Latest Odisha News

BREAKING NEWS

କେବେ ମୁକ୍ତି ପାଇବେ କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ? ନୌସେନାଙ୍କ ପରିବାରକୁ ଭେଟିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: କତାର ଭାରତୀୟ ନୌସେନାର ୮ ପୂର୍ବତନ ସୈନିକଙ୍କୁ ମୃତ୍ୟୁଦଣ୍ଡ ଦେଇଛି। ଏହି ଖବର ଏବେ ସମଗ୍ର ବିଶ୍ୱରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି। ଉକ୍ତ ଆଠ ଜଣ ପୂର୍ବତନ ସୈନିକଙ୍କ ପରିବାର ଲୋକଙ୍କୁ ଆଜି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭେଟିଛନ୍ତି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଟ୍ୱିଟର ବା ଏକ୍ସରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ଭାରତୀୟଙ୍କ ମୁକ୍ତି ପାଇଁ ସରକାର ଉଦ୍ୟମ ଜାରି ରଖିବେ।

ଏସ ଜୟଶଙ୍କର କହିଛନ୍ତି, “ଆଠ ଜଣ ଭାରତୀୟଙ୍କ ପରିବାରକୁ ଭେଟି ମୁଁ ଗୁରୁତ୍ୱାରୋପ କରିଥିଲି ଯେ ସରକାର ଏହି ପ୍ରସଙ୍ଗରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ପୀଡିତଙ୍କ ପରିବାରର ଚିନ୍ତାକୁ ସମ୍ପୂର୍ଣ୍ଣ ଭାବେ ବୁଝିଛନ୍ତି। ସମସ୍ତ ଭାରତୀୟଙ୍କ ମୁକ୍ତି ନିଶ୍ଚିତ କରିବାକୁ ସରକାର ସମସ୍ତ ଉଦ୍ୟମ ଜାରି ରଖିବେ। ସେହି ପରିପ୍ରେକ୍ଷୀରେ ଆମେ ପରିବାର ସହ ଘନିଷ୍ଠ ଭାବରେ ସମନ୍ୱୟ ରକ୍ଷା କରିବୁ। ”

ସୂଚନା ଥାଉକି ଯେ କତାର କୋର୍ଟରେ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ଦେବା ପରେ ଭାରତ ଆଶ୍ଚର୍ଯ୍ୟ ପ୍ରକଟ କରିଛି ଏବଂ କତାର କୋର୍ଟର ଏହି ନିଷ୍ପତ୍ତିକୁ ଭାରତୀୟ ବିରୋଧ କରିଛନ୍ତି। ଗତ ବର୍ଷ ଅଗଷ୍ଟ ମାସରେ, କତାର କର୍ତ୍ତୃପକ୍ଷ ଏହି ଭାରତୀୟମାନଙ୍କୁ ଇସ୍ରାଏଲ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ କରିଥିଲେ ଏବଂ ପରେ ସେମାନଙ୍କୁ ଜେଲକୁ ପଠାଇଥିଲେ। ସେହି ଦିନଠାରୁ ଭାରତ ସରକାର ତାଙ୍କୁ କୂଟନୈତିକ ସୁବିଧା ଯୋଗାଇ ଆସୁଥିଲେ।

ସୂଚନାଯୋଗ୍ୟ ଯେ କେଉଁ କ୍ଷେତ୍ରରେ ଏହି ଆଠ ଜଣ ଭାରତୀୟଙ୍କୁ ଦଣ୍ଡ ଦିଆଯାଇଛି ତାହା ସରକାରୀ ଭାବେ କୁହାଯାଇ ନାହିଁ। କିନ୍ତୁ ରିପୋର୍ଟ ଅନୁଯାୟୀ, ସମସ୍ତେ ଇସ୍ରାଏଲ ପାଇଁ ଗୁପ୍ତଚର କରୁଥିବା ଅଭିଯୋଗ କରାଯାଇଛି। କତାରରେ, ଏହି ପୂର୍ବତନ ସୈନିକ ଦହରା ଗ୍ଲୋବାଲ୍ ଟେକ୍ନୋଲୋଜି ଏବଂ କନ୍ସଲ୍ଟିଂ ସର୍ଭିସରେ କାର୍ଯ୍ୟ କରିଥିଲେ, ଯାହା ଏକ ଘରୋଇ କମ୍ପାନୀ ଅଟେ। ଏହି କମ୍ପାନୀ କତାରର ପ୍ରତିରକ୍ଷା ଏବଂ ସୁରକ୍ଷା ଏଜେନ୍ସିମାନଙ୍କୁ ତାଲିମ ଏବଂ ଅନ୍ୟାନ୍ୟ ସେବା ଯୋଗାଏ।

Comments are closed.