Latest Odisha News

BREAKING NEWS

ଗିରଫ ହେଲେ ପୂର୍ବତନ ସମାଜ ମଙ୍ଗଳ ଅଧିକାରୀ:ରଖିଥିଲେ ୧୪୫% ଆୟ ବହିର୍ଭୂତ ସମ୍ପତ୍ତି

ଭୁବନେଶ୍ୱର:  ଭଦ୍ରକର ପୂର୍ବତନ ଡିଏସଡବ୍ଲୁଓ ତଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଘରୁ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିବା ପରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।  ନିଜ ଆୟଠାରୁ  ୧୪୫ ପ୍ରତିଶତ ଅଧିକ ସମ୍ପତ୍ତି ତାଙ୍କ ଘରୁ ଜବତ କରିଛି ଭିଜିଳାନ୍ସ । ବାଲେଶ୍ୱରରେ ତିନୋଟି ବହୁତଳ ପ୍ରାସାଦ ସମେତ ଭୁବନେଶ୍ୱରରେ ୨ଟି ଫ୍ଲାଟ, ୮ଟି ପ୍ଲଟ, ୧.୬୧ କୋଟି ଟଙ୍କାର ଡିପୋଜିଟ, ୨.୭୯ ଲକ୍ଷ କ୍ୟାସ ସମେତ ଅଳଙ୍କାର, ଗାଡି ଆଦି ଜବତ କରିଥିଲା ଭିଜିଲାନ୍ସ । ଏସବୁ କେଉଁ ସୂତ୍ରରୁ ଆସିଲା ତାହାର ସନ୍ତୋଷଜନକ ଉତ୍ତର ଦେଇ ପାରି  ନଥିଲେ ସଂପୃକ୍ତ ଅଧିକାରୀ । ଗିରଫ ପରେ ତାଙ୍କୁ ସ୍ୱତନ୍ତ୍ର କୋର୍ଟକୁ ପଠାଇଛି ଭିଜିଲାନ୍ସ । ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଏ ନେଇ ଏକ ମାମଲା SWO ଜୟନ୍ତୀ ବେହେରା ଓ ତାଙ୍କ ପୁଅ ନାମରେ ରୁଜୁ  କରାଯାଇଛି ।

ସୂଚନାଥାଉ କି, ଗତକାଲି ସକାଳୁ ଜୟନ୍ତୀ ବେହେରାଙ୍କ ଘର, ଅଫିସ ସମେତ  ଏକକାଳୀନ  ୧୧ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ ।  ଜୟନ୍ତୀଙ୍କ କାର୍ଯ୍ୟାଳୟ ସମେତ ତାଙ୍କ ପୁଅ ରୋହିତ କୁମାର ମଣ୍ଡଳଙ୍କ ବାଲେଶ୍ୱରରେ ଥିବା କଲ ସେଣ୍ଟର ଅଫିସରର ଚାମ୍ବରରେ  ମଧ୍ୟ ଚଢ଼ାଉ କରାଯାଇଥିଲା ।

 ଜୟନ୍ତୀ ବେହେରାଙ୍କ ଜବତ ସମ୍ପତ୍ତି ତାଲିକାରେ ଥିଲା-

୧-ବାଲେଶ୍ୱର ଗଣେଶ୍ୱରପୁରରେ ୪୦୦୭ ବର୍ଗଫୁଟ ଜାଗାରେ ତିନି ମହଲା ବିଶିଷ୍ଟ  କୋଠା,

୨-ବାଲେଶ୍ୱର ଫିରିଙ୍ଗପାଟଣାରେ  ଆଉ ଏକ ୫୪୬୬ ବର୍ଗଫୁଟର ତିନି ମହଲା କୋଠା

୩-ଗଣେଶ୍ୱର ପାଟଣାରେ ୧୧୪୦ ବର୍ଗଫୁଟର ଆଉ ଏକ ଦୁଇ ମହଲା କୋଠା

୪-ଭୁବନେଶ୍ୱର ଗୌତମ ନଗରର ରୟାଲ ରେସିଡେନ୍ସରେ ଏକ  ୩-ବିଏଚକେ ଫ୍ଲାଟ ଯାହାର ଦାମ ୫୧ ଲକ୍ଷ ଟଙ୍କା

୫-ଭୁବନେଶ୍ୱର ଓଲଡ ଟାଉନର ଷ୍ଟଲୱାର୍ଟ ପାଲେସରେ ଆଉ ଏକ ୩ ବିଏଚକେ ଫ୍ଲାଟ

୬- ବାଲେଶ୍ୱରର ପ୍ରମୁଖ ଜାଗାରେ ରହିଛି ୪ଟି ପ୍ଲଟ

୭- ୨.୭୯ ଲକ୍ଷ କ୍ୟାସ

୮- ୧.୬୧ କୋଟି ଟଙ୍କାର ବ୍ୟାଙ୍କ, ପୋଷ୍ଟାଲ ଇନ୍ସ୍ୟୁରାନ୍ସ

୯-ଗୋଟିଏ ମାରୁତି ବାଲେନୋ ଗାଡି, ଗୋଟିଏ ୨ ଚକିଆ ଗାଡି

୧୦-୨.୧୧୨ କେଜିର ରୂପା ଗହଣା

୧୧-ସୁନା ଗହଣ ଏବଂ ଅନ୍ୟାନ୍ୟ ଗୃହୋପକରଣ ଯାହାର ମୂଲ୍ୟ ୭.୩୯ ଲକ୍ଷ

 

Leave A Reply

Your email address will not be published.