Latest Odisha News

BREAKING NEWS

ରାୟଗଡ଼ାର କମଳେଶ ସାହୁ; ଚା’ ବିକି ଶହ-ଶହ ଅନାଥ ପିଲାଙ୍କୁ ପାଠ ପଢାଉଥିବା ମଣିଷ !

ରାୟଗଡ଼ା: କଟକ ସହରର ଡ଼ି ପ୍ରକାଶ ରାଓଙ୍କୁ କିଏ ବା ନ’ଜାଣେ ! ଚା’ ବିକ୍ରିି କରି ନିଜେ ଗଢିଥିବା ଅନାଥାଶ୍ରମର ଶିଶୁମାନଙ୍କୁ ମଣିଷ କରାଉଥିବା ପ୍ରକାଶଙ୍କୁ ଭାରତର ରାଷ୍ଟ୍ରପତି ତାଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟ ଲାଗି ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ମଧ୍ୟ କରିଛନ୍ତି । ସେହିପରି ରାୟଗଡ଼ାରେ ଟି-ଷ୍ଟଲଟିଏ କରି କୁନି କୁନି ପିଲାମାନଙ୍କୁ ଦୀର୍ଘ ଦିନ ଧରି ପାଠ ପଢାଉଛନ୍ତି କମଳେଶ୍ୱର ସାହୁ ।

ଆର୍ଥୀକ ଅନାଟନ ଯୋଗୁଁ ନିଜେ କମଳେଶ୍ୱର ପାଠ ପଢିବାର ସୁଯୋଗ ପାଇନଥିଲେ । ହେତୁ ହେବାପରେ ଏହା ତାଙ୍କୁ ବହୁତ ଆଘାତ ଦେଇଥିଲା । ଅସହାହ ଶିଶୁମାନଙ୍କର ପାଠପଢାରେ ଅର୍ଥ ବାଧକ ନ’ସାଜୁ ଏହି ଲକ୍ଷ୍ୟ ନେଇ କମଳେଶ୍ୱର ନିଜେ ଶହ ଶହ ବେସାହାରା ଅନାଥ ଶିଶୁମାନଙ୍କୁ ନିଜେ ଅର୍ଥ ଖର୍ଚ୍ଚ କରି ପାଠ ପଢାଉଛନ୍ତି । ସେ ଏକ ଚା’ ଦୋକାନ କରିଛନ୍ତି, ସେହି ଚା’ ଦୋକାନରୁ ମିଳୁଥିବା ୮୦ ପ୍ରତିଶତ ଆୟ କେବଳ ନିରାଶ୍ରୟ ଶିଶୁ ମାନଙ୍କର ପାଠ ପଢାରେ ଖର୍ଚ୍ଚ ହୋଇଥାଏ !

କମଳେଶ୍ୱରଙ୍କ ସେପରି କିଛି ସ୍ୱେଚ୍ଛାସେବୀ ସଂଗଠନ ନାହିଁ, ବରଂ ସେ ନିଜେ ହିଁ ଏକ ଏନଜିଓ ପାଲଟିଯାଇଛନ୍ତି । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି-ସୁନାମୁଡ଼ି ମୁଖ୍ୟ ରାସ୍ତାରେ ସେ କରିଛନ୍ତି ଗୋଟିଏ ଚା’ ଦୋକାନ । ଏହି ଚା’ଦେକାନଟି ହିଁ ତାଙ୍କର ଆୟର ମୁଖ୍ୟ ଉତ୍ସ ।

ଛୋଟିଆ ଚା’ଦୋକାନଟିରୁ ସଂଗୃହିତ ଆୟରୁ ସେ ଗଢିଛନ୍ତି ଘରଟିଏ । ଏହି ଘରେ ଅନେକ ଅନାଥ ପିଲା ରହି ସ୍କୁଲରେ ପାଠ ପଢୁଛନ୍ତି । କମଳେଶ୍ୱର ଏହିସବୁ କାର୍ଯ୍ୟ ଲାଗି କେବେବି ଅନ୍ୟଠାରୁ ପଇସାଟିଏ ହାତ ପତାଇ ନାହାନ୍ତି । କେବେ କାହାଠାରୁ ଦାନ ନେଇ ନାହାନ୍ତି ବରଂ ନିଜେ ଖଟି ଚା’ଦୋକାନରୁ ଯାହାକିଛି ଆୟ ହୋଇଥାଏ ସେସବୁ ଏହି ନିରାଶ୍ରୟ ପିଲାଙ୍କ ରହିବା, ଖାଇବା ଏବଂ ପାଠପଢା ଖର୍ଚ୍ଚରେ ବ୍ୟୟ ହୋଇଥାଏ । ଅନେକ ପିଲା ଏବେ କଲେଜରେ ମଧ୍ୟ ପାଢ ପଢିଲେଣି, ସେମାନଙ୍କର ଖର୍ଚ୍ଚ ମଧ୍ୟ ବହନ କରିଥାଆନ୍ତି କମଳେଶ୍ୱର ।

