୍ଧା ହେଲା ଦ୍ୱିତୀୟ ଅଭିଯୁକ୍ତ

ଭୁବନେଶ୍ୱର: ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ୱେବସାଇଟ୍ ଖୋଲି ଚାକିରି ଯୋଗାଇ ଦେବା ନାଁରେ ଠକେଇ ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଇଓଡବ୍ଲୁ । ଗିରଫ ଜଣଙ୍କ ବିହାର ଗୋପାଳଗଞ୍ଜର ଜୟରାମ ତିୱାରୀ । ପୂର୍ବରୁ ଇଓଡବ୍ଲୁ ବିହାରରୁ ଏହି ରାକେଟର ମୁଖ୍ୟ ଅଭିଯୁକ୍ତ ଧର୍ମପାଲ ସିଂଙ୍କୁ ଗିରଫ କରିଥିଲା ।

ଏବେ ଗିରଫ ହୋଇଥିବା ଜୟରାମ ତିୱାରୀ ପ୍ରାୟ ୩୫ ଲକ୍ଷରୁ ଅଧିକ ଟଙ୍କା ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନରେ ପାଇଥିବା କହିଛି । ଧର୍ମପାଲ ସହ ଜୟରାମ ସହ ପ୍ରଯୋଜକ ରହି ଏକ ଫିଲ୍ମ ତିଆରି କରିଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ଇଓଡବ୍ଲୁ । ତେବେ ସଂସ୍ଥାର ୨ ଠକ ଗିରଫ ହୋଇଥିଲେ ମଧ୍ୟ ଏବେ ବି ଆକ୍ଟିଭ୍ ରହିଛି ଠକେଇ ଲାଗି ବ୍ୟବହାର କରାଯାଇଥିବା ୱେବସାଇଟ୍ ।

ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ଏମାନେ ନିଯୁକ୍ତି ବିଜ୍ଞାପନ ଦେଇ ଆଶାୟୀ ଯୁବକ ଯୁବତୀଙ୍କୁ ଠକୁଥିଲେ । ୧୭ଟି ରାଜ୍ୟରେ ବ୍ୟାପିଥିଲା ଏହି ଜବ ରାକେଟ୍ । ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ପଞ୍ଜିକୃତ ହୋଇଥିବା ବେଳେ ଭୋପାଳ, ମୁମ୍ବାଇ ଓ ଡେରାଡୁନରେ ଶାଖା ରହିଛି ।

ଆଉ ଚାକିରି ଆଶାୟୀଙ୍କ ବିଶ୍ୱାସ ଜିତିବା ଲାଗି ଜାତିଭିତ୍ତିକ ସଂରକ୍ଷଣ ଓ ରିହାତି ପ୍ରଦାନ କରୁଥିଲା ଏହି ଠକ ସଂସ୍ଥା । ଓଡ଼ିଶାରେ ଠକେଇ ଲାଗି ପ୍ରମୁଖ ଦୈନିକ ଓଡ଼ିଆ ଖବର କାଗଜରେ ବିଜ୍ଞାପନ ମଧ୍ୟ ଦେଉଥିଲେ । ଏତିକିରେ ସୀମିତ ନଥିଲା ଏହି ସଂସ୍ଥା । ଅନଲାଇନ୍ ପରୀକ୍ଷା ସହ ସାକ୍ଷାତକାର ବି ନିଆ ଯାଉଥିଲା । ପ୍ରତି ପୋଷ୍ଟ ପାଇଁ ୱେବସାଇଟରେ ଉପଲବ୍ଧ ହେଉଥିଲା ପାଠ୍ୟକ୍ରମ ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଠକେଇ କରୁଥିବା ଏହି ୱେବସାଇଟରେ ଲେଖା ଥିଲା ଚାକିରି ଠକେଇ ପ୍ରତି ସାବଧାନ ରୁହନ୍ତୁ । ୨୦୨୦ ମସିହାରୁ ଓଡ଼ିଶା ସହ ଦେଶର ୧୭ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ଉତ୍ତରାଖଣ୍ଡ, ରାଜସ୍ଥାନ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ପଶ୍ଚିମବଙ୍ଗ, ଆସାମା, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, କେରଳ, କର୍ଣ୍ଣାଟକ, ଝାଡ଼ଖଣ୍ଡ, ପଞ୍ଜାବ ଓ ହରିୟାଣା ଆଦି ରାଜ୍ୟରେ ସଂସ୍ଥା ଚାକିରି ଯୋଗାଇ ଦେବା ନାଁରେ ଠକେଇ କରୁଥିଲା ।

ସଂସ୍ଥା ଅନଲାଇନ୍ ସାକ୍ଷାତକାର, ପରୀକ୍ଷା କରିବା ସହ ଉଦ୍ଦେଶ୍ୟମୂଳକ ଭାବେ ସମସ୍ତଙ୍କୁ ଅଯୋଗ୍ୟ ବିବେଚିତ କରୁଥିଲା । ଏହି ଭଳି ଭାବେ ଜିଆରକେଏସ୍ ଆବେଦନକାରୀଙ୍କ ଠାରୁ କୋଟି କୋଟି ଟଙ୍କାର ଆବେଦନ ଫି ହାତଉ ଥିଲା । କେବଳ ଚାକିରି ନୁହେଁ ସଂସ୍ଥା ଜାଲ୍ ସ୍କଲାରସିପ୍ ପରୀକ୍ଷା ମଧ୍ୟ କରୁଥିବା ତଦନ୍ତ ବେଳେ ଜଣା ପଡ଼ିଛି ।

ଜିଆରକେଏସ୍ ଆୟ କରୁଥିବା ଅର୍ଥକୁ ବିଭିନ୍ନ ସେଲ୍ କମ୍ପାନୀ ଗୁର୍ବା ଏଜୁଟେକ୍, ଆମୋଘ ସେବା ଫାଉଣ୍ଡେସନ୍, ଉଦ୍ୟମିତା ସେବା ସମିତି, ୟୋତ୍ତା ଏଜୁଟେକ୍, ଜେଏମପି ଇନୋଭେଟିଭ୍ ଆଦି ସିଷ୍ଟର କମ୍ପାନୀକୁ ଡାଇଭର୍ଟ କରୁଥିଲେ । ଏବେ ସୁଦ୍ଧା ଇଓଡବ୍ଲୁ ୬.୬ କୋଟି ଟଙ୍କାର ଠକେଇ ଧରିଥିବା ବେଳେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.