ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ତଥା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ ହୋଇଯାଇଛି । ୬୬ ବର୍ଷ ବୟସରେ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଯାଇଛି। ସେ ୨୦୧୪ରେ ଆଳି ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସ୍ବର୍ଗତଃ ଦେବେନ୍ଦ୍ର ଶର୍ମା ତୃଣମୂଳ ସ୍ତରରେ ଜଣେ ଭଲ ସଂଗଠକ ଥିଲେ। ସେ କଂଗ୍ରେସ ଟିକେଟ୍ରେ ୨୦୧୪ରେ ନିର୍ବାଚିତ ହୋଇଥିଲେ। ଏହି ଖବରରେ ଆଳି ଓ ରାଜକନିକା ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ସେ ଦୀର୍ଘ ଦିନ ହେବ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ। ପ୍ରାୟ ୩ ବର୍ଷ ହେବ ଏନେଇ ସେ ଚିକିତ୍ସିତ ହେଉଥିଲେ। ପୂର୍ବରୁ ତାଙ୍କର ଏକ କିଡନୀ ମଧ୍ୟ ପ୍ରତ୍ୟାରୋପଣ କରାଯାଇଥିଲା।
ସୂଚନା ଅନୁଯାୟୀ, ଆଳିର ପୂର୍ବତନ ବିଧାୟକ ଡ. ଦିବାକର ଶର୍ମାଙ୍କ ପୁଅ ତଥା କବିରାଜ ଜଗନ୍ନାଥ ଶର୍ମାଙ୍କ ନାତି ହେଉଛନ୍ତି ଦେବେନ୍ଦ୍ର। ସେ ୧୯୫୯ ମସିହା ମାର୍ଚ୍ଚ ୧୮ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟରୁ ସେ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହା ସହିତ ସେ ବିଜ୍ଞାନରେ ମଧ୍ୟ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।ଶାରୀରିକ ସମସ୍ଯା କାରଣରୁ ସେ ରାଜନୀତିକୁ ଆସିବେନି ବୋଲି ପୂର୍ବରୁ କହିଥିଲେ।