Latest Odisha News

ଭାରତର ହାଇବଜେଟ ଫିଲ୍ମ

ମୁମ୍ବାଇ: ନିକଟରେ ରିଲିଜ ହୋଇଛି ମୂଳ ତେଲେଗୁ ଫିଲ୍ମ କଲକୀ ୨୮୯୮ ଏଡି । ସାଇନ୍ସ ଫିକସନ ଶ୍ରେଣୀଭୁକ୍ତ କଲକୀ ୨୮୯୮ ଏଡି ଏଯାବତ ଭାରତରେ ନିର୍ମିତ ସବୁଠାରୁ ବ୍ୟୟବହୁଳ ଫିଲ୍ମ ବୋଲି କୁହାଯାଉଛି । ଫିଲ୍ମ ନିର୍ମାଣରେ ଖର୍ଚ୍ଚ ହୋଇଛି ୬୦୦ କୋଟିରୁ ୭୦୦ କୋଟି ଟଙ୍କା । ଫିଲ୍ମର ଉଚ୍ଚକୋଟୀର ଭିଏଫଏକ୍ସ ବାବଦରେ ହିଁ ପାଣି ଭଳି ଟଙ୍କା ଖର୍ତ୍ତ ହୋଇଛି ।  ଏକ ନୀମୀଦାମୀ ହଲିଉଡ୍ କମ୍ପାନିକୁ ଦିଆଯାଇଥିଲା ଭିଏଫଏକ୍ସ ଦାୟିତ୍ୱ । ହିନ୍ଦି ସମେତ ଅନ୍ୟ କିଛି ଭାରତୀୟ ଭାଷାରେ ଡବ୍ ହୋଇଥିବା କଲକୀ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି ବୋଲି ଟ୍ରେଡ୍ ପଣ୍ଡିତମାନେ କହିଛନ୍ତି ।

ଗତ କିଛି ବର୍ଷ ମଧ୍ୟରେ ରିଲିଜ ହୋଇଛି ଅନେକ ହାଇବଜେଟ ଫିଲ୍ମ । ସବୁ ବ୍ୟୟବହୁଳ ଫିଲ୍ମ  ବ୍ୟବସାୟିକ ସଫଳତା ହାସଲ କରିପାରିନାହିଁ । ଆରଆରଆର୍ , ଆଦିପୁରୁଷ, ତାମିଲ ଫିଲ୍ମ ପନିୟନ ସେଲଭନ ବାହୁବଳୀ, ବ୍ରହ୍ମାସ୍ତ୍ର ପ୍ରଥମ ଭାଗ, ବଡେ ମିୟାଁ ଛୋଟେ ମିୟାଁ ଆଦି ବ୍ୟୟବହୁଳ ଫିଲ୍ମ ଶ୍ରେଣୀରେ ଆସିବେ । ଏସବୁ ଫିଲ୍ମର ମୋଟ ବଜେଟ୍ ୪ ଶହ କୋଟିରୁ ଢେର ଅଧିକ । ୨୫୦ କୋଟିରୁ ୩୫୦ କୋଟି ଟଙ୍କା ବଜେଟ୍ ମଧ୍ୟରେ ବି କେତେକ ଫିଲ୍ମ ନିର୍ମିତ ହୋଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ ସହ ସାଇନ୍ସ ଫିକ୍ସନ ଓ ପୌରାଣିକ କଥାବସ୍ତୁ ଉପରେ ନିର୍ମିତ ଚଳଚ୍ଚିତ୍ର ନିର୍ମାଣ କଲେ ତ ବଜେଟ୍ ଅଧିକ ହେବା ନିଶ୍ଚିତ । ଏଥିସହ ଯଦି ଏ-ଲିଷ୍ଟ ଷ୍ଟାରକାଷ୍ଟ ଓ ଆଗଧାଡିର ନିର୍ଦ୍ଦେଶକ ପ୍ରୋଜେକ୍ଟରେ ରହିବେ, ତାହା ହେଲେ ଫିଲ୍ମର ବଜେଟ ଆକାଶଛୁଆଁ ହେବ ।

