Latest Odisha News

BREAKING NEWS

୩ ମାସ ପରେ ବି ପିସିସି କମିଟି ଗଢ଼ା ହୋଇପାରିଲାନି, କେମିତି ଟକ୍କର ଦେବ କଂଗ୍ରେସ?

ଭୁବନେଶ୍ୱର: ରାଜ୍ୟରେ ପିସିସି ସଭାପତି ଭାବେ ମେ ୨୩ରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଶରତ ପଟ୍ଟନାୟକ। ଦାୟିତ୍ୱ ନେବାର ତିନି ମାସ ମଧ୍ୟରେ ଗଢା ହୋଇପାରିନି ପିସିସି କମିଟି। କେବଳ ପିସିସି କମିଟି ନୁହଁ, ଜିଲ୍ଲା ଓ ବ୍ଲକ ସ୍ତରର କମିଟି ମଧ୍ୟ ଗଠନ କରିପାରିନି କଂଗ୍ରେସ । ଏବେ ଅଗଷ୍ଟ ଶେଷ ହୋଇ ସେପ୍ଟେମ୍ବର ଆରମ୍ଭ ହେବାକୁ ଯାଉଛି କିନ୍ତୁ ଏହି କମିଟି ଗଠନ ହେବାର ସମ୍ଭାବନା କମ୍ ରହିଛି। ଏହାର କାରଣ ଏଆଇସିସି ଅଧ୍ୟକ୍ଷ ନିର୍ବାଚନ ବୋଲି କୁହାଯାଉଛି।

୨୦୨୪ରେ ସାଧାରଣ ନିର୍ବାଚନ ରହିଛି। ଏହା ପୂର୍ବରୁ ବିଜେଡି ବିଭିନ୍ନ କମିଟି ଗଠନ କରି ଦଳକୁ ମଜବୁତ କରୁଛି। ବିଜେପି ମଧ୍ୟ ନୂଆ ପ୍ରଭାରୀ ସୁନୀଲ ବଂଶଲଙ୍କୁ ପାଇଛି। ବିରୋଧୀ ଦଳ ନେତା ଭାବେ ଜୟ ନାରାୟଣ ମିଶ୍ର ଦାୟିତ୍ୱ ନେବା ପରେ ବିଜେପି ମଧ୍ୟ ୨୦୨୪ରେ ଫୁଲ୍ ଜୋଶରେ ବିଜେଡି ଏବଂ କଂଗ୍ରେସକୁ ମୁକାବିଲା କରିବ ବୋଲି କହିଛି। କିନ୍ତୁ କଂଗ୍ରେସ ୩ ମାସ ମଧ୍ୟରେ ପିସିସି କମିଟି ଗଠନ ନକରିପାରିବା ତାହା ଏବେ ବଡ ପ୍ରଶ୍ନ ଛିଡା କରିଛି।

ଅନ୍ୟପଟେ ଆଜି ଶରତ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିବେ। ଦଳର ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ସମସ୍ତ ପିସିସି ସଭାପତିଙ୍କୁ ଡକାଇଛନ୍ତି। ଏହି ବୈଠକରେ ରାଜ୍ୟ ସଂଗଠନ ନେଇ ଆଲୋଚନା ହେବ। ଏଥିସହ ଭାରତ ଯୋଡୋ ନେଇ ଆଲୋଚନା ହେବ। ଏହାପରେ ଆସନ୍ତାକାଲି ସମସ୍ତ ରାଜ୍ୟର ବିଧାୟକ ଦଳର ନେତାଙ୍କୁ ଦିଲ୍ଲୀ ଡକରାଯାଇଛି। ସେଠାରେ କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ଏବଂ କଂଗ୍ରେସ ବିଧାୟକ ଦଳର ନେତା ଏକାଠି ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସୂଚନା ରହିଛି।

ତେବେ କମିଟି ଗଢା ନହୋଇପାରିବା ପଛରେ ଦଳର ଅସନ୍ଚୁଷ୍ଟ ଗୋଷ୍ଠୀ ବୋଲି ମଧ୍ୟ କୁହାଯାଉଛି। କଟକ ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମଙ୍କୁ ନେଇ ଦଳ ଭିତରେ ଅସନ୍ତୋଷ ତେଜିଛି। ତେଣୁ ଦଳ କଣ ନିଷ୍ପତ୍ତି ନେବ ସେ ନେଇ ପିସିସି ସଭାପତି ଦୋଛକିରେ ପଡିଛନ୍ତି।

Leave A Reply

Your email address will not be published.