Latest Odisha News

BREAKING NEWS

ବିକାଶର ଚକ ତଳେ ଗଛ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… 

ଏମିତି ଏକ ବିକାଶ ବ୍ୟବସ୍ଥା ଆମେ କଳ୍ପନା କରିପାରିବା କି ଯେଉଁଠି କାରଖାନାଟିଏ ପାଇଁ ଜଙ୍ଗଲର ବେକ କାଟିବାକୁ ପଡ଼ିବନି? ଯେଉଁଠି ରାସ୍ତାଟିଏ ନିର୍ମାଣ କରିବାକୁ ହେଲେ ବାଟରେ ଥିବା ଗଛକୁ ନକାଟି ରାସ୍ତାକୁ ଟିକେ ବୁଲେଇ କରି ନେଇପାରିବା! ଯେଉଁଠି ଅଟ୍ଟାଳିକା ନିର୍ମାଣ କରିବା ପାଇଁ ନିରୀହ ଓ ଉପକାରୀ ଗଛମାନଙ୍କୁ ଧରାଶାୟୀ କରାଯିବନି! ଯଦି ଆମ ବିକାଶ ବ୍ୟବସ୍ଥାକୁ ଆମେ ସେତିକି ସମ୍ବେଦନଶୀଳ ଓ ଭବିଷ୍ୟତମୂଖୀ କରିପାରିବା, ତାହେଲେ ଆମ ମଣିଷ ପଣିଆର ନିଶ୍ଚୟ ସାର୍ଥକ ହୋଇପାରିବ । ନଚେତ୍ ସୃଷ୍ଟିର ଶ୍ରେଷ୍ଠ ଜୀବ ହିସାବରେ ଆମ ଅୟେସ୍ ଆରାମ ପାଇଁ ଆମେ ଯଦି ପ୍ରକୃତିକୁ ଧ୍ୱଂସ କରିଚାଲିବା ତାହେଲେ ସମୟ ଆସିବ ପ୍ରକୃତି ବି ଆମ ଉପରେ ଦାଉ ସାଧିବ । ଯାହା ସମ୍ପ୍ରତି ବାରମ୍ବାର ଦେଖାଯାଉଛି । ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ବିଧାୟକମାନଙ୍କ ପାଇଁ ବହୁତଳ ବିଶିଷ୍ଟ କ୍ୱାଟର୍ସ ନିର୍ମାଣ କରିବା ପାଇଁ ଗତ କିଛି ମାସ ହେବ ବେଧଡ଼କ୍ ଗଛ କଟା ଚାଲିଥିଲା । ଏହି ଗଛକଟା ପ୍ରକ୍ରିୟା ହୁଏତ ଆହୁରି ଜାରି ରହିଥାନ୍ତା, ଯଦି ଭିନ୍ନ ଭିନ୍ନ ସଙ୍ଗଠନ ତରଫରୁ ଏହାକୁ ବିରୋଧ କରାଯାଇନଥାନ୍ତା । ରାଜଧାନୀର ଏକାଧିକ ସଙ୍ଗଠନ ଗୁଡ଼ିକ ତରଫରୁ ଏହି ଗଛକଟା ପ୍ରକ୍ରିୟାକୁ ବିରୋଧ କରାଯିବାରୁ ବର୍ତ୍ତମାନ ସାମୟିକ ପାଇଁ ଗଛକଟା ବନ୍ଦ ରହିଛି । କିନ୍ତୁ ଏପର୍ଯ୍ୟନ୍ତ ଅନେକ ଗଛ କଟି ସାରିଲାଣି । ଆଗାମୀ ଦିନରେ ପୁନଶ୍ଚ ଯେ ଗଛ ବେକରେ କୁରାଢ଼ୀ ନଲାଗିବ ସେକଥା କହିହେବ ନାହିଁ । ଗତ ଜାନୁୟାରୀ ମାସରୁ ମେଁ ମାସ ମଧ୍ୟରେ ରାଜଧାନୀର ଭିନ୍ନ ଭିନ୍ନ ଅଞ୍ଚଳରେ ଶହ ଶହ ଗଛ କଟା ଚାଲିଛି । ଉଦ୍ଦେଶ୍ୟ ହେଉଛି, କେଉଁଠି ରାସ୍ତା ନିର୍ମାଣ କରିବା ତ କେଉଁଠି ବହୁତଳ ପ୍ରାସାଦ ନିର୍ମାଣ କରିବା । ଗୋଟିଏ ଦୁଇଟି ନୁହେଁ ଏକା ଥରେ ଶହ ଶହ ଗଛ କଟା ଚାଲିଛି । ଏହି ପ୍ରକ୍ରିୟାରେ ବହୁତ ବଡ଼ ବଡ଼ ପୁରୁଣା ଗଛଗୁଡ଼ିକ ମଧ୍ୟ ବାଦ୍ ପଡ଼ୁନାହାନ୍ତି । ସରକାରଙ୍କ ଜଙ୍ଗଲ ବିଭାଗ, ଯାହାଙ୍କ କାମ ଗଛକୁ ବଞ୍ଚେଇବା ସେମାନେ ବି ଏହି ଗଛ କଟା ସମୟରେ ନୀରବ ଦର୍ଶକ ସାଜି ମୌନ ସ୍ୱୀକୃତି ପ୍ରଦାନ କରୁଛନ୍ତି ।

