ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ୟୁଜରଙ୍କ ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଏବେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଭଳି ଲୋକପ୍ରିୟ ପ୍ଲାଟଫର୍ମ ଚଳାଉଥିବା କମ୍ପାନୀ ‘ମେଟା’ର ନେଟୱର୍କରେ ଶିଶୁ ଯୌନ ନିର୍ଯାତନାକୁ ପ୍ରୋତ୍ସାହିତ କରୁଥିବା ଭୟଙ୍କର ବିଜ୍ଞାପନ ଚାଲୁଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆୟୋଗ ପକ୍ଷରୁ ମେଟା ଇଣ୍ଡିଆର ମୁଖ୍ୟଙ୍କୁ ସମନ ଜାରି କରାଯାଇ ଜବାବ ତଲବ କରାଯାଇଛି ।
ସୂଚନା ଅନୁଯାୟୀ, ଶିଶୁ ଯୌନ ଶୋଷଣ ସାମଗ୍ରୀ ବିତରଣ କରୁଥିବା କିଛି ଅସାମାଜିକ ଗୋଷ୍ଠୀ ମେଟାର ବିଜ୍ଞାପନ ନେଟୱର୍କକୁ ବ୍ୟବହାର କରି ନିଜର କଳା କାରବାର ଚଳାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଟେକ୍ ଜିଆଣ୍ଟ ମେଟା ନିଜର ଅତ୍ୟାଧୁନିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ କଣ୍ଟେଣ୍ଟ ମଡରେସନ୍ ଟୁଲ୍ ଥାଇ ମଧ୍ୟ ଏହିଭଳି ଅପରାଧିକ ବିଜ୍ଞାପନଗୁଡ଼ିକୁ ଚିହ୍ନଟ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ପଇସା ଦେଇ ଚଲାଯାଉଥିବା ଏହି ବିଜ୍ଞାପନଗୁଡ଼ିକ କିଭଳି କମ୍ପାନୀର ସୁରକ୍ଷା ବଳୟ ଭେଦ କରି ଲୋକଙ୍କ ନିକଟରେ ପହଞ୍ଚିଲା, ତାହାକୁ ନେଇ ଆୟୋଗ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
NCPCR ନିଜ ନୋଟିସ୍ରେ ସ୍ପଷ୍ଟ କରିଛି ଯେ, ଶିଶୁମାନଙ୍କ ସୁରକ୍ଷା ସହିତ କୌଣସି ପ୍ରକାରର ସାଲିସ୍ ଗ୍ରହଣୀୟ ନୁହେଁ । ମେଟା ଇଣ୍ଡିଆ ମୁଖ୍ୟଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ଏହି ସୁରକ୍ଷା ବିଫଳତା ପଛର କାରଣ ଦର୍ଶାଇବାକୁ କୁହାଯାଇଛି । ଏହାଛଡ଼ା ଭବିଷ୍ୟତରେ ଯେପରି ଏଭଳି ଘୃଣ୍ୟ ସାମଗ୍ରୀ ପ୍ଲାଟଫର୍ମରେ ସ୍ଥାନ ନପାଏ, ସେଥିପାଇଁ କମ୍ପାନୀ କି ପ୍ରକାର ବୈଷୟିକ ପଦକ୍ଷେପ ନେଉଛି, ତାର ବିସ୍ତୃତ ରିପୋର୍ଟ ମାଗିଛନ୍ତି ଆୟୋଗ ।
ବିଶେଷଜ୍ଞଙ୍କ ମତରେ, ଭାରତର ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ଏବଂ ପୋକ୍ସୋ ଆଇନ ଅନୁଯାୟୀ ଡିଜିଟାଲ୍ ପ୍ଲାଟଫର୍ମରେ ଶିଶୁ ନିର୍ଯାତନା ସମ୍ବନ୍ଧୀୟ କୌଣସି ବି ତଥ୍ୟ ପ୍ରସାରଣ କରିବା ଏକ ସଙ୍ଗିନ ଅପରାଧ ଅଟେ। ସରକାରୀ ସ୍ତରରେ ନିଆଯାଇଥିବା ଏହି ଦୃଢ଼ ପଦକ୍ଷେପ କେବଳ ମେଟା ନୁହେଁ, ବରଂ ଭାରତରେ କାର୍ଯ୍ୟରତ ଅନ୍ୟ ସମସ୍ତ ସୋସିଆଲ୍ ମିଡିଆ କମ୍ପାନୀଗୁଡ଼ିକ ପାଇଁ ଏକ କଡ଼ା ଚେତାବନୀ ବୋଲି ବିବେଚନା କରାଯାଉଛି । କମ୍ପାନୀଗୁଡ଼ିକୁ ଏବେ ନିଜର ବିଜ୍ଞାପନ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଠୋର କରିବାକୁ ପଡ଼ିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

