Latest Odisha News

BREAKING NEWS

ଫିଫା ବିଶ୍ୱକପ: ଏଥର ହ୍ରାସ ହେବ କି ୟୁରୋପର ଆଧିପତ୍ୟ

ଦୋହା: କାତାରରେ ଆଉ ୪ ଦିନ ପରେ ଆରମ୍ଭ ହୋଇଯିବ ଫିଫା ବିଶ୍ୱକପ । ଏଥର ୟୁରୋପର ୨୦ ବର୍ଷର ଆଧିପତ୍ୟ ଦକ୍ଷିଣ ଆମେରିକୀୟ ଦେଶ ହ୍ରାସ କରିବେ କି ? ମୂଖ୍ୟତଃ ଲିଓନେଲ ମେସି ଓ ନେମାର ନିଜ ନିଜ ଦେଶକୁ ଚାମ୍ପିୟନ କରାଇ ପାରିବେ ତ? ସବୁ ବିଶ୍ୱକପରେ ଆର୍ଜେଂଟିନା ଓ ବ୍ରାଜିଲ ବିଶ୍ୱକପ ଦାବୀଦାର ଦୌଡରେ ଆଗରେ ରହୁଥିଲେ ମଧ୍ୟ ୨୦୦୨ ପରଠାରୁ ଟାଇଟଲ ହାସଲ କରିପାରି ନାହାନ୍ତି । ଦକ୍ଷିଣ ଆମେରିକା ଦେଶ ମଧ୍ୟରେ ବ୍ରାଜିଲ ସର୍ବାଧିକ ୫ ଥର (୧୯୫୮, ୬୨, ୭୦, ୯୪, ୨୦୦୨) ଟାଇଟଲ ଜିତିଛି । ଆର୍ଜେଂଟିନା ୧୯୭୮ ଓ ୮୬ରେ ବିଜୟୀ ହୋଇଛି । ୧୯୩୦ ଓ ୧୯୫୦ରେ ଉରୁଗୁଏ ଏହି ମହାକୁମ୍ଭରେ ଚାମ୍ପିୟନ ହୋଇଛି । ୨୦୦୨ ପର୍ଯ୍ୟନ୍ତ ୟୁରୋପୀୟ ଦେଶ ୮ ଓ ଦକ୍ଷିଣ ଆମେରିକୀୟ ଦେଶ ୯ ଟାଇଟଲ ଜିତିଥିଲେ । ଏହା ପରଠାରୁ ୟୁରୋପୀୟ ଦେଶ କ୍ରମାଗତ ଭାବେ ଟାଇଟଲ ହାସଲ କରି ଚାଲିଛନ୍ତି । ୨୦୧୪ରେ କେବଳ ଆର୍ଜେଂଟିନା ଫାଇନାଲରେ ପ୍ରବେଶ କରି ପାରିଥିଲା । ଜର୍ମାନୀ ୧-୦ ଗୋଲରେ ଆର୍ଜେଂଟିନାକୁ ହରାଇ ଚାମ୍ପିୟନ ହୋଇଥିଲା । ୨୦୧୦ରେ ଉରୁଗୁଏ ଓ ୨୦୧୪ରେ ବ୍ରାଜିଲ ସେମିଫାଇନାଲ ପର୍ଯ୍ୟନ୍ତ ଯାଇପାରିଥିଲେ । ମେସି, ନେମାରଙ୍କ ଏହା ଶେଷ ବିଶ୍ୱକପ ଭାବେ ବିବେଚନା କରାଯାଉଛି । ଫୁଟବଲର ମହାରଥୀ ହେବା ସତ୍ୱେ ଏହି ଦୁଇ ଷ୍ଟାର ନିଜ ଦେଶକୁ ଚାମ୍ପିୟନ କରାଇ ପାରି ନାହାନ୍ତି । ଦେଖାଯାଏ ମେସି ଆର୍ଜେଂଟିନାକୁ ନାଁ ନେମାର ବ୍ରାଜିଲକୁ ଜିତାଇବେ ? ୟୁରୋପୀୟ ଦେଶ ଏମାନଙ୍କୁ ଏହି ସୁଯୋଗ ଦେବେ ତ ?

ବିଜେତା ଦକ୍ଷିଣ ଆମେରିକା ଦେଶ: ଉରୁଗୁଏ (୧୯୩୦), ଉରୁଗୁଏ (୧୯୫୦), ବ୍ରାଜିଲ (୧୯୫୮), ୧୯୬୨ (ବ୍ରାଜିଲ), ବ୍ରାଜିଲ (୧୯୭୦), ଆର୍ଜେଂଟିନା (୧୯୭୮), ଆର୍ଜେଂଟିନା (୧୯୮୬), ବ୍ରାଜିଲ (୧୯୯୪) ।
ବିଜେତା ୟୁରୋପୀୟ ଦେଶ: ଇଟାଲୀ (୧୯୩୪), ଇଟାଲୀ (୧୯୩୮), ପଶ୍ଚିମ ଜର୍ମାନୀ(୧୯୫୪), ଇଂଲଣ୍ଡ (୧୯୬୬), ପଶ୍ଚିମ ଜର୍ମାନୀ (୧୯୭୪), ଇଟାଲୀ (୧୯୮୨), ଜର୍ମାନୀ (୧୯୯୦), ଫ୍ରାନ୍ସ (୧୯୯୮), ଇଟାଲୀ (୨୦୦୬), ସ୍ପେନ (୨୦୧୦), ଜର୍ମାନୀ (୨୦୧୪) ଓ ଫ୍ରାନ୍ସ (୨୦୧୮) ।

Comments are closed.