ନିକଟରେ ରିଲିଜ ହୋଇଥିବା କିଛି ଦକ୍ଷିଣ ଭାରତୀୟ ଫିଲ୍ମ ମହଙ୍ଗା ଶ୍ରେଣୀରେ ଆସିବ । କଲକୀ ପୂର୍ବରୁ ତେଲେଗୁ ଫିଲ୍ମ ଆରଆରଆର୍ ଓ  ତାମିଲ ଭାଷାର ପନିୟନ ସେଲଭନର ବଜେଟ୍ ୫୫୦ କୋଟି ଟଙ୍କା ଲେଖାଏଁ ଥିଲା । ବକ୍ସ ଅଫିସରେ ମଧ୍ୟ ଏହି ଦୁଇ ଫିଲ୍ମ ଅପାର ସଫଳତା ହାସଲ କରିଛନ୍ତି । ରାମାୟଣ କଥାବସ୍ତୁ ଉପରେ ଆଧାରିତ ହିନ୍ଦି ଫିଲ୍ମ ଆଦିପୁରୁଷ ନିର୍ମାଣ ପାଇଁ ୫୦୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିଲା । କିନ୍ତୁ ବକ୍ସ ଅଫିସରେ ଫେଲ୍ ମାରିଥିଲା ଆଦିପୁରୁଷ । ରଜନୀକାନ୍ତ ଅଭିନୀତ  ତାମିଲ ଫିଲ୍ମ ଟୁ ପଏଂଟ ଜିରୋ ଏବଂ ବାହୁବଳୀ ଦି ବିଗିନିଂ ନିର୍ମାଣ ପାଇଁ ୪ ଶହରୁ ୬ ଶହ କୋଟି  ଲେଖାଏଁ ଖର୍ଚ୍ଚ ହୋଇଥିଲା । ଉଭୟ ଫିଲ୍ମ ସୁପରହିଟ୍ ଘୋଷିତ ହୋଇଥିଲା । ୩୭୫ କୋଟିରୁ ୪୦୦ କୋଟି ମଧ୍ୟରେ ନିର୍ମିତ ବ୍ରହ୍ମାସ୍ତ୍ର ପ୍ରଥମ ଭାଗ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା

୩୫୦ କୋଟି ବଜେଟ ମଧ୍ୟରେ ନିର୍ମିତ ଫିଲ୍ମ ହେଉଛି ସାହୋ ଓ ବଡେ ମିୟାଁ ଛୋଟେ ମିୟାଁ । କିନ୍ତୁ ଉଭୟ ଫିଲ୍ମ ବକ୍ସ ଅଫିସରେ ଫେଲ୍ ମାରିଛି । ୩ ଶହ କୋଟି ବଜେଟ ମଧ୍ୟରେ ନିର୍ମିତ ଠଗ୍ସ ଅଫ ହିନ୍ଦୁସ୍ଥାନ ଫ୍ଲପ ହୋଇଥିବା ବେଳେ ଯବାନ, ଲିଓ ସୁପରହିଟ୍ ହୋଇଛି । ୨୫୦ରୁ ୩୦୦ କୋଟି ବଜେଟ୍ ମଧ୍ୟରେ ନିର୍ମିତ ଫିଲ୍ମ ମଧ୍ୟରେ ସଲାର ପ୍ରଥମ ଭାଗ, ବାହୁବଳୀ ଦ୍ୱିତୀୟ ଭାଗ, ପଠାନ ଓ ଫାଇଟର ହିଟ୍ ଘୋଷିତ ହୋଇଛି । ଅତୀତରେ ମଧ୍ୟ ବିଭିନ୍ନ ଭାରତୀୟ ଭାଷାରେ ବ୍ୟୟବହୁଳ ଚଳଚ୍ଚିତ୍ର ନିର୍ମାଣ ହୋଇଛି । ୧୯୩୩ରେ ରିଲିଜ ହୋଇଥିଲା ତେଲେଗୁ ଫିଲ୍ମ ସତୀ ସାବିତ୍ରୀ । ସେତେବେଳେ ସତୀ ସାବିତ୍ରୀ ଥିଲା ମହଙ୍ଗା ଫିଲ୍ମ । ଫିଲ୍ମ ନିର୍ମାଣରେ ୭୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ୧୯୩୩ରେ ୭୫ ହଜାର ବିପୁଳ ଟଙ୍କା ଥିଲା । ୧୯୪୮ରେ ରିଲିଜ ହୋଇଥିବା ତାମିଲ ଫିଲ୍ମ ଚନ୍ଦ୍ରଲେଖା ନିର୍ମାଣରେ ଖର୍ଚ୍ଚ ହୋଇଥିଲା ୩୦ ଲକ୍ଷ ଟଙ୍କା । ୧୯୬୦ରେ ପ୍ରଥମ ଥର ପାଇଁ ଗୋଟିଏ ହିନ୍ଦି ଫିଲ୍ମ ନିର୍ମାଣ ପାଇଁ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ସେହି ଫିଲ୍ମ ଥିଲା ଏଭରଗ୍ରୀନ ହିଟ୍ ମୋଗଲ-ଏ-ଆଜମ । ଦେଢ କୋଟି ଟଙ୍କାରେ ମୋଗଲ-ଏ-ଆଜମ ନିର୍ମାଣ କରିଥିଲେ ନିର୍ମାତା ଓ ନିର୍ଦ୍ଦେଶକ କେ. ଆସିଫ୍ । ବ୍ଲକବଷ୍ଟର ଶୋଲେ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିଲା ୩ କୋଟିି ।

 

ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Leave A Reply

Your email address will not be published.