Latest Odisha News

ସନାତନଙ୍କୁ ନେଇ ଚିନ୍ତାରେ ବିଜେଡ଼ି !, ଉଠୁଛି ପଡ଼ୁଛି ଚମ୍ପୁଆ ରାଜନୀତି

କେନ୍ଦୁଝର: କେନ୍ଦୁଝର ଚମ୍ପୁଆ ବିଧାନସଭା ଆସନରେ ପୂର୍ବତନ ବିଧାୟକ ସନାତନ ମହାକୁଡ଼କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ନିର୍ବାଚନରେ ତାଙ୍କର ପ୍ରାର୍ଥୀତ୍ୱକୁ ନେଇ ଏବେଠାରୁ କେନ୍ଦୁଝର ରାଜନୀତି ବେଶ ଉଷ୍ମ ହୋଇ ପଡ଼ିଲାଣି। ଏହି ଆସନରେ ପ୍ରାର୍ଥୀଙ୍କୁ ନେଇ ଘଡ଼ିକେ ଘୋଡ଼ ଛୁଟିବାରେ ଲାଗିଛି। ଏହି ଆସନ ଉପରେ ଏବେ ସବୁ ଦଳର ନଜର ରହିଛି। ଆଗାମୀ ନିର୍ବାଚନରେ ସନାତନ ପୁନର୍ବାର ପ୍ରାର୍ଥୀ ହେବାକୁ ନେଇ ଇଚ୍ଛା ପ୍ରକାଶ କରିଥିବା ବେଳେ ତାଙ୍କର ନିଷ୍ପତ୍ତିକୁ ନେଇ ସବୁ ଦଳ ଅପେକ୍ଷା କରିଛନ୍ତି। ବିଶେଷ କରି ଶାସକ ଦଳ ପାଇଁ ସନାତନଙ୍କ ପ୍ରାର୍ଥିତ୍ୱ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ରାଜ୍ୟର ଆର୍ଥିକ ଦୃଷ୍ଟି କୋଣରୁ ଚମ୍ପୁଆ ବିଧାନସଭା ଆସନ ବେଶ ଗୁରୁତ୍ତ୍ୱବହନ କରିଥାଏ। ରାଜ୍ୟର ଆର୍ଥିକ କ୍ଷେତ୍ରରେ ସହଯୋଗ ଯୋଗାଇବାରେ ଚମ୍ପୁଆର ସିଂହଭାଗ ଅବଦାନ ରହି ଆସିଛି। ବିଗତ ୫ଟି ନିର୍ବାଚନ ଉପରେ ଯଦି ଦୃଷ୍ଟି ପକାଯାଏ ତେବେ ସ୍ୱାଧିନ ପ୍ରାର୍ଥୀଙ୍କର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ ରହି ଆସିଛି। ଏହିକ୍ରମରେ ସନାତନ ମହାକୁଡ଼ ଗତ ୨୦୧୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟ ହାସଲ କରିଥିଲେ।

