Latest Odisha News

BREAKING NEWS

ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ମେ ମାସରେ ଗହମ ରପ୍ତାନୀ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇବା ପରେ ଏବେ ମଇଦା, ସୁଜି, ଅଟା ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଗତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ନେଇଥିଲା। ପରେ ଏନେ ବିଜ୍ଞପ୍ତି ଜାରି କରି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ କହିଛନ୍ତି ଯେ ଏହିସବୁ ସାମଗ୍ରୀର ଦର ନିୟନ୍ତ୍ରଣ କରିବା ପାଇଁ ରପ୍ତାନୀ ଉପରେ ପଦକ୍ଷେପ ଲଗାଯାଇଛି। ତେବେ ଭାରତ ସରକାରଙ୍କ ଅନୁମତି କ୍ରମେ ଏହି ସାମଗ୍ରୀର ରପ୍ତାନୀ କେତେକ କ୍ଷେତ୍ରରେ ଅନୁମତି ଦିଆଯିବ।

ବିଜ୍ଞପ୍ତି ଅନୁଯାୟୀ ଏବେ ଆନ୍ତଃ ମନ୍ତ୍ରୀ କମିଟି ବର୍ତ୍ତମାନ ମଇଦା, ସୁଜି, ଅଟା ବ୍ୟତୀତ ଚକି ପେଶା ଅଟାର ରପ୍ତାନୀ ପାଇଁ ଅନୁମତି ନେବା ଆବଶ୍ୟକ । ତେବେ ବୈଦେଶିକ ବାଣିଜ୍ୟ ନୀତି ୨୦୧୫-୨୦ର ସ୍ୱତନ୍ତ୍ର ବ୍ୟବସ୍ଥା ଏହି ବିଜ୍ଞପ୍ତି ଅନୁଯାୟୀ ପ୍ରଯୁଜ୍ୟ ହେବ ନାହିଁ। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଏପ୍ରିଲ୍ ୨୦୨୨ ରୁ ଜୁଲାଇ ୨୦୨୨ ମଧ୍ୟରେ ଭାରତରୁ ଗହମ, ମଇଦା ରପ୍ତାନୀ ୨୦୨୧ ତୁଳନାରେ ଏବେ ୨୦୦% ବୃଦ୍ଧି ପାଇଛି। ୨୦୨୧-୨୨ ମସିହାରେ ଭାରତ ୨୪୬ ନିୟୁତ ଡଲାରର ଗହମ, ମଇଦା ରପ୍ତାନୀ କରିଛି। ଏଥିସହିତ, ଚଳିତ ଆର୍ଥିକ ବର୍ଷରେ ମଇଦା ରପ୍ତାନୀ ଏପ୍ରିଲରୁ ଜୁଲାଇ ମଧ୍ୟରେ ୧୨୮ ମିଲିୟନ ଡ଼ଲାରରେ ପହଞ୍ଚିଛି।

ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୨ ତାରିଖ ସୁଦ୍ଧା ଭାରତରେ ଗହମର ହାରାହାରି ଖୁଚୁରା ମୂଲ୍ୟ ୩୧.୦୪ ଟଙ୍କା ଥିଲା, ଯାହା ଗତ ବର୍ଷ ତୁଳନାରେ ୨୨% ଅଧିକ। ବର୍ଷ ପୂର୍ବରୁ ସମାନ ଅବଧିରେ ଗହମ କିଲୋ ପିଛା ୨୫.୪୧ ଟଙ୍କା ଥିଲା। ଅନ୍ୟପକ୍ଷରେ ଗହମ ମଇଦା ମୂଲ୍ୟରେ ହାରାହାରି ୧୭% ବୃଦ୍ଧି ହୋଇଛି। ଗହମ , ମଇଦା ପୂର୍ବରୁ କିଲୋ ପିଛା ୩୦.୦୪ ଟଙ୍କା ଥିବା ବେଲେ ଏବେ ଏହା ୩୫.୧୭ ଟଙ୍କାକୁ ବୃଦ୍ଧି ପାଇଛି।

ବିଭିନ୍ନ ମିଡିଆ ରିପୋର୍ଟ ଅନୁଯାୟୀ, ୨୦୨୧-୨୨ ମସିହାରେ ଫସଲ ଉତ୍ପାଦନରେ ୩% ହ୍ରାସ ଘଟିଛି। ହୋଲସେଲ ଏବଂ ଖୁଚୁରା ବଜାରରେ ଗହମର ମୂଲ୍ୟ ବୃଦ୍ଧି ପାଇଛି। ଏଥି ସହିତ ଗହମର ଉପଲବ୍ଧତା ନାହିଁ ଏବଂ ମୂଲ୍ୟ ବୃଦ୍ଧି ନେଇ ଶିଳ୍ପ ସଂସ୍ଥା ଅଟା ସଂଘ ଚିନ୍ତା ପ୍ରକଟ କରିଛି।

Leave A Reply

Your email address will not be published.