Latest Odisha News

BREAKING NEWS

ଜଷ୍ଟିସ୍ ଅଜିତ ସିଂହ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଭାବେ ନିଯୁକ୍ତ

ଭୁବନେଶ୍ୱର: ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅଜିତ ସିଂହ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ଶନିବାର ଦିନ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ଜଷ୍ଟିସ୍ ଅଜିତ ସିଂହଙ୍କୁ ନିଯୁକ୍ତି ଦେଇଛନ୍ତି ।ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଲୋକାୟୁକ୍ତ ଚୟନ କମିଟିର ବୈଠକରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦ ପାଇଁ ୭ ଜଣିଆ ଯାଞ୍ଚ କମିଟି ପଠାଇଥିବା ନାମ ଚୟନ ତାଲିକା ଉପରେ ବିଶ୍ଳେଷଣ ହୋଇଥିଲା । ତେବେ ଅଧ୍ୟକ୍ଷ ପଦବୀ ଲାଗି ଜଷ୍ଟିସ ଅଜିତ ସିଂହଙ୍କୁ ଶେଷରେ ଚୟନ କରିଥିଲା ଏହି କମିଟି । ଏହି ଲୋକାୟୁକ୍ତ ଚୟନ କମିଟି ବୈଠକରେ ବାଚସ୍ପତି ପ୍ରଦୀପ କୁମାର ଅମାତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଏବଂ ପ୍ରତିଷ୍ଠିତ ଜୁରିଷ୍ଟ ଜଷ୍ଟିସ୍ ଅନଙ୍ଗ ନାରାୟଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ଯେ ଲୋକପାଳ ଆଇନ୍‍ ପାରିତ କରିବା କ୍ଷେତ୍ରରେ ଓଡିଶା ଦେଶର ପ୍ରଥମ ରାଜ୍ୟ ଥିଲା । ତେବେ ଅତୀତରେ ଲୋକପାଳ ସଂସ୍ଥାକୁ ନବେ ଦଶକରେ ରାଜ୍ୟ ସରକାର ଭାଙ୍ଗି ଦେଇଥିଲେ । କିନ୍ତୁ ସରକାରରେ ରାଜନୈତିକ ନେତୃତ୍ୱ ବଦଳିବାପରେ ପୁର୍ନବାର ଓଡିଶାରେ ଲୋକପାଳ କାର‌୍ୟ୍ୟକ୍ଷମ ହୋଇଥିଲା ।

ଏହି କ୍ରମରେ ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ପି.କେ.ପାତ୍ର ଲୋକପାଳ ଭାବେ ଦାୟିତ୍ୱ ତୁଲାଉଥିବାବେଳେ ୨୦୧୩ ଜାନୁୟାରୀ ୨୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଲା । ସେବେଠାରୁ ଏପର‌୍ୟ୍ୟନ୍ତ ସାଢେ ୫ବର୍ଷରୁ ଅଧିକ ସମୟ ଧରି ଓଡିଶାରେ ଆଉ କାହାକୁ ଲୋକପାଳ ନିଯୁକ୍ତ କରାଯାଇନାହିଁ ।

ନୂଆ ଆଇନ୍‍ ବ୍ୟବସ୍ଥା ଅନୁଯାୟୀ ବହୁ ସଦସ୍ୟ ବିଶିଷ୍ଟ ଲୋକାୟୁକ୍ତ ନିଯୁକ୍ତି ହେବବୋଲି ୨୦୧୩ ମସିହାରୁ କୁହାଯାଉଥିଲେ ବି ଜଷ୍ଟିସ୍‍ ସିଂହଙ୍କୁ ଆଜି ଓଡିଶା ଲୋକାୟୁକ୍ତର ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି ।

 

 

Leave A Reply

Your email address will not be published.