Latest Odisha News

BREAKING NEWS

ନିଆଁରେ ଜଳିଗଲା ଶରୀରର ୯୬ ପ୍ରତିଶତ, ୨୦୦ ଅସ୍ତ୍ରୋପଚାର ପରେ ସାଜିଗଲେ ମଡ଼େଲ

ବ୍ରିଟେନ୍‌: କଥାରେ ଅଛି ଦୃଢ ମନୋବଳ ଥିଲେ ସଫଳତା ନିଶ୍ଚୟ । ଅନେକ ଲୋକ ଛୋଟ ଦୁର୍ଘଟଣାରେ ହାର ମାନି ଯାଆନ୍ତି । କିନ୍ତ ବ୍ରିଟେନ୍‌ର ଜଣେ ଯୁବତୀ ତାଙ୍କ ଜୀବନରେ ବଡ଼ ଦୁର୍ଘଟଣାର ସାମ୍ନା କରିଥିଲେ ବି କେବେ ହାର ମାନି ନ ଥିଲେ । ଏବେ ଏହି ମହିଳା ଅନେକ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

କ୍ୟାଟ୍ରିନ୍ ପଗ୍ ନାମ୍ନୀ ଜଣେ ଯୁବତୀ ବ୍ରିଟେନର ଉତ୍ତର ୱେଲ୍ସରେ ରୁହନ୍ତି । କ୍ୟାଟ୍ରିନ୍ ବିଭିନ୍ନ ଦେଶ ଭ୍ରମଣ କରିବାକୁ ବହୁତ ପସନ୍ଦ କରନ୍ତି । ୨୦୧୨ ମସିହା ଏପ୍ରିଲ୍‌ରେ ସେ ଫ୍ରେଞ୍ଚ ଆଲପ୍ସ ବୁଲିବାକୁ ଯାଇଥିଲେ । ସେ ସାଙ୍ଗମାନଙ୍କ ସହିତ ଏକ ସ୍ଥାନକୁ ଯାତ୍ରା କରୁଥିଲେ । ସେ ଯାଉଥିବା ବସ୍ ହଠାତ୍ ଦୁର୍ଘଟଣାର ସମ୍ମୁଖୀନ ହୋଇ ଜଳି ଯାଇଥିଲା । ଏଥିରେ କ୍ୟାଟ୍ରିନ୍‌ଙ୍କ ଶରୀର ୯୬ ପ୍ରତିଶତ ପର୍ଯ୍ୟନ୍ତ ଜଳିଗଲା । ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଫ୍ରାନ୍ସର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତରମାନେ କ୍ୟାଟ୍ରିନଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ବଞ୍ଚିବାର ଆଶା ଛାଡ଼ିଦେଲେ ।

ବହୁଦିନ ହସପିଟାଲ ବେଡ଼ରେ ଜୀବନ ସହ ସଂଘର୍ଷ କଲେ କ୍ୟାଟ୍ରିନ୍ । ପରେ ତାଙ୍କ ଶରୀରରେ ୨୦୦ଟି ଅସ୍ତ୍ରୋପଚାର କରାଗଲା । ସେ ଘଣ୍ଟା ଘଣ୍ଟା ଧରି ଯନ୍ତ୍ରଣା ସହିଲେ । ପରେ ଧୀରେ ଧୀରେ ତାଙ୍କ ଅବସ୍ଥାରେ ସୁଧାର ଆସିବାକୁ ଲାଗିଲା । ଏମିତି କି କିଛି ମାସ ଭିତରେ ସେ ପୁରା ସୁସ୍ଥ ବି ହୋଇଗଲେ । ଆଜି ସେ ନିଜକୁ ଗର୍ବିତ ଅନୁଭବ କରନ୍ତି । ସେ ଏବେ ଅଗ୍ନିପୀଡ଼ିତାମାନଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସୁଛନ୍ତି ।

ଦୁର୍ଘଟଣା ପରେ କ୍ୟାଟ୍ରିନ୍ ଜଣେ ଫିଜିଓଥେରାପିଷ୍ଟ ହୋଇପାରିଛନ୍ତି । ଏଥିସହିତ ଏକ ପ୍ରେରଣାଦାୟକ ବକ୍ତା ମଧ୍ୟ ହୋଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ସେ ତାଙ୍କ କାହାଣୀ ଲୋକଙ୍କୁ ଜଣାନ୍ତି । ତାଙ୍କର ଏହି ପ୍ରୟାସରେ ବହୁ ଲୋକଙ୍କ ଜୀବନ ବଦଳି ଯାଇଛି । ସେ ବର୍ତ୍ତମାନ ଅନ୍ୟଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି । ତାଙ୍କର ଏପରି କାର୍ଯ୍ୟ ହେତୁ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ଏହା ବ୍ୟତୀତ ସୌନ୍ଦର୍ଯ୍ୟ ବ୍ରାଣ୍ଡ ପାଇଁ ସେ ମଡ଼େଲ ମଧ୍ୟ ସାଜିଛନ୍ତି । ଏହା ସହିତ ସେ ମଡେଲିଂ ମଧ୍ୟ କରୁଛନ୍ତି ।

Leave A Reply

Your email address will not be published.