ରାୟପୁର: ଛତିଶଗଡ଼ର ଶକ୍ତି ଜିଲ୍ଲାରେ ଥିବା ବେଦାନ୍ତ ପାୱାର ପ୍ଲାଣ୍ଟର ବଡ଼ ଧରଣର ବଏଲର ବିସ୍ଫୋରଣ ମାମଲା । ବେଦାନ୍ତ ମାଲିକ ଅନୀଲ ଅଗ୍ରୱାଲ, କମ୍ପାନୀ ପରିଚାଳକ ଦେବେନ୍ଦ୍ର ପଟେଲ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ନାମରେ ମାମଲା ରୁଜୁ ହୋଇଛି । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ୧୫ ଜଣ ଆହତ ଶ୍ରମିକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ଏହି ଘଟଣାକୁ ଏକ ଗୁରୁତର ଅବହେଳା ଦର୍ଶାଇ ପୋଲିସ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରିଛି । ଭାରତୀୟ ଦଣ୍ଡ ସଂହିତା ଧାରା ୧୦୪(୧), ୨୮୯, ଏବଂ ୩(୫) ଅନୁଯାୟୀ ଅପରାଧ ନଂ. ୧୧୯/୨୦୨୬ ଅନୁଯାୟୀ ଡାଭରା ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଛି ଏବଂ ତଦନ୍ତ ଆରମ୍ଭ କରିଛି ।
ଏପ୍ରିଲ ୧୪ ତାରିଖରେ ଛତିଶଗଡ଼ ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତମାନଙ୍କୁ ରାଜ୍ୟର ବିଭିନ୍ନ ହସ୍ପିଟାଲ ମାନଙ୍କରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଚିକିତ୍ସା ସମୟରେ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିଲା । ତଦନ୍ତରେ ବେଦାନ୍ତ ଏବଂ NGSL ଦ୍ୱାରା ଯନ୍ତ୍ରପାତି ଏବଂ ଉପକରଣର ରକ୍ଷଣାବେକ୍ଷଣରେ ଗୁରୁତର ଅବହେଳା ରହିଥିବା ଅଭିଯୋଗ ହୋଇଛି ।