Latest Odisha News

ଉତ୍କର୍ଷ ଓଡିଶା କନକ୍ଲେଭ୍: ରାଜ୍ୟରେ ୮ ଲକ୍ଷ ୯୪ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ ଆମ ପାଇଁ ଅପାର ସଫଳତା ଆଣିଛି । ଏଥିରେ ସାରା ବିଶ୍ୱର ଅନେକ ଶିଳ୍ପପତି, ବିଜନେସ୍ ଡେଲିଗେଟ୍, ପୁଞ୍ଜି ନିବେଶକ ଓ ନୀତି ନିର୍ଦ୍ଧାରକ ମାନେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ସ୍ୱୟଂ ଉଦଘାଟନ କରି ଓଡିଶା ପ୍ରତି ତାଙ୍କର ସମର୍ଥନ ଜଣାଇଥିଲେ ।

ଶିଳ୍ପ ଜଗତକୁ ବାର୍ତ୍ତା ଦେଇ ସେ କହିଥିଲେ ଯେ, ଓଡିଶା ହେଉଛି ଉତ୍କୃଷ୍ଟ । ଓଡିଶା ହେଉଛି ବର୍ତ୍ତମାନ ପାଇଁ ସର୍ବୋତ୍ତମ ସୁଯୋଗର ଭୂମି । ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା ଓଡିଶାରେ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି । ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ କୃତଜ୍ଞତା ପ୍ରକାଶ କରିବା ସହିତ ଓଡିଶାର ସାଢେ ଚାରିକୋଟି ଜନସାଧାରଣଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରୁଛି ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଜୀ ନିଜେ ଉପସ୍ଥିତ ରହି ଓଡିଶାରେ ପୁଞ୍ଜି ନିବେଶ ପାଇଁ ତାଙ୍କର ଗ୍ୟାରେଣ୍ଟି- ‘ମୋଦି ଗ୍ୟାରେଣ୍ଟି’ ଦେଇଥିଲେ । ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ କରିବା ଓ ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡିଶାକୁ ଏକ ଗ୍ରୋଥ୍ ଇଞ୍ଜି୍ନ କରିବା ପାଇଁ ସେ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇ ଆସିଛନ୍ତି । ଡବଲ ଇଞ୍ଜିନ ସରକାରରେ ତାଙ୍କର ଯାହା ଭୂମିକା ରହିବା କଥା ତାକୁ ସେ ସମ୍ପୂର୍ଣ୍ଣ ଭାବେ ନିର୍ବାହ କରିଛନ୍ତି । ଏହାଦ୍ୱାରା ଦେଶର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବା ପାଇଁ ଆମର ଯେଉଁ ସଂକଳ୍ପ ରହିଛି, ଆମେ ତାହାର ନିକଟତର ହୋଇପାରିଛୁ ।

ଏହି ସମ୍ମିଳନୀରେ ସମୁଦାୟ ୧୪୫ଟି ରାଜିନାମା (ଏମଓୟୁ) ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା ଗୁଡିକ ଓଡିଶାର ଶିଳ୍ପକ୍ଷେତ୍ରରେ କାୟକଳ୍ପ ପରିବର୍ତ୍ତନ କରିବା ସହିତ ବିଶ୍ୱ ସ୍ତରୀୟ ଶିଳ୍ପସଂସ୍ଥା ମାନଙ୍କ ସହିତ ସହଭାଗୀତାର ନୂଆ ଯୁଗ ଆରମ୍ଭ କରିବ ।

ଏହି ଏମଓୟୁ ଗୁଡିକ ଜରିଆରେ ସମୁଦାୟ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ରାଜିନାମା ହୋଇଛି । କେମିକାଲସ୍, ପେଟ୍ରୋକେମିକାଲସ୍, ଟେକ୍ସଟାଇଲସ୍, ମାଇନଙ୍ଗ ଓ ମେଟାଲର୍ଜି, ନବୀକରଣୀୟ ଶକ୍ତି, ଆଇ.ଟି, ପର୍ଯ୍ୟଟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ପରି ବିବିଧ କ୍ଷେତ୍ରରୁ ପୁଞ୍ଜିନିବେଶର ପ୍ରସ୍ତାବ ଆସିଛି । ଏହା ଦ୍ୱାରା ରାଜ୍ୟରେ ୮ ଲକ୍ଷ ୯୪ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଓଡିଶାର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହିତ ରାଜ୍ୟରେ ସମାବେଶୀ ଅଭିବୃଦ୍ଧି ହୋଇପାରିବ ।

ଏମଓୟୁ ସ୍ୱାକ୍ଷର ବ୍ୟତୀତ ଆହୁରି ୩.୮୪ ଲକ୍ଷ କୋଟି ଟଙ୍କାର ୪୪୮ ଟି ପୁଞ୍ଜିନିବେଶ ଅଭିପ୍ରାୟ ମଧ୍ୟ ଆମେ ନିର୍ଦ୍ଧାରିତ ଫର୍ମରେ ଗ୍ରହଣ କରିଛୁ । ଏହା ଦ୍ୱାରା ୩.୯୨ ଲକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଛି ।

