ପୁରୀ : ପୁରୀରେ ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ପୋଲିସ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି ପ୍ରକ୍ରିୟା ଆରମ୍ଭ କରିଛି ।
ଓଡିଶାରେ ୩ୟ ପର୍ଯ୍ୟାୟ ମତଦାନ ଜାରି ରହିଥିବାବେଳେ ବ୍ରହ୍ମଗିରି ଆସନ ଅନ୍ତର୍ଗତ କାମଶାସନ ଗ୍ରାମର ବୁଥ୍ ନଂ-୨୨୨ ଏବଂ ଅନ୍ୟଟି ପୁରୀ ଜିଲ୍ଲା ସତ୍ୟବାଦୀ ବିଧାନସଭା ନିର୍ବାଚନମଣ୍ଡଳୀର ବୀରକିଶୋରପୁର ବୁଥ୍ ଆଦିରେ ଏହି ବିଜେପି ନେତା ଇଭିଏମ୍ ଭଙ୍ଗାରୁଜା କରିବା ସହ ଅଧିକାରୀମାନଙ୍କୁ ମଧ୍ୟ ମାଡ ମାରିଥିଲେ । ପରେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ବିରୋଧରେ ପ୍ରିଜାଇଡିଂ ଅଫିସର ଥାନାରେ ଏକ ମାମଲା ରୁଜୁ କରିଥିଲେ ।
ଏହି ଘଟଣାରେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ଫେରାର ଥିବାବେଳେ ପୋଲିସ ତାଙ୍କର ୨ ସହଯୋଗୀ ମାନସ ସାମନ୍ତରାୟ (୩୨) ଓ ଅକ୍ଷୟ କୁମାର ବିଶ୍ୱାଳ (୩୪)ଙ୍କୁ ଗିରଫ କରିଛି ।
ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଏସପି ଉମା ଶଙ୍କର ଦାସ କହିଛନ୍ତି ଓମ୍ ପ୍ରକାଶଙ୍କୁ ଖୋଜିବା ପାଇଁ ଏକ ୩ ଜଣିଆ ସ୍ପେଶାଲ ଟିମ୍ ଗଠନ କରାଯାଇଛି । ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଏସପି ପ୍ରକାଶ କରିଛନ୍ତି ।
ଆହୁରି ମଧ୍ୟ ଏହି ନୋଟିସ୍ ଜାରି ପରେ ଯଦି ଶ୍ରୀଯୁକ୍ତ ମିଶ୍ର ପୋଲିସ ନିକଟରେ ଆତ୍ମସମର୍ପଣ ନକରନ୍ତି, ତାହେଲେ ପୋଲିସ ତାଙ୍କୁ ଫେରାର ଆସାମୀ ଘୋଷଣା କରିବା ସହ ତାଙ୍କ ବିରୋଧରେ ଆଇନତଃ କଡା ପଦକ୍ଷେପ ଗ୍ରହଣ କରିବ ବୋଲି ଏସପି ସୂଚନା ପ୍ରଦାନ କରିଛନ୍ତି ।
Comments are closed.