Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଗୋପନୀୟ ଲୀଳା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ନିଜର ଅପୃର୍ବ ମାନୁଶୀ ଲୀଳା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଏବେ ପ୍ରଭୁଙ୍କର ଗୋପନୀୟ ଅନବସର ଉପଚାର ଚାଲିଛି । କାରଣ ସ୍ନାନ ପୁର୍ଣିମା ରେ ପ୍ରତ୍ୟକ୍ଷ ସ୍ନାନ କରି ସେ ସାଧାରଣ ମଣିଷ ପରି ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ଏଠାରେ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ ; ପ୍ରଭୁଙ୍କୁ କଣ ସତରେ ଜ୍ୱର ହୋଇପାରେ ? କାରଣ ପଦ୍ମପୁରାଣ କହେ :

“ଯସ୍ୟ ସ୍ମରଣେ ମାତ୍ରେଣ ନ ମୋହ ନଚ ଦୁର୍ଗତି ନରୋଗ ନଚ ଦୁଃଖlନୀ ତମନନ୍ତଂ ନାମମ୍ୟହଂ। ”

ଅର୍ଥାତ ଶ୍ରୀଜଗନ୍ନାଥଙ୍କ ସ୍ମରଣ ମାତ୍ରେଣ ଜୀବର ଦୁଃଖ, ଦୁର୍ଗତି, ରୋଗ ମୋହ ମାୟା, ସବୁ ଦୂରୀଭୂତ ହୁଏ ବା ସମ୍ପୂର୍ଣ୍ଣ ନାଶହୁଏ । ତେଣୁ ପ୍ରଭୁଙ୍କର ଜ୍ୱର ଏକ ବିଶେଷ ଲୀଳା ମାତ୍ର, ଯାହା ଯଥା ଦେହେ ତଥା ଦେବେ, ନ୍ୟାୟରେ ଅନୁଷ୍ଠିତ ହେଉଛି ଏବଂ କିଛି ଅଙ୍ଗରକ୍ଷାର ବିଶେଷ ଉପଚାର ଚାଲିଛି । ନିଜର ଅତି ଆପଣାର ସେବକ ଦଇତାପତି ମାନେ ଏହି ବିଶେଷ ସେବାର ଅଧିକାର ପାଇଛନ୍ତ । ପ୍ରଥମରୁ କହିଛି ଏହା ଅତ୍ୟନ୍ତ ଗୋପନୀୟ ସେବା, ତେଣୁ ଏହାର ସମସ୍ତ ବିବରଣୀ ଆପଣଙ୍କ ପାଖରେ ଉପସ୍ଥାପିତ କରିବା ସମ୍ଭବ ନୁହେଁ । ଯେତିକି ଜାଣିଛି ସେତିକି ଲେଖୁଛି :

୧ . ଅଣସର ଦ୍ଵିତୀୟ ଦିନ ସାନ୍ନ ପୂର୍ଣମୀ ରେ ପିନ୍ଧିଥିବା ବସ୍ତ୍ର ପ୍ରଭୁଙ୍କର ଅଙ୍ଗରୁ ଅଲଗା କରାଯାଏ ।

୨ . ଚତୃର୍ଥ ଦିନ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହୁଏ, ଶ୍ରୀ ଅଙ୍ଗରେ ଜଡିତ ସମସ୍ତ ପାଟ ବସ୍ତ୍ର ଓ ଚନ୍ଦନ ପ୍ରଭୁତି କାଢି ନିଆଯାଏ ।

୩ . ପଞ୍ଚମୀ ଦିନ ପ୍ରଭୃଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହୁଏ ।

ଏହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପୂର୍ବରୁ, ଆସନ୍ତୁ ଜାଣିବା ଏହି ଦିନମାନଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ । କାରଣ ସାଧାରଣ ଦିନଭଳି ଏଠାରେ ନୀତି କାନ୍ତି ହୁଏନାହିଁ । ପ୍ରତିଦିନ ଭଳି ମଇଲମ ହୁଏନାହିଁ, ଏହି ପୂଜା ବିଦ୍ଧି ସମୟରେ ଘଣ୍ଟି, ଶଙ୍ଖ, ପିଢା କିମ୍ବା ଥାଳି ବ୍ୟବହାର ହୁଏନାହିଁ । ଏଠାରେ ଠାକୁରମାନଙ୍କୁ ପତିମହାପାତ୍ରେ ପଣା, ଫଳ ପ୍ରଭୁତି କେବଳ ସମର୍ପଣ କରନ୍ତି, ଯାହା ସର୍ପମଣୋହି ଭାବରେ ଖ୍ୟାତ । ଅତ୍ୟନ୍ତ ଗୁପ୍ତ ସେବା ହୋଇ ଥିବାରୁ କେବଳ ଏକ ତୈଳ ଦୀପର ଆଲୋକରେ ସେବା ନୀତି କରାଯାଏ । ଲୀଳାମୟଙ୍କ ଏହି ଲୀଳା ବିଚିତ୍ର ନିଶ୍ଚୟ, ତେଣୁ ଆଗକୁ ଆହୁରି ଜାଣିବା, ଏବେ ପ୍ରଭୁଙ୍କର ଆରାଧନା ।

କବି ଲୋକନାଥ ବିଦ୍ୟାଧରଙ୍କ ଭାଷାରେ :

“ଦାରୁ କଳେବର ଧରି ନୀଳଧର ଶିଖରେ ବ୍ରହ୍ମ ପରକାଶ

ଦର୍ଶନେ କଳୁଷ ବିନାଶ, ବ୍ରହ୍ମlଦି ଶଙ୍କର,

ଯାହାଙ୍କ କିଙ୍କର ହେବା ପାଇଁ କରେ ଆଶ ହେ ସୁଜନେ,

ତାଙ୍କ ପ୍ରସାଦ ରସ ଭରସାରେ, ଏହୁ ଗୀତ ବଖାଣନ୍ତି ଭାଷାରେ।”

 

ଜୟ ଜଗନ୍ନାଥ

Leave A Reply

Your email address will not be published.