ଭୁବନେଶ୍ୱରର ବର୍ଦ୍ଧିତ ତାପମାତ୍ରାକୁ ଆମେ ସମସ୍ତେ ଅଙ୍ଗେ ଲିଭାଉଛେ । ଖରା ଦିନ ଆରମ୍ଭ ହେଉ ହେଉ ରାଜଧାନୀ ତାପମାତ୍ରା ୪୫ ଡିଗ୍ରୀ ଛୁଇଁ ଯାଉଛି । ବର୍ତମାନ ଯେପରି ଭାବେ ଗଛ କଟା ଚାଲୁଛି ଆଗାମୀ ଦିନ ମାନଙ୍କରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ । ଅସହ୍ୟ ଗରମରେ ରାଜଧାନୀବାସୀ ହନ୍ତସନ୍ତ ହେବାକୁ ବାଧ୍ୟ ହେବେ । ଭୁବନେଶ୍ୱରରେ ପ୍ରଦ୍ୟୁଷଣର ମାତ୍ରା ବୃଦ୍ଧି ପାଇବ । ଗୋଟିଏ ସମୟ ଥିଲା ଭୁବନେଶ୍ୱର ତାର ସବୁଜିମା ପାଇଁ ପ୍ରସିଦ୍ଧ ଥିଲା । କିନ୍ତୁ ଏବେ ଭୁବନେଶ୍ୱର କେବଳ ଏକ କଂକ୍ରିଟ୍‌ର ସହର ହେବା ରାସ୍ତାରେ ପାଦ ଦେଇଛି । ସବୁଜ, ସୁନ୍ଦର ଓ ପ୍ରଦ୍ୟୁଷଣ ମୁକ୍ତ ଭୁବନେଶ୍ୱରର ସ୍ୱପ୍ନ କେବଳ ସ୍ୱପ୍ନରେ ରହିଯିବ । ଦେଶର ରାଜଧାନୀ ଦିଲ୍ଲୀର ପ୍ରଦ୍ୟୁଷଣ ଓ ତାପମାତ୍ରା ବୃଦ୍ଧି ବିଷୟରେ ଆମେ ସମସ୍ତେ ଅଳ୍ପ ବହୁତେ ଅବଗତ । ଦିଲ୍ଲୀବାସୀ ଉତାପ ଓ ପ୍ରଦ୍ୟୁଷଣ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିଲ୍ଳୀ ସରକାର ସମେତ କେନ୍ଦ୍ର ସରକାରଙ୍କ ଯାଏ ସମସ୍ତଙ୍କ ପାଇଁ ଦିଲ୍ଲୀର ପରିବେଶ ଚିନ୍ତାର ବିଷୟ ହୋଇଛି । ଅନେକ ଉପାୟ କରିବା ପରେ ବି ସମାଧାନ ବାହାରି ପାରୁନାହିଁ । ଏବେ ଭୁବନେଶ୍ୱରରେ ଯେପରି ଭାବେ ଗଛ କଟା ଚାଲିଛି, ଯଦି ସେହିପରି ଲାଗିରୁହେ, ତେବେ ଭୁବନେଶ୍ୱରକୁ ଦିଲ୍ଳୀର ଦଶା ଭୋଗିବା ପାଇଁ ବେଶି ଦିନ ଲାଗିବ ନାହିଁ । ସେତେବେଳକୁ ନେଡ଼ି ଗୁଡ଼ କହୁଣୀକୁ ବୋହି ଯାଇଥିବ । ପରିବେଶ ପାଇଁ ଗଛର ଭୂମିକା ବିଷୟରେ ଆମେ ସମସ୍ତେ ଜାଣିଛେ । ତା’ପରେ ବି ବିଧାୟକଙ୍କ ବହୁତଳ ବିଶିଷ୍ଟ କ୍ୱାଟର୍ସ ନିର୍ମାଣ ପାଇଁ ବିଶାଳକାୟ ଓ ପୁରୁଣା ଗଛ ସବୁ କାଟି ପକେଇବା ଆମ ଅଦୂରଦର୍ଶିତାକୁ ସୂଚାଉଛି । ଏହାର ମୂଲ୍ୟ ସମସ୍ତଙ୍କୁ ଦେବାକୁ ପଡ଼ିବ ।