ସେହିପରି ପୂର୍ବ ନିର୍ବାଚନ ଉପରେ ଦୃଷ୍ଟି ପକାଇଲେ ୨୦୦୯ ନିର୍ବାଚନ ପରଠାରୁ ଏଠାରେ ସନାତନ ଓ କୁଶ ଆପଟ୍ଟଙ୍କ ମଧ୍ୟରେ ଲଢେଇ ହେଇ ଆସୁଛି। ୨୦୦୯ ନିର୍ବାଚନ ଉପରେ ନଜର ପକାଇଲେ ଜିତୁ ପଟ୍ଟନାୟକ ମାତ୍ର ୧୪୫ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିଲେ। ଜିତୁ ମୋଟ ୨୭୭୦୦ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସନାତନ ମହାକୁଡ଼ ୨୭୫୫୫ ଖଣ୍ଡ ଭୋଟ ପାଇଥିଲେ। ସେହି ସମୟରେ କୁଶ ଆପଟ୍ଟ ୨୬୨୮୦ ଭୋଟ ପାଇଥିଲେ। ୨୦୧୪ ନିର୍ବାଚନରେ ବିଜେଡ଼ିରୁ ଟିକେଟେ ଆଶାରେ ଥିବା କୁଶ ଆପଟ୍ଟ ନିରାଶ ହେବା ସହିତ ସ୍ୱାଧିନ ଭାବେ ଲଢିଥିଲେ। ସନାତନ ମଧ୍ୟ କଂଗ୍ରେସରୁ ନ ଲଢି ସ୍ୱାଧିନ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ସନାତନ ୬୯୬୩୫ ଖଣ୍ଡ ଭୋଟ ପାଇଥିବା ବେଳେ କୁଶଙ୍କ ଖାତାରେ ୫୪୯୫୭ ଖଣ୍ଡ ଭୋଟ ପଡ଼ିଥିଲା। କୁଶଙ୍କୁ ନିଲମ୍ବନ କରି ବିଜେଡ଼ି ଅଭିନେତାରୁ ରାଜନେତା ପାଲଟିଥିବା ପପୁ ପମପମଙ୍କୁ ବିଜେଡ଼ି ଟିକେଟ ଦେଇଥିଲା। ବିଜେଡ଼ିରୁ ପ୍ରାର୍ଥୀ ହୋଇଥିବା ପପୁ ପମପମ ୧୦୨୩୩ ଖଣ୍ଡ ଭୋଟ ପାଇଥିଲେ।

୨୦୧୯ ନିର୍ବାଚନରେ ସନାତନ ନିର୍ବାଚନ ଲଢିନଥିଲେ। ସମାନ୍ତରାଳ ଭାବେ କୁଶଙ୍କ ଉପରେ ବିଜେଡ଼ି ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରିଥିଲା। ସନାତନ ୨୦୧୯ରେ ନିଜର ରାଜନୈତିକ ଦଳ ଗଠନ କରିଥିଲେ। କୁହାଯାଏ ସେହି ସମୟରେ ସନାତନଙ୍କ ଦଳକୁ ଭାଙ୍ଗିବାରେ ସଫଳ ହୋଇଥିଲା ବିଜେଡ଼ି। ସନାତନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିବା ସହିତ ବିଭିନ୍ନ ପ୍ରକାର ପ୍ରଶାସନିକ ଚାପ ପ୍ରୟୋଗ କରିବାରେ ଶାସକ ଦଳ ସକ୍ଷମ ହୋଇଥିଲା ବୋଲି କୁହାଯାଏ। ଫଳରେ ୨୦୧୯ରେ ସନାତନଙ୍କ ବଦଳରେ ମିନାକ୍ଷୀ ମହନ୍ତ ବିଧାୟିକା ଭାବେ ନିର୍ବାଚିତ ହୁଅନ୍ତି।

ବିଧାୟିକା ହେବା ପରେ ସନାତନ ଓ ମିନାକ୍ଷୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କନ୍ଦଳ ସାମ୍ନାକୁ ଆସେ। ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ସେହି ସମୟରେ ଚର୍ଚ୍ଚା ହୁଏ। ସେପଟେ ଚମ୍ପୁଆରେ ସନାତନଙ୍କ ଦବଦବା ବେଶ ଭଲ ରହିଥିବା ନେଇ ଚର୍ଚ୍ଚା ହୁଏ। ମିନାକ୍ଷୀ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସହାୟତାରେ ପୁନର୍ବାର ଦଳୀୟ ଟିକେଟ ଆଶାରେ ରହିଛନ୍ତି। ସେପଟେ ଯଦି ଦଳୀୟ ଟିକେଟ ନମିଳେ ତେବେ ସନାତନ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି। ଯଦି ଏପରି ହୁଏ ତେବେ ଭୋଟ ହରାଇବା ଭୟରେ ଏବେ ଶାସକ ଦଳ ଚିନ୍ତାରେ ରହିଥିବା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।

Comments are closed.