Latest Odisha News

ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଅଦ୍ଭ୍ୟୁଦୟ: ଇଏସଆଇରେ ମିଳିବ ଆୟୁଷ୍ମାନ ସୁବିଧା

ନୂଆଦିଲ୍ଲୀ: କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ସ୍ବାସ୍ଥ୍ୟ କ୍ଷେତ୍ରରେ କର୍ମଚାରୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ଇଏସଆଇସି) ଏବଂ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଆଇ) ମଧ୍ୟରେ ସମ୍ମିଶ୍ରଣ କରିବାକୁ ଯାଉଛନ୍ତି ସରକାର । ଏନେଇ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କ ନେତୃତ୍ବରେ ଇଏସଆଇ ତାର କର୍ମଚାରୀଙ୍କ ପାଇଁ ଏକ ବିସ୍ତୃତ ସ୍ବାସ୍ଥ୍ୟ ସେବା ଯୋଗାଇବା ଉପରେ କାର୍ଯ୍ୟ କରୁଛି । ଯେଉଁଥିରେ କର୍ମଚାରୀଙ୍କ ରାଜ୍ୟ ବୀମା ନିଗମରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ଭାରତର ସମସ୍ତ ସେବା ଉପଲବ୍ଧ ରହିବ ।

ଇଏସଆଇସି ଏବଂ ଏବି-ପିଏମଜେଏଓ୍ବାଇ ମଧ୍ୟରେ ଏହି ସମ୍ମିଶ୍ରଣ ଏକ ଏମିତି ପରିସଂସ୍ଥା ସୃଷ୍ଟି କରିବ, ଯେଉଁଥିରେ କର୍ମଚାରୀଙ୍କ ରାଜ୍ୟ ବୀମା ହିତାଧିକାରୀମାନେ ଏବି-ପିଏମଜେଏଓ୍ବାଇ ଲାଗୁ ଥିବା ହସ୍ପିଟାଲରେ ସମସ୍ତ ସେବା ପାଇପାରିବେ । ଆଉ ଏହା ସହିତ ଏବି-ପିଏମଜେଏଓ୍ବାଇ ହିତାଧିକାରୀମାନେ ମଧ୍ୟ ରାଜ୍ୟ ବୀମା ନିଗମ ଡାକ୍ତରଖାନାଗୁଡ଼ିକରୁ ସେବା ପାଇପାରିବେ । ଏଭଳି ହେବା ଦ୍ବାରା ପ୍ରାୟ ୧୪.୪୩ କୋଟି ହିତାଧିକାରୀ ଏବଂ ତାଙ୍କ ପରିବାର ଏଥିରେ ଉପକୃତ ହୋଇପାରିବେ । ଯାହାକୁ ନେଇ କେନ୍ଦ୍ର ଶ୍ରମ ସଚିବ ଗତ ୨୬ ତାରିଖରେ ଏହି ସମିଶ୍ରଣ ଉପରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ ମଧ୍ୟରେ ଏହି ସମ୍ମିଶ୍ରଣ ଦେଶରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକାଶ ପାଇଁ ଏକ ଐତିହାସିକ ପଦକ୍ଷେପ ହୋଇଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ସୁବିଧା ପ୍ୟାକେଜ୍ ସହିତ ଏବି-ପିଏମଜେଏଓ୍ବାଇ ଅଧୀନରେ ଦିଆଯାଉଥିବା ଗୁଣାତ୍ମକ ସେବାର ମଧ୍ୟ ଲାଭ ଉଠାଇପାରିବେ ହିତାଧିକାରୀ ।  ଯାହା ସ୍ବାସ୍ଥ୍ୟ ସେବାର ମାନକୁ ମଧ୍ୟ ବୃଦ୍ଧି କରିବ । ଏହି ସହଯୋଗ କେବଳ କର୍ମଚାରୀଙ୍କ ରାଜ୍ୟ ବୀମା ହିତାଧିକାରୀଙ୍କୁ ଉନ୍ନତ ଚିକିତ୍ସା ସେବା ସୁନିଶ୍ଚିତ କରିବ ତାହା ନୁହଁ ବରଂ କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ ସ୍ୱାସ୍ଥ୍ୟ ସେବା ବିତରଣ ଅନୁଷ୍ଠାନର ଅନୁପସ୍ଥିତିରେ ମଧ୍ୟ ଚିକିତ୍ସା ସେବା ପାଇବା ପାଇଁ ସେମାନଙ୍କ ଖର୍ଚ୍ଚକୁ ହ୍ରାସ କରିବ । ଏହି ସମ୍ମିଶ୍ରଣ ପରେ  ଦେଶବ୍ୟାପୀ ପାଖାପାଖି ୩୦ ହଜାର ଏବି-ପିଏମଜେଏଓ୍ବାଇ ଲାଗୁଥିବା ହସ୍ପିଟାଲର ଲାଭ ଉଠାଇପାରିବେ ଶ୍ରମିକ କର୍ମଚାରୀ ।