ଏହି କନକ୍ଲେଭରେ ସମୁଦାୟ ୨୦ ଟି ସେକ୍ଟରରେ ୫୯୩ଟି ପ୍ରକଳ୍ପ ପାଇଁ ୧୬.୭୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ଏବଂ ଏହାଦ୍ୱାରା ୧୨.୮୮ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଙ୍ଗାପୁର, ମାଲେସିଆ ଓ ଅଷ୍ଟ୍ରେଲିଆ ପରି ପାର୍ଟନର ଦେଶର ପ୍ରତିନିଧି ମାନଙ୍କ ସହିତ ୧୬ଟି ଦେଶର ପ୍ରତିନିଧି ଏହି କନକ୍ଲେଭରେ ଯୋଗଦେଇଥିଲେ । ଏହା ଦ୍ୱାରା ବିଶ୍ୱ ନିବେଶ ମାନଚିତ୍ରରେ ଓଡିଶା ଏକ ଆକର୍ଷଣୀୟ ସ୍ଥାନ ହୋଇପାରିଛି ।

ଦ୍ୱିତୀୟ ଦିନ କାର୍ଯ୍ୟକ୍ରମରେ ବୟନ ଶିଳ୍ପ ଓ ପୋଷାକ, ନବୀକରଣୀୟ ଶକ୍ତି, ସ୍କିଲଡ୍ ଇନ୍ ଓଡିଶା, ମହିଳା ମାନଙ୍କ ଉଦ୍ୟୋଗ ସ୍ଥାପନ, ପର୍ଯ୍ୟଟନ, ସର୍କୁଲାର ଇକୋନମି, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ସ୍ୱାସ୍ଥ୍ୟ, ଫାର୍ମା ଓ ବାୟୋଟେକ୍ ଏବଂ ଶିଳ୍ପ ଭିତ୍ତିଭୂମି ଆଦି ବିଭିନ୍ନ କ୍ଷେତ୍ରୀୟ ଶିଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ସବୁ କ୍ଷେତ୍ରଗୁଡିକରେ ପୁଞ୍ଜିନିବେଶ ଓ ଅଭିବୃଦ୍ଧି ପାଇଁ ବିଭିନ୍ନ ରଣନୀତି ଉପରେ ପ୍ରସ୍ତାବ ରଖାଯାଇଥିଲା ।

ଆଧୁନିକ ଓ ଆଗାମୀ ଦିନରେ ଶିଳ୍ପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମର ୱାର୍କଫୋର୍ସକୁ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ରଣନୀତି ଉପରେ ସ୍କିଲଡ୍ ଇନ୍ ଓଡିଶା ସେସନରେ ଆଲୋଚନା କରାଯାଇଥିଲା । ମହିଳା ଉଦ୍ୟମଶୀଳତା ଓ ଷ୍ଟାର୍ଟଅପ୍ ଓଡିଶା ଆଦି ସମ୍ପର୍କିତ ପ୍ୟାନେଲ ଡିସ୍କସନରେ ଅଭିନବ ଓ ସମାବେଶୀ ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ନବୀକରଣୀୟ ଶକ୍ତି, ସର୍କୁଲାର ଇକୋନମି ଓ ଗ୍ରୀନ ଟେକ୍ନୋଲୋଜି ଆଦି ଆଲୋଚନାରେ ଚିରନ୍ତନ ବିକାଶ ପାଇଁ ଓଡିଶାର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଥିଲା ।

୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତକୁ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧତାର ସହ କାମ କରୁଛୁ ଓ ଆଗାମୀ ଦିନରେ ମଧ୍ୟ ଏଥିପାଇଁ ଉଦ୍ୟମ ଜାରିରହିବ । ଏହି କନକ୍ଲେଭର ସଫଳତା ପାଇଁ ଶିଳ୍ପ ବିଭାଗ, ଇପିକଲ, ଇଡକୋ, ସି.ଆଇ.ଆଇ, ପିଡବ୍ଲୁସି ପରି ବିଭିନ୍ନ ସଂସ୍ଥା ଦ୍ୱାରା ଯୋଜନାବଦ୍ଧ ଭାବେ ପରିଶ୍ରମ କରିଛନ୍ତି । ସେମାନଙ୍କୁ ମୁଁ ଧନ୍ୟବାଦ୍ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହା ସହ ଏହି ଦୁଇ ଦିନର କାର୍ଯ୍ୟକ୍ରମ ଗଣମାଧ୍ୟମ ଜରିଆରେ ଉତ୍କର୍ଷ ଓଡିଶାର ସମ୍ବାଦ ସମସ୍ତଙ୍କ ପାଖରେ ପହଞ୍ଚି ପାରିଛି । ଏଥିପାଇଁ ମୁଁ ଗଣମାଧ୍ୟମ ସଂସ୍ଥା ଓ ଏଥିରେ କାମ କରୁଥିବା ସାମ୍ବାଦିକ ବନ୍ଧୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Comments are closed.