Latest Odisha News

ଆହୁରି ଲମ୍ବା ହେଲା ୫୮ ବର୍ଷର ଯନ୍ତ୍ରଣାଦାୟକ ପ୍ରତୀକ୍ଷା

ଯେଉଁ ଦେଶରେ ଫୁଟବଲର ସୃଷ୍ଟି, ସେହି ଦେଶର ଏହି ଖେଳରେ ପ୍ରାଧାନ୍ୟ ରହିବା କଥା । ଆନ୍ତର୍ଜାତିକ ଟାଇଟଲର ଅଭାବ ରହିବା କଥା ନୁହେଁ । କିନ୍ତୁ ଏ କ୍ଷେତ୍ରରେ ଇଂଲଣ୍ଡର ରେକର୍ଡ ଅତି ନିରାଶାଜନକ, ଦୁର୍ବଳ । ଫୁଟବଲର ଜନ୍ମଦାତା ହୋଇ ସୁପରପାୱାର ହୋଇପାରିନାହିଁ ଇଂଲଣ୍ଡ । ମାତ୍ର ଥରେ ହିଁ ଜିତିଛି ଫୁଟବଲ୍ ବିଶ୍ୱକପ୍ । ତାହାପୁଣି ୧୯୬୬ ମସିହାରେ ନିଜ ମାଟିରେ । ସେହି ବିଶ୍ୱକପ୍ ବିଜୟକୁ ୫୮ ବର୍ଷ ବିତିଯାଇଥିଲେ ମଧ୍ୟ ଇଂଲଣ୍ଡ ଆଉ କୌଣସି ଟାଇଟଲ ହାତେଇ ପାରିନାହିଁ । ଫୁଟବଲର ଲୋକପ୍ରିୟତା ଓ ଏକ ପେଷାଦାର ପ୍ରତିଦ୍ୱନ୍ଦିତାମୂଳକ ଲିଗ୍ ଥିବା ସତ୍ତ୍ୱେ ଇଂଲଣ୍ଡ ଫୁଟବଲପ୍ରେମୀଙ୍କ ପାଇଁ ଗର୍ବ କରିବା ଭଳି କିଛି ନାହିଁ ।

ଇଂଲଣ୍ଡ ଏଥରର ୟୁରୋ କପ୍ ଫାଇନାଲରେ ପହଂଚି ୧୯୬୬ ପରେ ପ୍ରଥମ ଟାଇଟଲ ହାସଲ କରିବା ଲକ୍ଷ୍ୟରେ ଥିଲା । କିନ୍ତୁ ସ୍ପେନଠାରୁ ହାରି ୫୮ ବର୍ଷ ପରେ ଆଉ ଏକ ଟାଇଟଲ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ଇଂଲଣ୍ଡ ପ୍ରଶଂସକଙ୍କ ଯନ୍ତ୍ରଣାଦାୟକ ପ୍ରତୀକ୍ଷା ଆହୁରି ଲମ୍ବା ହୋଇଛି ।

ଲଗାତର ଦ୍ୱିତୀୟ ଥର ୟୁରୋପିଅନ ଚାମ୍ପିଅନସିପରେ ରନର୍ସଅପ୍ ହୋଇଛି ଇଂଲଣ୍ଡ । ୨୦୨୧ରେ ନିଜ ମାଟିରେ ଆୟୋଜିତ ୟୁରୋକପ ଫାଇନାଲରେ ମଧ୍ୟ ପହଂଚିଥିଲା ଇଂଲଣ୍ଡ । କିନ୍ତୁ ଇଟାଲୀଠାରୁ ପେନାଲଟି ସୁଟଆଉଟରେ ହାରିଯାଇଥିଲା ।