ତେବେ ଏବେ ଦେଶରେ ମୋଟ ୭୮୮ ଟି ଜିଲ୍ଲା ମଧ୍ୟରୁ ୬୮୭ ଟି ଜିଲ୍ଲାରେ ଇଏସଆଇ ଯୋଜନା କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନର ୧୬୫ ଡାକ୍ତରଖାନା, ୧୫୯୦ ଡିସପେନସାରିଜ୍,୧୦୫ ଡିସିବିଓ ଏବଂ ପାଖାପାଖି ୨୯୦୦ ଘରୋଇ ଡାକ୍ତରଖାନାର ଇଏସଆଇ ସ୍ବାସ୍ଥ୍ୟ ଯୋଜନା ଉପଲବ୍ଧ ରହିଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟଯୋଜନା ସହିତ ଏହା ସଂଯୋଗ ହେବା ପରେ ଯେଉଁ ଯେଉଁ ସ୍ଥାନରେ ଇଏସଆଇ କାର୍ଯ୍ୟକାରୀ ହେଉନାହିଁ, ସେଠି କର୍ମଚାରିମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇପାରିବ ।

ଏହି ସମ୍ମିଶ୍ରଣ ଦ୍ବାରା ମିଳୁଥିବା ଲାଭ:-

ଏବି-ପିଏମଜେଓ୍ବାଇ ଅଧୀନରେ ସ୍ୱାସ୍ଥ୍ୟ ସେବାରେ ଇଏସଆଇସି ହିତାଧିକାରୀଙ୍କ ପ୍ରବେଶ

ଏବି-ପିଏମଜେଓ୍ବାଇ ହିତାଧିକାରୀମାନେ ମଧ୍ୟ ସେମାନଙ୍କର ଇଏସଆଇସି ସଶକ୍ତ ଡାକ୍ତରଖାନାରେ ସେବା ପାଇପାରିବେ

ଇଏସଆଇ ନିଗମ ହିତାଧିକାରୀମାନେ ସେମାନଙ୍କର ଇଏସଆଇ ସ୍କିମ୍ କାର୍ଡକୁ ଏବି-ପିଏମଜେଓ୍ବାଇ ଲାଗୁ ଥିବା ହସ୍ପିଟାଲଗୁଡିକରେ ମାଗଣା ଚିକିତ୍ସା ପାଇଁ ବ୍ୟବହାର କରିପାରିବେ

ସେହିଭଳି, ଏବି-ପିଏମଜେଓ୍ବାଇ ହିତାଧିକାରୀମାନେ ମଧ୍ୟ ସେମାନଙ୍କର ଏବି-ପିଏମଜେଓ୍ବାଇ କାର୍ଡକୁ ଇଏସଆଇସିର ଅଣସଂରକ୍ଷିତ ଡାକ୍ତରଖାନାଗୁଡ଼ିକରେ ମାଗଣା ଚିକିତ୍ସା ପାଇଁ ବ୍ୟବହାର କରିପାରିବେ

Leave A Reply

Your email address will not be published.