ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଧିରେ ଧିରେ ଉତ୍ତେଜନା ବଢ଼ିବାରେ ଲାଗିଲା। ଆକ୍ରମଣ, ପ୍ରତିଆକ୍ରମଣ ଏବେ ଯୁଦ୍ଧ ଆଶଙ୍କାକୁ ଆହୁରି ତେଜିଲାଣି। ଏହାରି ଭିତରେ ଏବେ ସନ୍ଦେଶ ଦେଇଛି ୟୁରୋପୀୟ ସଂଘ। ପହଲଗାମ ଆକ୍ରମଣକୁ କଡ଼ା ନିନ୍ଦା କରି ଭାରତ ଆଡ଼କୁ ଢଳିବା ନେଇ ସଂକେତ ଦେଇଛି। ନାଗରିକଙ୍କୁ ସୁରକ୍ଷା ଦେବା ସବୁ ରାଷ୍ଟ୍ରର କର୍ତ୍ତବ୍ୟ କହି ଭାରତର ପ୍ରତିଶୋଧ ପ୍ରତି ଏକପ୍ରକାର ସମର୍ଥନ ଜଣାଇବା ସହ ଭାରତ-ପାକିସ୍ତାନ ଉତ୍ତେଜନାକୁ ନେଇ ଚିନ୍ତା ପ୍ରକଟ କରିଛି ୟୁରୋପୀୟ ସଂଘ। ୨୭ ରାଷ୍ଟ୍ର ବିଶିଷ୍ଟ ୟୁରୋପୀୟ ସଂଘର ଏହି ବାର୍ତ୍ତା ଏବେ ଭାରତ ପାଇଁ ବଡ଼ କଥା।
ଏନେଇ ଏକ ବିବୃତ୍ତିରେ ଇୟୁ କହିଛି, ୟୁରୋପୀୟ ସଂଘ ଏବଂ ଏହାର ୨୭ ସଦସ୍ୟ ରାଷ୍ଟ୍ର ସ୍ପଷ୍ଟ ଭାବରେ, ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ଏବଂ ସେଥିରେ ଜୀବନ ହରାଇଥିବା ନିର୍ଦ୍ଦୋଷ ନାଗରିକଙ୍କ ହତ୍ୟାକୁ ନିନ୍ଦା କରୁଛି। ଆତଙ୍କବାଦକୁ କେବେବି ଯଥାର୍ଥ କରାଯାଇପାରିବ ନାହିଁ। ଆକ୍ରମଣ ପାଇଁ ଦାୟୀ ଲୋକଙ୍କୁ ନ୍ୟାୟ ଦେବାକୁ ପଡିବ। ପ୍ରତ୍ୟେକ ରାଷ୍ଟ୍ରର ଆଇନଗତ ଭାବରେ ଏହାର ନାଗରିକଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରୁ ରକ୍ଷା କରିବାର କର୍ତ୍ତବ୍ୟ ଏବଂ ଅଧିକାର ରହିଛି ବୋଲି କହିଛି ୟୁରୋପୀୟ ସଂଘ।
ଏଥିସହିତ ଇୟୁ ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ଭିତରେ ବଢ଼ୁଥିବା ଉତ୍ତେଜନା ଏବଂ ଏହାର ପରିଣାମ, ସମ୍ଭାବ୍ୟ ଅଧିକ ଜୀବନହାନି ଉପରେ ଅତ୍ୟନ୍ତ ଚିନ୍ତା ପ୍ରକଟ କରିଛି। ଏଥିପାଇଁ ଇୟୁ ଉଭୟ ପକ୍ଷକୁ ସଂଯମତା ଅବଲମ୍ବନ , ଉତ୍ତେଜନା ହ୍ରାସ କରିବାକୁ ଏବଂ ଉଭୟ ପକ୍ଷର ସାଧାରଣ ନାଗରିକ ଜୀବନକୁ ସୁରକ୍ଷା ଦେବା ପାଇଁ ଅଧିକ ଆକ୍ରମଣରୁ ନିବୃତ୍ତ ରହିବାକୁ ଆହ୍ୱାନ ଦେଇଛି। ଏଥିସହିତ ଇୟୁ ଉଭୟ ପକ୍ଷକୁ ଆଲୋଚନାରେ ସାମିଲ ହେବାକୁ ଅନୁରୋଧ କରିଛି।
ସେପଟେ ପାକିସ୍ତାନ ଉପରେ ଭାରତର ଜବାବି ଡ୍ରୋନ୍ ବିସ୍ଫୋରଣ ପରେ , ଲାହୋର ଏବଂ ନିକଟରେ ସମ୍ଭାବ୍ୟ ବାୟୁସୀମା ଅନୁପ୍ରବେଶର ରିପୋର୍ଟ ଯୋଗୁଁ, ଲାହୋରର ଆମେରିକୀୟ କନସୁଲେଟ୍ ଜେନେରାଲ ସମସ୍ତ କନସୁଲେଟ୍ କର୍ମଚାରୀଙ୍କୁ ଆଶ୍ରୟସ୍ଥଳରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଯେଉଁ ଆମେରିକୀୟ ନାଗରିକମାନେ ଯଥା ଶୀଘ୍ର ଲାହିଏ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେମାନେ ସୁରକ୍ଷିତ ଭାବରେ ସେଠାରୁ ଚାଲିଯାଇପାରିବେ, ତେବେ ସେଠାରୁ ଚାଲିଯିବା ଉଚିତ। ଯଦି ସେଠାରୁ ବାହାରିବା ନିରାପଦ ନୁହେଁ, ତେବେ ସେମାନେ ସେହି ସ୍ଥାନରେ ଆଶ୍ରୟ ନେବା ଉଚିତ ବୋଲି କହିଛି ପାକିସ୍ତାନରେ ଥିବା ଆମେରିକୀୟ ଦୂତାବାସ ଏବଂ କନସୁଲେଟ୍ ।
Comments are closed.