ବିଭିନ୍ନ ପ୍ରକାର ବିକାଶମୂଳକ କାମ ପାଇଁ ଗଛ କାଟିବା ବେଳେ ପ୍ରାୟତଃ ଶୁଣାଯାଏ, ସରକାର ତାର ଦୁଇ ଗୁଣ ଗଛ ଲଗାଇବେ । ଅନେକ ସମୟରେ ଏହି ପ୍ରତିଶ୍ରୁତି କାମରେ ପରିଣତ ହୋଇପାରେ ନାହିଁ । ଯଦି ବି ଗଛ ଲଗାଯାଏ, ରକ୍ଷଣାବେକ୍ଷଣର ଅଭାବ ଯୋଗୁ ତାହା ବଞ୍ଚି ରୁହେ ନାହିଁ । ଗଛ ଲଗେଇ ସାରିବା ପରେ ସରକାରଙ୍କ କାମ ସରିଯାଏ । ତା’ପରେ ସେହି ଗଛ ସବୁ ଗୋରୁ ଗାଇଙ୍କ ପାଟିରେ ନହେଲେ ପାଣି ଓ ଯତ୍ନ ଅଭାବରୁ ମରିଯାଏ । ଏବେ ରାଜଧାନୀରେ ବି ସେପରି ହିଁ ହେବ । ଗଛଟିଏ ବଢ଼ିବା ପାଇଁ ଅନେକ ବର୍ଷ ଲାଗେ । ଯେତେ ଗଛ ଲଗେଇଲେ ମଧ୍ୟ ଗୋଟିଏ ପୁରୁଣା ଗଛର କମିକୁ ଭରଣା କରିବା କଷ୍ଟକର । ତେଣୁ ବିକାଶ ମୂଳକ ପ୍ରକଳ୍ପ ପାଇଁ ଗଛକୁ କାଟିବା ପରିବର୍ତ୍ତେ ଗଛର ଉପସ୍ଥିତିକୁ ଦେଖି ବିକାଶ ପ୍ରକଳ୍ପର ଢାଞ୍ଚାକୁ ବଦଳେଇବା ଦରକାର । ଗଛ ନକାଟି ଯେପରି ରାସ୍ତା ଓ କୋଠାବାଡ଼ି ତିଆରି କରିହେବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଏହା ହିଁ ବିକାଶର ଉତ୍କୃଷ୍ଟତର ପ୍ରକ୍ରିୟା ହେବ ।

