Latest Odisha News

BREAKING NEWS

ଉଚ୍ଛେଦ ଆରମ୍ଭ, ଭଙ୍ଗାହେଲା ୧୮ ଘର: ୨୦ ବର୍ଷ ପରେ ସିଦ୍ଧ ମହାବୀର ଓଭରବ୍ରିଜ୍‌ ବାଟ ଖୋଲିଲା

ପୁରୀ :‌ ପ୍ରାୟ ୨୦ ବର୍ଷ ପରେ ସିଦ୍ଧ ମହାବୀର ରେଳ ଓଭରବ୍ରିଜ୍‌(ମାଟିଆପଡ଼ା) ସ୍ବପ୍ନ ସାକାର ହେବାକୁ ଯାଉଛି । ଆବଶ୍ୟକ ଜମିରୁ ସିଂହଭାଗ ଜମି ଅଧିଗ୍ରହଣ ଶେଷ ପରେ  ଉଚ୍ଛେଦ କାମ ଆରମ୍ଭ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବାଲିଘାଟ ଛକରୁ ଉଚ୍ଛେଦ ଆରମ୍ଭ ହୋଇଥିବା ବେଳେ ୨୪୮ କୋଠାରୁ ପ୍ରଥମ ଦିନରେ ୧୮ଟି କୋଠାକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି । ଅନ୍ୟପଟେ ରେଳ ଓଭରବ୍ରିଜ୍‌ ପ୍ରକଳ୍ପ ପାଇଁ ମୋଟ ୨.୪୭ ଏକର ଜମି ଆବଶ୍ୟକ ଥିବାବେଳେ ୧.୫୯ ଏକର ଜମି ଅଧିଗ୍ରହଣ ଶେଷ ହୋଇଛି ।

ବାକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ୮୮ ଡେସିମାଲ୍‌ ଜମି ବିବାଦୀୟ ଥିବାରୁ ଏହା ଅଧିଗ୍ରହଣ ହୋଇପାରିନି। ଶ୍ରୀମନ୍ଦିର ପ୍ରଶାସନକୁ ଏହି ଟଙ୍କା ଯିବ କି ଦଖଲକାରୀଙ୍କୁ ଦିଆଯିବ, ତାହା ଚୂଡ଼ାନ୍ତ ହୋଇପାରିନି। ଏଣୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଭିତରେ ଆଲୋଚନା ପରେ ଖୁବଶୀଘ୍ର ଏହା ଅଧିଗ୍ରହଣ ହେବ ବୋଲି ଜଣାପଡ଼ିଛି।

ରେଳ ଓଭରବ୍ରିଜ ପାଇଁ ଜମି ଅଧିଗ୍ରହଣ ପରେ ଆଜି ସକାଳୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ଜମି ଅଧିଗ୍ରହଣ ଅଧିକାରୀ ପ୍ରଶାନ୍ତ କୁମାର ଜେନାଙ୍କ ପ୍ରମୁଖ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେସିବି ଜରିଆରେ ଆଜି ବାଲିଘାଟ ଛକରୁ ଘର ଭଙ୍ଗା ଆରମ୍ଭ କରିଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୭ ପ୍ଲାଟୁନ୍‌ ଫୋର୍ସ ସହ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତଥିଲେ ।

ବାଲିଘାଟ, ସିଦ୍ଧ ମହାବୀର ଓ ମାଟିଆପଡ଼ା ଛକରେ ରାସ୍ତା ସିଲ୍‌ ପରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ବହୁତଳ କୋଠା ସବୁଭାଙ୍ଗି ଦିଆଯାଇଥିବା ବେଳେ କିଛି ଦୋକାନୀ, ଘର ମାଲିକ ବି ନିଜ ତରଫରୁ ଘର ଭାଙ୍ଗି ଆସବାବପତ୍ର ଖାଲି କରୁଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.