Latest Odisha News

BREAKING NEWS

ସୁସାହିତ୍ୟିକ ତଥା ପୂର୍ବତନ ମନ୍ତ୍ରୀ କବି ଯଦୁନାଥ ଦାସମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର : କବି ତଥା ସୁସାହିତ୍ୟିକ ଭାବେ ଜଣାଶୁଣା ପୂର୍ବତନ ଶିକ୍ଷାମନ୍ତ୍ରୀ ଯଦୁନାଥ ଦାସମହାପାତ୍ରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ତାଙ୍କର ମୃତ୍ୟୁରେ ତାଙ୍କର ଜନ୍ମଭୂମି ତଥା କର୍ମଭୂମି ବାଲେଶ୍ୱର ସମେତ ରାଜଧାନୀ ଓ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି ।

ସ୍ୱର୍ଗତ ଯଦୁନାଥ ଦାସମହାପାତ୍ର ଏକାଧାରାରେ ଥିଲେ ଜଣେ କବି, ନାଟ୍ୟକାର ତଥା ଓøପନ୍ୟାସିକ । ଜଣେ ବରିଷ୍ଠ କଂଗ୍ରେସ ନେତା ଭାବେ ସେ ରାଜନୀତି ସହିତ ସଂଶ୍ଳିଷ୍ଟ ରହିଥିବା ସହିତ ଓଡ଼ିଶା ସରକାରଙ୍କ ପ୍ରାକ୍ତନ ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

୧୯୩୯ ମସିହା ଜାନୁଆରୀ ୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଯଦୁନାଥ ଦାସମହାପାତ୍ର । ସେ ଛାତ୍ର ଜୀବନରୁ ହିଁ ରାଜନୀତିକୁ ଆଦରି ନେଇ ବିଭିନ୍ନ ଲୋକହିତ କାର୍ଯ୍ୟରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ସେ କଲିକତା ଉକ୍ରଳ ଚାତ୍ରସଂଘର ସଭାପତି ରହିଥିଲେ । ବାଲେଶ୍ୱରରେ ସେ ୧୯୬୨ ମସିହାରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଂପାଦକ ତଥା ସଭାପତି ରୂପେ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଶ୍ରୀଯୁକ୍ତ ଦାସମହାପାତ୍ର ୧୯୭୧ ମସିହାରେ ନିଜର ସୋର ନିର୍ବାଚନ ମଣ୍ଡଳୀରୁ ଉକ୍ରଳ କଂଗ୍ରେସରୁ ପ୍ରାର୍ଥୀ ହୋଇ ପ୍ରଥମେ ନିର୍ବାଚନ ଜିତିଥିଲେ । ୧୯୭୨ ମସିହାରେ ନନ୍ଦିନୀ ଶତପଥିଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୭୭ ମସିହାରେ ପୁନର୍ବାର ସୋରୋ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୮୫ ମସିହା ବିଧାନସଭା ନିର୍ବାଚନ ଜିତି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କ୍ୟାବିନେଟ ମନ୍ତ୍ରୀମଣ୍ଡଳରେ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ସ୍ୱର୍ଗତ ମହାପାତ୍ର ଜଣେ ସୁସାହିତ୍ୟିକ ଭାବେ ଓଡ଼ିଆ ସାହିତ୍ୟ ଜଗତରେ ବେଶ୍ ପରିଚିତ ଥିଲେ । ତାଙ୍କ ଦ୍ୱାରା ଲିଖିତ ଓଡ଼ିଆ ଉପନ୍ୟାସ ‘ଭୁଲି ହୁଏନା’ର ଚଳଚ୍ଚିତ୍ର ରୂପାନ୍ତର ହୋଇ ବେଶ୍ ଆଦୃତି ଲାଭ କରିପାରିଥିଲା ।

୧୯୬୭ ମସିହାରେ ତାଙ୍କ ଦ୍ୱାରା ଲିଖିତ ନାଟକ ‘ଅଥଚ ଅନ୍ଧାର’ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲା । ତାଙ୍କର ପ୍ରକାଶିତ ଉପନ୍ୟାସ ତଥା କାବ୍ୟ ଗ୍ରନ୍ଥ ଗୁଡ଼ିକ ହେଲା ‘ଗ୍ରାମ୍ୟ ନଦୀର ତୀରେ’, ବିଭିଷିକା, ‘କ୍ଷମା କରିବେକି’, ସଂଗ୍ରାମ, ମୁଖ ଦର୍ପଣ ଇତ୍ୟ୍ାଦି । ତାଙ୍କର ଅନେକ ସାହିତ୍ୟକୃତି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିପାରିଛି ।

Leave A Reply

Your email address will not be published.