ବିକାଶର ଧାରୁଆ ଚକ ତଳେ ଗଛ କଟା ଯିବା ଉଚିତ ନୁହେଁ । ବିକାଶ ଯୋଜନା କାର୍ଯ୍ୟକାରୀ ହେବା ସମୟରେ ସରକାର ଓ ସଭ୍ୟସମାଜ ଏହାକୁ ଭୂଲିଯିବା ଉଚିତ୍ ନୁହେଁ । ନହେଲେ ପରିଣାମ ଏପରି ହେବ ଯେ, ଗଛ କାଟି ଯେଉଁ କଂକ୍ରିଟ୍‌ର ନଗରୀ ଆମେ ତିଆରି କରିବା ତାହା ଲୋକମାନଙ୍କର ରହିବା ଯୋଗ୍ୟ ରହିବ ନାହିଁ ।

ଦେଶର ରାଜଧାନୀ ଦିଲ୍ଲୀର ଜୀବନ୍ତ ଉଦାହରଣ ଆମ ପାଖରେ ଅଛି । ତେଣୁ ଆମ ବିକାଶ ଯୋଜନାକୁ ପରିବେଶ ସମ୍ବେଦନଶୀଳ କରିବାକୁ ହେବ । ଗଛ ନକାଟି ଯାହା କରିହେବ ସେପରି ନିର୍ମାଣର ଯୋଜନା କରିବାକୁ ହେବ । ଏହା ଦ୍ୱାରା ଆମ ବିକାଶ ପ୍ରକ୍ରିୟା ଛୋଟ ହୋଇଯିବ ନାହିଁ ଓଲଟି ସବୁଜ ଓ ସୁନ୍ଦର ହେବ । ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ ସମଗ୍ର ପୃଥିବୀକୁ ଗ୍ରାସି ରହିଛି । ଏକାଧିକ ସହରରେ ଅନିୟମିତ ବୃଷ୍ଟିପାତ, ବାଦଲଫଟା ବର୍ଷା ଆଦି ହୋଇ ସମଗ୍ର ସହର ଜଳାର୍ଣ୍ଣବ ହୋଇଯାଉଛି । ଆମ ରାଜଧାନୀ ଭୁବନେଶ୍ୱର ବି ଏଥିରୁ ବାଦ୍ ଯାଉନି । ଏପରି ବିପଦରୁ ଆମ ସହରକୁ ରକ୍ଷା କରିବା ପାଇଁ ଦୀର୍ଘକାଳୀନ ସମାଧାନର ରାସ୍ତା ହେଉଛି, ସହରକୁ ସବୁଜ ରଖିବା ଓ ସହରରେ ଅଧିକରୁ ଅଧିକ ଗଛ ଲଗେଇବା । ଏମିତି ନକରି ଭିନ୍ନ ଭିନ୍ନ ଯୁକ୍ତି ଦେଖାଇ ଗଛ କାଟିଲେ, ଆମ ସମସ୍ତଙ୍କ ପ୍ରିୟ ସହର ବାସ ଅନୁପଯୋଗୀ ହୋଇପଡ଼ିବ ।

ଏଭଳି ପରିସ୍ଥିତିରେ ଯେଉଁ ସଙ୍ଗଠନମାନେ ଆଗକୁ ଆସି ବୃକ୍ଷଛେଦନକୁ ବିରୋଧ କରୁଛନ୍ତି, ସେମାନେ ଧନ୍ୟବାଦର ଯୋଗ୍ୟ । ସେମାନଙ୍କ ସହିତ ସମଗ୍ର ରାଜଧାନୀବାସୀ ଯୋଗ ଦେଇ ବୃକ୍ଷ ଛେଦନ ବିରୁଦ୍ଧରେ ସ୍ୱର ଉତ୍ତୋଲନ କରିବା ଉଚିତ୍ । ଗୋଟିଏ ଗୋଟିଏ ସ୍ୱର ହୁଏତ ଗୋଟିଏ ଗୋଟିଏ ଗଛକୁ ବଞ୍ଚେଇ ପାରେ । ଗଛ ବଞ୍ଚିଲେ ଜୀବନ ବଞ୍ଚିବ । ଆମ ପ୍ରିୟ ସହର କେବଳ କଂକ୍ରିଟମୟ ନହୋଇ ସବୁଜ ଓ ସୁନ୍ଦର ହେବ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.