ଖାଲିସେତିକି ନୁହେଁ, ଯଦି ସେ କେବେ ଜାଣନ୍ତି କୌଣସି ପାଠ ପଢୁଥିବା ଗରିବ ଛାତ୍ରଛାତ୍ରୀଙ୍କ ନିକଟରେ ପଇସା ନାହିଁ ସେ ତୁରନ୍ତ ସେମାନଙ୍କ କଲେଜ ଆଡ଼ମିଶନ ଖର୍ଚ୍ଚ ବହନ କରିଥାଆନ୍ତି । ସେ ଏହି କାର୍ଯ୍ୟ ଯେବେ ଆରମ୍ଭ କଲେ ପ୍ରଥମେ ତାଙ୍କର ଅନ୍ୟ ଭାଇମାନେ ଏହାକୁ ନାପସନ୍ଦ କରୁଥିଲେ । କୌଣସି ଗରିବ ଅଜଣା ଅନାଥ ଶିଶୁମାନଙ୍କୁ ଘରକୁ ଆଣି ଆଶ୍ରୟ ଦେଇ ସେମାନଙ୍କର ରହିବା, ଖାଇବା ଏବଂ ପଢା ଖର୍ଚ୍ଚ କରିବାଟା ଅନେକଙ୍କୁ ଭଲ ଲାଗୁନଥିଲା । ଚା’ଦୋକାନରେ କଠିନ ପରିଶ୍ରମ କରି ସେ ଆଜି କିନ୍ତୁ ଅନେକ ଅନାଥ ଶିଶୁମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ କରିପାରିଛନ୍ତି । ନିଜେ ଅର୍ଥ ଅଭାବରୁ ବିଦ୍ୟା ଅର୍ଜନ କରିପାରିନଥିଲେ ମଧ୍ୟ ଆଜି ଅନେକ ପାଠ ପଢୁଆ ଛାତ୍ରଛାତ୍ରୀମାନଙ୍କର ଦିଗଦର୍ଶକ ପାଲଟି ଯାଇଛନ୍ତି କମଳେଶ୍ୱର । ଜିଲ୍ଲାର କାଶିପୁର ଓ ରାୟଗଡ଼ା ଅଞ୍ଚଳର ଅନେକ ଛାତ୍ରଛାତ୍ରୀମାନେ କମଳେଶ୍ୱରଙ୍କ ଗୁଣଗାନ କରିଚାଲିଛନ୍ତି । କମଳେଶ୍ୱରଙ୍କ ଲାଗି ସେମାନେ ଆଜି ବିଦ୍ୟାୟତନର ଆଲୋକ ଶିଖା ଦେଖିପାରିଛନ୍ତି ତେଣୁ କମଳେଶ୍ୱର ଆମମାନଙ୍କ ପାଇଁ ଆଲୋକବର୍ତ୍ତିକା ସଦୃଶ ବୋଲି ଅନେକ ପିଲାମାନେ ସ୍ୱୀକାର କରିଥାଆନ୍ତି ।

ଏବେ କମଳେଶ୍ୱରଙ୍କୁ ୪୮ ବର୍ଷ । କେବଳ ଏହି ଅନାଥ ଶିଶୁମାନଙ୍କୁ ପାଠ ପଢାଇବା ଲକ୍ଷ୍ୟରେ ସେ ଆଜି କିନ୍ତୁ ଅବିବାହିତ ରହିଯାଇଛନ୍ତି । ତାଙ୍କର ସମଗ୍ର ଜୀବନଟିକୁ ଅନାଥ, ନିରାଶ୍ରୟ, ଗରିବ ତଥା ବେସାହାରା ପିଲାମାନଙ୍କ ଲାଗି ଉତ୍ସର୍ଗ କରିଦେଇଛନ୍ତି କମଳେଶ୍ୱର ସାହୁ ।

ଏପର୍ଯ୍ୟନ୍ତ ପ୍ରାୟ ୧୦୦ରୁ ଅଧିକ ଅନାଥ ଶିଶୁଙ୍କୁ ସେ ଆଶ୍ରୟ ଦେବା ସହିତ ସ୍କୁଲ ଓ କଲେଜରେ ପାଢ ପଢାଉଛନ୍ତି । ସ୍ଥାନୀୟ ସାଂସଦଙ୍କ ସହଯୋଗରେ ସେ ନିଜ ଯାଗାରେ ଅନାଥ ପିଲାମାନଙ୍କ ଲାଗି ଏକ ଘରଟିଏ ତିଆରି କରିପାରିଛନ୍ତି କେବଳ । ଏହି ଛାତ ତଳେ ଅନେକ ନିରାଶ୍ରୟ ଶିଶୁଙ୍କୁ ପାଠ ପଢାଇ ଚାଲିଛନ୍ତି କମଳେଶ୍ୱର । ସାମାନ୍ୟ ଚା’ଦୋକାନର ସ୍ୱଳ୍ପ ଆୟରେ କମଳେଶ୍ୱର ଆଜି କିନ୍ତୁ ଅନେକ ଅନାଥଙ୍କ ଅଧ୍ୟୟନ ଲାଗି ସହାୟକ ହୋଇପାରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଜନସାଧାରଣଙ୍କ ମୁହଁରେ କମଳେଶ୍ୱର ପ୍ରସଂଶିତ ହେବାରେ ଲାଗିଛନ୍ତି ।

Leave A Reply

Your email address will not be published.