Latest Odisha News

BREAKING NEWS

ଏକଜିଟ୍ ପୋଲର ଆକଳନରେ କେଉଁ ଆଧାରରେ ମୋଦୀ ମାରିବେ ହ୍ୟାଟ୍ରିକ ବିଜୟ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ଜନାଧାର ଯାଉଛି ଏବଂ ସେ ତୃତୀୟ ଥର ସରକାର ଗଢିବାକୁ ଯାଉଛନ୍ତି ବୋଲି ଏକଜିଟ୍ ପୋଲ୍ ଆକଳନ କରିଛି। ତେବେ ୫୪୩ ଲୋକସଭା ଆସନରୁ ଏନଡିଏକୁ ୪୦୦ ପାରର ସ୍ୱପ୍ନ ଏବଂ ବିଜେପି ୩୭୦ ଆସନର ଟାର୍ଗେଟଠାରୁ ବହୁତ ପଛରେ ରହିଛି । ୫ଟି ଏକଜିଟ୍ ପୋଲକୁ ଅନୁଧ୍ୟାନ ପରେ ଏପରି ଏକ ନିର୍ଯାସ ଆସୁଛି। ଅନ୍ୟପଟେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ପୂର୍ବାନୁମାନ କରିଛନ୍ତି, ଇଣ୍ଡିଆ ମେଣ୍ଟ ୨୮୫ ଟି ଆସନ ଠାରୁ ବହୁ ଆଗରେ ରହିବ।

ମୋଟ୍ ୭ଟି ଏକଜିଟ୍ ପୋଲ୍ ଅନୁଯାୟୀ ଏନଡିଏକୁ ୩୬୧, ଇଣ୍ଡିଆ ମେଣ୍ଟକୁ ୧୪୫ ଆସନ ମିଳିବ। ବିଜେପି ୩୧୧ ଏବଂ କଂଗ୍ରେସର ୬୩ ଆସନ ରହିବ।

ଇଣ୍ଡିଆ ଟିଭି-ସିଏନଏକ୍ସ ର ଏକଜିଟ୍ ପୋଲରେ ଏନଡିଏ ପାଇଁ ସର୍ବାଧିକ ୩୭୧-୪୦୧ ଆସନ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଏଥିରେ ବିରୋଧୀ ଦଳକୁ ୧୦୯ରୁ ୧୩୯ ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି। ଏହା ପରେ ‘ଜନକି ବାତ୍’ରେ ଏନଡିଏକୁ ୩୬୨-୩୯୨ ଓ ଇଣ୍ଡିଆ ମେଣ୍ଟକୁ ୧୪୧-୧୬୧ ଆସନ ମିଳିବ ବୋଲି ଆକଳନ କରାଯାଇଛି।

ଏନଡିଏ ପାଇଁ ସର୍ବନିମ୍ନ ଆସନ ଦେଇଛି ଦୈନିକ ଭାସ୍କର। ଯେଉଁଥିରେ ଏନଡିଏ ୨୮୧ରୁ ୩୫୦ ଏବଂ ଇଣ୍ଡିଆ ମେଣ୍ଟ ୧୪୫ରୁ ୨୦୧ ଆସନ ଜିତିପାରେ ବୋଲି କୁହାଯାଇଛି। ତେବେ ଏକଜିଟ୍ ପୋଲ୍ ଅନେକ ସମୟରେ ଭୁଲ ହେଉଥିବାର ପ୍ରମାଣ ମଧ୍ୟ ରହିଛି।

ତେବେ ଦକ୍ଷିଣ ଭାରତ ଓ ପଶ୍ଚିମବଙ୍ଗରେ ଏନଡିଏର ଉନ୍ନତ ପ୍ରଦର୍ଶନକୁ ନେଇ ସମସ୍ତ ଏକଜିଟ୍ ପୋଲ ଏକମତ। ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ସହ ମେଣ୍ଟ ଫଳପ୍ରଦ ହୋଇଥିବା ବେଳେ ଏନଡିଏକୁ ରାଜ୍ୟର ୨୫ଟି ଆସନରୁ ୧୮ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି।