ଫୁଟବଲର ସୃଷ୍ଟିକର୍ତ୍ତା ଦେଶ କେବଳ ଥରେ ହିଁ ବିଶ୍ୱ ଚାମ୍ପିଅନ ହେବା ଓ ୟୁରୋପିୟନ ଚାମ୍ପିଅନସିପ୍ ଆଦୌ ଜିତିନପାରିବା ନିଶ୍ଚିତ ଭାବେ ଲଜ୍ଜାଜନକ । ୨୦୨୧ ସଂସ୍କରଣ ପୂର୍ବରୁ ଇଂଲଣ୍ଡ ୟୁରୋପିୟନ ଚାମ୍ପିଅନସିପର ଫାଇନାଲରେ ମଧ୍ୟ ପହଞ୍ଚି ପାରିନଥିଲା । କେବଳ ସେତିକି ନୁହେଁ, ୧୯୬୬ ଫୁଟବଲ ବିଶ୍ୱକପ୍ ଜିତିଲା ପରେ ବିଶ୍ୱକପର ଅନ୍ୟ କୌଣସି ସଂସ୍କରଣର ଫାଇନାଲରେ ମଧ୍ୟ ପହଂଚି ନାହିଁ ଇଂଲଣ୍ଡ । ୧୯୯୦ରେ ଇଟାଲୀରେ ହୋଇଥିବା ଫୁଟବଲ୍ ବିଶ୍ୱକପ ସେମିଫାଇନାଲ ଖେଳିଥିଲା ଇଂଲଣ୍ଡ, ଯାହା କି ୧୯୬୬ ପରେ ବିଶ୍ୱକପରେ ଇଂଲଣ୍ଡର ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଛି । ସବୁଠୁ ଲଜ୍ଜାଜନକ କଥା ହେଲା ଯେ, ୧୯୯୪ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲା ଇଂଲଣ୍ଡ । ୨୦୦୮ ୟୁରୋପିୟନ ଚାମ୍ପିଅନସିପ୍ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିପାରିନଥିଲା ଇଂଲଣ୍ଡ ।

ଇଂଲଣ୍ଡର ଇଂଲିଶ ପ୍ରିମିୟରସିପ୍ ବିଶ୍ୱର ସବୁଠାରୁ ନାମୀଦାମୀ ପେଷାଦାର ଫୁଟବଲ୍ ଲିଗ୍ । ବିଦେଶର ବହୁ ଖ୍ୟାତନାମା ଖେଳାଳି ଏହି ଲିଗରେ ଖେଳନ୍ତି । ଏଭଳି ଏକ ଲିଗ୍ ସତ୍ତ୍ୱେ ଆନ୍ତର୍ଜାତିକସ୍ତରୀୟ ଫୁଟବଲର ସୃଷ୍ଟି କରିବାରେ ବିଫଳ ହୋଇଛି ଇଂଲଣ୍ଡ । ଇଂଲଣ୍ଡର ଖେଳିବା ଶୈଳୀ ମଧ୍ୟ ଆକର୍ଷଣୀୟ ଓ ଆକ୍ରମଣାତ୍ମକ ନୁହେଁ ।

ଇଂଲଣ୍ଡ ଫୁଟବଲ ଖେଳର ଏକ ଅଣ୍ଡରଆଚିଭର ଦେଶ ଭାବେ ହିଁ ରହିଯାଇଛି । ଇଂଲଣ୍ଡଠୁ ଫୁଟବଲ ଶିଖିଥିବା ଫ୍ରାନସ, ଜର୍ମାନୀ, ଇଟାଲୀ ଓ ସ୍ପେନ୍ ବହୁତ ଆଗେଇ ସାରିଲେଣି । ଏପରିକି ଦିନେ ଅଣ୍ଡରଆଚିଭର ଥିବା ସ୍ପେନ ମଧ୍ୟ ଗୋଟିଏ ବିଶ୍ୱକପ୍ ଓ ଚାରିଟି ୟୁରୋପିୟନ ଟାଇଟଲ ଜିତି ଇଂଲଣ୍ଡରୁ ବହୁ ଆଗରେ ଅଛି । କିନ୍ତୁ ଇଂଲଣ୍ଡ ବହୁ ପଛରେ ରହିଯାଇଛି ।

Comments are closed.