ଲେହ: ଆରଜି କର ପୀଡିତାଙ୍କ ସ୍ମୃତିରେ ଲଦାଖର ଏକ ଶିଖରକୁ ଦିଆଯିବ ଅଭୟା ନାମ । ଯାହାଙ୍କୁ ଗଣଦୁଷ୍କର୍ମ କରାଯାଇ ପରେ ହତ୍ୟା କରାଯାଇଥିଲା । ତେବେ ଲଦାଖର ଲେହ ଜିଲ୍ଲାର ଦୂରବର୍ତ୍ତୀ ତ୍ସୋ-ମୋରିରି ଅଞ୍ଚଳରେ ଏକ ଅଭିଯାନର ଅଂଶ ଭାବରେ ପର୍ବତାରୋହୀ, ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଏକ ଦଳ ଏକ ଅଜ୍ଞାତ ଶିଖର ଚଢ଼ିବେ । ଏହା ସହିତ, ଏହି ୬.୧୦୫ ମିଟର ଉଚ୍ଚ ଶିଖରକୁ ପ୍ରତୀକାତ୍ମକ ଭାବରେ ‘ଅଭୟା’ ନାମରେ ନାମିତ କରାଯିବ । ଗତ ବର୍ଷ, କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ମହିଳା ପ୍ରଶିକ୍ଷାର୍ଥୀ ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା କରାଯାଇଥିଲା । ଏହି ଦଳ ମହିଳା ଡାକ୍ତରଙ୍କ ସ୍ମୃତିରେ ଏହି ଶିଖରର ନାମକରଣ କରିବାକୁ ନିଷ୍ପତ୍ତି ନେଇଛି । ପ୍ରୋଜେକ୍ଟ ସୀମା (ପାହାଡ଼ି ଅଞ୍ଚଳରେ ସ୍ଥାୟୀ ସଶକ୍ତିକରଣ ଏବଂ ଅନୁସନ୍ଧାନ) ନାମକ ଏହି ଅଭିଯାନର ଲକ୍ଷ୍ୟ ହେଉଛି ପର୍ବତ ଅନୁସନ୍ଧାନକୁ ସାମାଜିକ, ବୈଜ୍ଞାନିକ ଏବଂ ବିକାଶମୂଳକ ପଦକ୍ଷେପ ସହିତ ସଂଯୋଗ କରିବା । ଏହି ଗୋଷ୍ଠୀ ହିମାଳୟର ଚ୍ୟାଲେଞ୍ଜିଂ ଇକୋସିଷ୍ଟମରେ ହିମବାହ, ନଦୀ, ହ୍ରଦ, କୃଷି ଏବଂ ଜଳବାୟୁ ପରିବର୍ତ୍ତନର ମଧ୍ୟ ଅଧ୍ୟୟନ କରିବ।
ଏହି ଅଭିଯାନର ନେତୃତ୍ୱ ନେଉଥିବା ବରିଷ୍ଠ ପର୍ବତାରୋହୀ ଦେବାଶିଷ ବିଶ୍ୱାସ ପିଟିଆଇକୁ ଦେଇଥିବବା ବିବୃତ୍ତି ଅନୁଯାୟୀ, ତାଙ୍କର (ମହିଳା ଡାକ୍ତର) ମୃତ୍ୟୁ ସମଗ୍ର ଦେଶର ବିବେକକୁ ଥରାଇ ଦେଇଥିଲା । ଆମେ ଏହି ଅଜ୍ଞାତ ଶିଖରଗୁଡ଼ିକ ମଧ୍ୟରୁ ଗୋଟିଏକୁ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ତାଙ୍କୁ ସମ୍ମାନିତ କରିବାକୁ ଚାହୁଁଛୁ ଏବଂ ଏହାର ପ୍ରତୀକାତ୍ମକ ନାମ ‘ଅଭୟା’ ନାମରେ ନାମିତ ହେବ। କୋରଜୋକ ଫୁରେ ବେସ୍ କ୍ୟାମ୍ପ ସ୍ଥାପନ କରିଥିବା ଦଳରେ ସାରା ଭାରତରୁ ପ୍ରମୁଖ ପ୍ରଫେସର, ଗବେଷକ, ଜଳବାୟୁ ବିଶେଷଜ୍ଞ, ଚିକିତ୍ସା ବୃତ୍ତିଗତ ଏବଂ ସାମାଜିକ ବିକାଶ କର୍ମୀ ଅଛନ୍ତି।
ସୂଚନାଯୋଗ୍ୟ, ଆରଜି କର ମେଡିକାଲ କଲେଜରେ ଜଣେ ପ୍ରଶିକ୍ଷାର୍ଥୀ ଛାତ୍ରୀଙ୍କୁ ଗତବର୍ଷ ଅଗଷ୍ଟ ମାସରେ ଗଣବଳାତ୍କାର ଏବଂ ହତ୍ୟା କରାଯାଇଥିଲା। ଏହି ମାମଲା ସାମ୍ନାକୁ ଆସିବା ପରେ ସାରା ଦେଶରେ କ୍ରୋଧ ପ୍ରକାଶ ପାଇଥିଲା। ଏହାକୁ ନେଇ ଡାକ୍ତରମାନଙ୍କ ଦ୍ୱାରା ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବର୍ତ୍ତମାନ ଜେଲ ପଛରେ ଅଛି ଏବଂ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଛି ।
Comments are closed.