Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୀଳାଦ୍ରି ମହୋଦୟ ଗ୍ରନ୍ଥ (ଅଷ୍ଟମ ଅଧ୍ୟାୟ- ୩)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ, ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଅନୁସୃତ ବିଧି ବିଧାନ ଓ ନୀତି ନିୟମ ବିଷୟରେ ଅନୁଧ୍ୟାନ କଲେ ଆଶ୍ଚର୍ଯ୍ୟ ହେବାକୁ ପଡେ । ସତରେ କେତେ ପ୍ରାଞ୍ଜଳ ଓ ସଠିକ ଭାବରେ ସବୁକିଛି ପାଳିତ ହେଉଛି କାହା ନିର୍ଦ୍ଦେଶରେ। ଏହି ଭାବନାର ଉତ୍ତର ଖୋଜିବାରେ ନୀଳାଦ୍ରି ମହୋଦୟ ଗ୍ରନ୍ଥର ଏ ଆଲୋଚନା ନିଶ୍ଚୟ କିଛି ସାହାଯ୍ୟ କରିବ। ତେବେ ଆସନ୍ତୁ ଜାଣିବା ଦଶମ ଅଧ୍ୟାୟ ବର୍ଣ୍ଣିତ ଶ୍ଳୋକ।

ଦଶମ ଅଧ୍ୟାୟ ଶ୍ଳୋକ -୧୫-୧୭
ଏହି ଶ୍ଳୋକ ମାନଙ୍କ ବର୍ଣ୍ଣନା ଅନୁସାରେ ଶ୍ରୀଜୀଉମାନଙ୍କ ଆଚମନ ପାଇଁ ଦୁଇ ପଳ (ଏକ ପ୍ରାଚୀନ ମାପ ) ଜଳ ପ୍ରସ୍ତୁତ କରିବ। ଏହି ଆଚମନ ଜଳରେ ଲବଙ୍ଗ, ଜାଇଫଳ, ଅଳେଇଚ, କର୍ପୁର ପ୍ରଭୃତି ଦ୍ରବ୍ୟ ମିଶାଇବ। ସେହିପରି ମହାପ୍ରଭୁଙ୍କ ପାଇଁ ମଧୁପର୍କ ପ୍ରସ୍ତୁତ କରିବା ପାଇଁ ମଧୁ, ଗବ୍ୟ,ଘୃତ, ଦହିଓ ଖଣ୍ଡ ପ୍ରତ୍ୟେକରୁ ଏକ ପଳ ହିସାବରେ ମିଶ୍ରିତ କରି ପ୍ରସ୍ତୁତ କରିବ ମଧୁପର୍କ ।

ଦଶମ ଅଧ୍ୟାୟ ଶ୍ଳୋକ ୧୮- ୧୯:-
ଏହି ଶ୍ଳୋକରେ ବର୍ଣ୍ଣିତ ହୋଇଛି ଶ୍ରୀଜୀଉମାନଙ୍କ ସ୍ନାନ ଜଳ ପ୍ରସ୍ତୁତି ପ୍ରଣାଳୀ। ଏହାର ସଠିକ ପରିମାଣ ଦିଆଯାଇ ନଥିଲେ ମଧ୍ୟ ପୁରୁଣା ମାପ ଅନୁସାରେ ୧୦୦ ପଳ ୫୦ପଳ ଅବା
୨୫ପଳ ଶୁଦ୍ଧ ଜଳରେ ଅଁଳା, କର୍ପୁର, ଚନ୍ଦନ ଇତ୍ୟାଦି ମିଶାଇ ମହାପ୍ରଭୁଙ୍କ ସ୍ନାନ ଜଳ ପ୍ରସ୍ତୁତ ହୋଇଥାଏ।

ଦଶମ ଅଧ୍ୟାୟ ଶ୍ଳୋକ ୨୪ :-ଏହି ଶ୍ଳୋକ ବର୍ଣ୍ଣନା ଅନୁସାରେ ମହାପ୍ରଭୁଙ୍କର ଚିତା ପ୍ରସ୍ତୁତ ହୋଇଥାଏ। ଶ୍ରୀଜୀଉମାନଙ୍କ ଚିତା ପାଇଁ ଏକ ପଳ ଘୋରା ଚନ୍ଦନରେ କର୍ପୁର ମିଶ୍ରିତ କରାଯାଇ ଏହାକୁ ସମର୍ପଣ କରିବ। ନୀଳାଦ୍ରି ମହୋଦୟ ବର୍ଣ୍ଣିତ ଶ୍ରୀମନ୍ଦିରରେ ପ୍ରଚଳିତ କିଛି ବିଧି ବିଧାନ ବିଷୟରେ ଜାଣିଲେ, ଆଗାମୀ ଅଧ୍ୟାୟରେ ଜାଣିବା ଦେବ ମନ୍ଦିରମାନଙ୍କରେ ନିୟୋଜିତ ପୂଜକମାନଙ୍କ ପ୍ରକୃତି ଓ ଲକ୍ଷଣ କଣ ହେବା ଉଚିତ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

ଯହିଁ ଅନେକ ଲୋକ ମିଳି
ଅବଶ୍ୟ ଉପୁଜଇ କଳି।
ପୁତ୍ର କଳତ୍ର ପଶୁ ଦାସେ
ଏହାଙ୍କୁ ପୋଷି ଦେହ ଆଶେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.