କର୍ଣ୍ଣାଟକ ମଧ୍ୟ ରାଜ୍ୟ ସ୍ତରରେ କଂଗ୍ରେସକୁ ପସନ୍ଦ କରୁଥିବା ସତ୍ତ୍ୱେ ବିଜେପିକୁ ଅଧିକ ଭୋଟ୍ ଦେବ ବୋଲି ଆଶା କରାଯାଉଛି। ତେଲେଙ୍ଗାନାରେ ୧୭ଟି ଆସନ ମଧ୍ୟରୁ ଅଧାରୁ ଅଧିକ ଆସନରେ ବିଜେପି ବିଜୟୀ ହେବାର ସମ୍ଭାବନା ରହିଛି।

ଏପରିକି ବିଜେପି ତାମିଲନାଡୁରେ ଅତି କମରେ ୨ଟି ଆସନ ଏବଂ କେରଳରେ ଗୋଟିଏ ଆସନ ସହ ଖାତା ଖୋଲିବ ବୋଲି ଏକଜିଟ୍ ପୋଲ୍ ଆକଳନ କରିଛି।

ପଶ୍ଚିମବଙ୍ଗରେ ବିଜେପି ୨୦୧୯ରେ ୧୮ ଟି ଆସନ ହାସଲ କରିଥିଲା। ଏଥର ଏହି ସଂଖ୍ୟା ୨୨ରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଯାହା ରାଜ୍ୟରେ ଶକ୍ତିଶାଳୀ ଦଳ ତୃଣମୂଳ କଂଗ୍ରେସକୁ ପ୍ରଥମ ଥର ପାଇଁ ପଛରେ ପକାଇବ। ମମତା ବାନାର୍ଜୀଙ୍କ ଦଳ ରାଜ୍ୟର ୪୨ଟି ଲୋକସଭା ଆସନରୁ ମାତ୍ର ୧୯ଟି ଆସନ ପାଇବ ବୋଲି କୁହାଯାଉଛି। ସେହିପରି ଓଡ଼ିଶାରେ ୨୧ଟି ଆସନ ମଧ୍ୟରୁ ବିଜେପି ୧୫ଟିରେ ବିଜୟୀ ହେବ ବୋଲି ଆକଳନ କରାଯାଇଛି।

ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଆସାମ ଏବଂ ଦିଲ୍ଲୀ ଭଳି ଗଡ଼ରେ ମଧ୍ୟ ବିଜେପିର ଆଧିପତ୍ୟ ବଜାୟ ରହିବ। ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ଏବଂ ସହଯୋଗୀ କଂଗ୍ରେସ ପୁଣି ଥରେ ଦିଲ୍ଲୀରେ ଗୋଟିଏ ବି ଆସନ ଜିତିବାରେ ବିଫଳ ହୋଇପାରନ୍ତି ବୋଲି ଏକଜିଟ୍ ପୋଲ୍ ଆକଳନ କରିଛି। ତେବେ ଏହି ଦୁଇ ଦଳ ପଞ୍ଜାବରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି, ଯେଉଁଠାରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମୁକାବିଲା ହୋଇଛି। ରାଜ୍ୟର ୧୩ଟି ଆସନରୁ କଂଗ୍ରେସ ୫ଟି ଓ ଆପ୍ ୪ଟି ଆସନରେ ବିଜୟୀ ହେବ ବୋଲି ଆକଳନ କରାଯାଇଛି।

ଗତ ନିର୍ବାଚନରେ ଏନଡିଏକୁ ୪୦ଟି ଆସନରୁ ୩୯ଟି ଆସନ ଦେଇଥିବା ବିହାରରେ ମଧ୍ୟ କିଛି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ତେଜସ୍ୱୀ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ନେତୃତ୍ବାଧୀନ ବିରୋଧୀ ମେଣ୍ଟ ୭ଟି ଆସନ ହାତେଇବ ବୋଲି ଆକଳନ କରାଯାଇଛି। ୨୦୧୯ରେ ହରିୟାଣାରେ ୧୦ଟି ଆସନରୁ ୩ଟି ଏବଂ ରାଜସ୍ଥାନରେ କିଛି ଆସନରେ ବିରୋଧୀ ଦଳ ବିଜୟୀ ହୋଇପାରେ।

Leave A Reply

Your email address will not be published.